ଟେଷ୍ଟ କ୍ୟାରିୟର ଆରମ୍ଭ ପୂର୍ବରୁ ହିଁ ବୀରୁ ଜାଣିଥିଲେ ଯେ ସେ ପ୍ରଥମ ଭାରତୀୟ ଭାବେ ୩୦୦ ମାରିବେ : ବୀରୁଙ୍କ ସମ୍ପର୍କରେ ଏହି କଥା କହିଲେ ଭିଭିଏସ ଲକ୍ଷ୍ମଣ

ହାଇଦ୍ରାବାଦ : ଭିଭିଏସ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହଓ୍ଵାଗ ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତି  । ଜଣେ ନିଜର କଳାତ୍ମକ  ଓ ଷ୍ଟାଇଲିଷ୍ଟ ବ୍ୟାଟିଂ ପାଇଁ ପରିଚିତ ଥିବାବେଳେ ଆଉ ଜଣେ ବିଶ୍ୱର ଜଣେ ସର୍ବକାଳୀନ ବିସ୍ଫୋରକ ବ୍ୟାଟ୍ସମ୍ୟାନ । ନିକଟରେ  ଲକ୍ଷ୍ମଣ ବୀରୁଙ୍କ ସମ୍ପର୍କରେ ଏକ ପୁରୁଣା କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲକ୍ଷ୍ମଣ କହିଛନ୍ତି “ ୨୦୦୧ରେ  ବୀରୁ ନିଜର କ୍ୟାରିୟର ଆରମ୍ଭ କରୁଥିଲେ । ଅଷ୍ଟ୍ରେଲିଆ ଦଳ ଭାରତ ଗ୍ରସ୍ତରେ ଆସିଥାଏ । ବାଙ୍ଗାଲୋରଠାରେ ଅନୁଷ୍ଠିତ ଏକଦିବସୀୟ ମ୍ୟାଚରେ ବୀରୁ ୫୮ ରନ କରିବା ସହ ୩ଟି ଓ୍ଵିକେଟ ମଧ୍ୟ ନେଇଥିଲେ । ତାଙ୍କର ବ୍ୟାଟିଂ ଶୈଳୀକୁ ଦେଖିଲେ ଜଣାପଡୁନଥିଲା ଯେ ତାଙ୍କୁ ଟେଷ୍ଟ ଟିମ ପାଇଁ ଚୟନ କରାଯିବ । ପରବର୍ତ୍ତି ଏକଦିବସୀୟ  ମ୍ୟାଚ ଖେଳିବାକୁ ଟିମ ପୁଣେ ଯାଇଥିଲା । ମ୍ୟାଚ ପୂର୍ବଦିନ ବୀରୁ, ଜାହିର ଓ ମୁଁ ( ଲକ୍ଷ୍ଣଣ) ରାତ୍ରଭୋଜନ କରିବାକୁ ଯାଇଥିଲୁ । ଏହି ସମୟରେ ବୀରୁ ମୋତେ  କହିଲେ ଯେ ଲକ୍ଷ୍ମଣଭାଇ ଆପଣ ଅଷ୍ଟ୍ରେଲିଆ ବିରୋଧରେ ୩୦୦ ରନ କରିବାର ଯଥେଷ୍ଟ ସମ୍ଭାବନା ଥିଲା । କିନ୍ତୁ ଦୁର୍ଭାଗ୍ୟବସତଃ ଆପଣ କରିପାରିଲେ ନାହିଁ । ଏବେ ଅପେକ୍ଷା କର ମୁଁ ଟେଷ୍ଟ ଖେଳିଲେ ନିଶ୍ଚିତ ଭାବେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ତ୍ରିଶତକ ହାସଲ କରି ରେକର୍ଡ କରିବି । ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ ଯିଏ ଏପର୍ଯ୍ୟନ୍ତ ଟେଷ୍ଟ କ୍ୟାରିୟର ମଧ୍ୟ ଆରମ୍ଭ କରିନାହିଁ, ସେ ୩୦୦ ରନ କରିବ ବୋଲି ଦମ୍ଭ ଦେଖାଉଛି ।”

ବୀରୁ ୨୦୦୪ରେ ପାକିସ୍ତାନର ମୁଲତାନଠାରେ ପ୍ରଥମଭାରତୀୟ ଭାବେ ତ୍ରିଶତକ  (୩୦୯) ହାସଲ କରିଥିଲେ । ଏହାପରେ ୨୦୦୮ରେ ମଧ୍ୟ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ତ୍ରିଶତକ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର