ବେଙ୍ଗାଲୁରୁକୁ ବିଜୟ ମୁକୁଟ

ଇଷ୍ଟ୍‌ବେଙ୍ଗଲ୍‌କୁ ୪-୧ରେ ପରାସ୍ତ କଲା, ସୁନୀଲ ଛେତ୍ରୀ ଓ ମିକୁ ଶ୍ରେଷ୍ଠ ଖେଳାଳି, ବିଜେତାଙ୍କୁ ୨୫ ଲକ୍ଷ, ଉପବିଜେତାକୁ ୧୫

ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌
ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେଉଥିବା କଥାକୁ ଦୋହରାଇଥିଲେ। ସେହିଭଳି ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ ଉପ ସଭାପତି ସୁବ୍ରତ ଦତ୍ତ, ଫୁଟ୍‌ବଲ୍‌ ଆସୋସିଏସନ୍‌ ଅଫ ଓଡ଼ିଶା (ଫାଓ)ର ସଭାପତି ଦେବାଶିଷ ସାମନ୍ତରାୟ, କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆକର୍ଷଣୀୟ ଆତଶବାଜି ଓ ବିଛୁରିତ ଆଲୋକରେ ଉଦ୍‌ଯାପନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମ୍‌କୁ ମନୋରମ କରି ଦେଇଥିଲା।

ଭୁବନେଶ୍ୱର: ସବୁ ପୂର୍ବାନୁମାନ ଅନୁଯାୟୀ ବିଜୟ ମୁକୁଟ ସହିତ ବେଙ୍ଗାଲୁରୁ ଏଫ୍‌ସି ୨୦୧୮ ମସିିହାର ଭାରତୀୟ ଫୁଟ୍‌ବଲ୍‌ ଋତୁକୁ ଶେଷ କଲା। ଆଇଏସ୍‌ଏଲ୍‌ ଫାଇନାଲ୍‌ରେ ଚେନ୍ନାଇନ୍‌ ଏଫ୍‌ସି ବିପକ୍ଷରେ ଝୁଣ୍ଟିଥିବା ସୁନୀଲ ଛେତ୍ରୀଙ୍କ ଦଳ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌ରେ ପୂର୍ବ ଭାରତୀୟ ଦଳ ଇଷ୍ଟ୍‌ବେଙ୍ଗଲ୍‌କୁ ୪-୧ ଗୋଲ୍‌ରେ ମାତ୍‌ ଦେଇ ଏହି ଅଭିଯାନ ଶେଷ କରିଦେଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ ଓ ସେମିଫାଇନାଲ୍‌ ଭଳି ପ୍ରଥମେ ଗୋଲ୍‌ ବରଣ କରିଥିଲେ ମଧ୍ୟ ବିଜୟ ପାର୍ଶ୍ୱରେ ରହିଲା ବେଙ୍ଗାଲୁରୁ। ଏଥି ସହ କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ଅପରାଜେୟ କୀର୍ତିମାନ ରଖି ବିଜୟ ମୁକୁଟ ପିନ୍ଧିଲା ଏହି ଦଳ। ସୂଚନାଯୋଗ୍ୟ, ସୁପର୍‌ କପ୍‌ ପୂର୍ବରୁ ଫେବ୍ରୁଆରି ୨୫ରେ ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ବେଙ୍ଗାଲୁରୁ ଏହି ଫୁଟ୍‌ବଲ୍‌ ଅଭ୍ୟୁଦୟ ପଡ଼ିଆରେ ୫-୦ରେ ଅପରାଜିତ ରହିଲା।

