ବାବରଙ୍କ ଶତକ: ପାକିସ୍ତାନ ବିଜୟୀ

ଦୁବାଇ: ଟେଷ୍ଟ୍‍ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିଥିବା ଶ୍ରୀଲଙ୍କା ଦିନିକିଆରେ ଆଣ୍ଠେଇ ପଡ଼ିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ପାକିସ୍ତାନ ୮୩ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ଦିବାରାତ୍ର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ପାକିସ୍ତାନ ୬ ଓ୍ଵିକେଟ୍‌ରେ ୨୯୨ ରନ୍‌ କରିଥିଲା। ବାବର ଆଜମ (୧୦୩, ୧୩୧ ବଲ୍‌, ୫ ଚୌକା), ସୋଏବ ମଲ୍ଲିକ (୮୧, ୬୧ ବଲ୍‌, ୫ ଚୌକା, ୨ ଛକା) ଏବଂ ଫକର ଜମନ (୪୩, ୪୫ ବଲ୍‌, ୪ ଚୌକା, ୧ ଛକା) ପ୍ରତିପକ୍ଷକୁ ଆହ୍ଵାନ ଭରା ସ୍କୋର୍‌ ଦେଇଥିଲେ। ବାବର କିନ୍ତୁ ନିଜର ଏହି ଷଷ୍ଠ ଦିନିକିଆ ଶତକକୁ ୧୨୮ ବଲ୍‌ରୁ ସଂଗ୍ରହ କରି ମନ୍ଥରତମ ସାବ୍ୟସ୍ତ ହୋଇଥିଲେ। ବିଗତ ୫ ବର୍ଷରେ ମଧ୍ୟ ପାକିସ୍ତାନ ପାଇଁ ଏହା ଥିଲା ମନ୍ଥରତମ ଦିନିକିଆ ଶତକ। ଜବାବରେ ଶ୍ରୀଲଙ୍କା ୩.୩ ଓଭରରେ ୩୦ ରନ୍‌ ଉଠାଇ ନେଇଥିଲା। କିନ୍ତୁ ଦିଗହରା ହୋଇ ୬୭ ରନରେ ୫ ଓ୍ଵିକେଟ୍‌ ହରାଇ ପଛଘୁଞ୍ଚା ଦେଇଥିଲା। ବାମହାତୀ ଲାହିରୁ ଥିରିମାନେ (୫୩, ୭୪ ବଲ୍‌, ୩ ଚୌକା)ଙ୍କ ଉନ୍ନବିଂଶ ଏବଂ ଅକିଳ ଧନଞ୍ଜୟ (୫୦*, ୭୨ ବଲ୍‌, ୫ ଚୌକା)ଙ୍କ ପ୍ରଥମ ଅର୍ଧଶତକ ସତ୍ତ୍ୱେ ଶ୍ରୀଲଙ୍କା ୨୦୯/୮ରେ ସୀମିତ ରହିଥିଲା। ଦୁଇ ଦ୍ରୁତ ବୋଲର ବାମହାତୀ ରୁମନ ରାଇସ୍‌ (୩/୪୯) ଏବଂ ଡାହାଣହାତୀ ହାସନ୍‌ ଅଲୀ (୩/୩୬) ଶ୍ରୀଲଙ୍କାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଗକୁ ବଢ଼ିବାକୁ ଦେଇନଥିଲେ।

 

ସମ୍ବନ୍ଧିତ ଖବର