ଶୁକ୍ରବାର ଫାଇନାଲ୍‌ ମ୍ୟାଚ୍‌ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। କେବଳ ସଂଘର୍ଷପୂର୍ଣ୍ଣ କହିଲେ ଚଳିବ ନାହିଁ, ପ୍ରତିଟି ମୁହୂର୍ତରେ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ଉଭୟ ଦଳର ଖେଳାଳି। ଏକାଧିକ ଉତ୍ତେଜକ ମୁହୂର୍ତ ବି ଦେଖିବାକୁ ମିଳିଥିଲା ପ୍ରଥମରୁ। ଖେଳାଳି ଖେଳାଳି ମଧ୍ୟରେ ବୋଲାବୋଲି ଓ ଟଣାଟଣି ଭିତରେ ଫାଇନାଲ୍‌ ମ୍ୟାଚ୍‌ ଆଗକୁ ବଢ଼ୁଥିବା ବେଳେ ୨୮ତମ ମିନିଟ୍‌ରେ ଲିବେରିଆ ଖେଳାଳି ଘାନେଫୋ ଅଂଶୁମାନା କ୍ରୋମାଙ୍କ ଗୋଲ୍‌ ପ୍ରଥମେ ଇଷ୍ଟ୍‌ବେଙ୍ଗଲ୍‌କୁ ଆଗୁଆ କରାଇଥିଲା। ଏହା ପରେ ମ୍ୟାଚ୍‌ ଅଧିକ ଗତିଶୀଳ ହୋଇଥିଲା ଏବଂ ବେଙ୍ଗାଲୁରୁ ଏଫ୍‌ସି ଆକ୍ରାମକ ରୂପ ଦେଖାଇଥିଲା। ମ୍ୟାଚ୍‌ର ୩୯ତମ ମିନିଟ୍‌ରେ ବେଙ୍ଗାଲୁରୁକୁ ପ୍ରଥମ ସଫଳତା ମିଳିଥିଲା ଏକ ଚମତ୍କାର ହେଡର ଜରିଆରୁ। ସ୍ପେନୀୟ ତାରକା ଭିକ୍ଟର ପେରେଜଙ୍କ କର୍ନରକୁ ମୁଣ୍ଡରେ ଗୋଲ୍‌ମୁହାଁ କରି ଦେଇଥିଲେ ଡିଫେଣ୍ଡର ରାହୁଲ ଭେକେ। ଏଥି ସହିତ ପ୍ରଥମାର୍ଧ ୧-୧ ଗୋଲ୍‌ରେ ଶେଷ ହୋଇଥିଲା।

ଦ୍ୱିତୀୟାର୍ଧରେ ଗୋଲ୍‌ର ବ୍ୟୁହ ରଚନା କରି ଖେଳିଥିଲା ବେଙ୍ଗାଲୁରୁ ଏଫ୍‌ସି। ୫୧ତମ ମିନିଟ୍‌ରେ ଇଷ୍ଟ୍‌ବେଙ୍ଗଲ୍‌ ପାଇଁ କ୍ରୋମା ପୁଣି ଏକ ଗୋଲ୍‌ ଦେଇଥିଲେ ମଧ୍ୟ ଏହା ଅଫସାଇଡ୍‌ କାରଣରୁ ଅଣଅନୁମୋଦିତ ରହିଥିଲା। ଏହି ମୁହୂର୍ତ ପରଠାରୁ ଇଷ୍ଟ୍‌ବେଙ୍ଗଲ୍‌ ଆଉ ଆଗକୁ ବଢ଼ି ପାରିନଥିଲା। ବେଙ୍ଗାଲୁରୁର ରକ୍ଷଣଭାଗକୁ ଭେଦ କରିବା କି ଅଗ୍ରପନ୍ଥୀଙ୍କୁ ରୋକିବା କୌଣସିଥିରେ ବେଙ୍ଗଲ୍‌ ଦଳ ବେଙ୍ଗାଲୁରୁ ପାସଙ୍ଗରେ ପଡ଼ିନଥିଲା। ମାତ୍ର ୨୦ ମିନିଟ୍‌ ଭିତରେ ୩ ଗୋଲ୍‌ ଦେଇ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଏକତରଫା କରି ଦେଇଥିଲେ ବେଙ୍ଗାଲୁରୁ ଖେଳାଳି। ୬୯ତମ ମିନିଟ୍‌ରେ ଗୋଲ୍‌ପୋଷ୍ଟ ଆଗରେ ଗୁରବିନ୍ଦରଙ୍କ ବାହୁରେ ବଲ୍‌ ବାଜିବାରୁ ମିଳିଥିବା ପେନାଲ୍‌ଟିକୁ ସୁନୀଲ ଛେତ୍ରୀ ଗୋଲ୍‌ରେ ପରିଣତ କରି ଦେଇଥିଲେ। ୨ ମିନିଟ୍‌ ପରେ ଭିକ୍ଟର ପେରେଜଙ୍କଠାରୁ ପାଇଥିବା ଏକ ଲକ୍ଷ୍ୟଭେଦୀ ପାସ୍‌କୁ ତାରକା ଖେଳାଳି ମିକୁ ଗୋଲ୍‌ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। କଳିଙ୍ଗ ଷ୍ଟାଡିୟମ୍‌ରେ ଉପସ୍ଥିତ ଇଷ୍ଟ୍‌ବେଙ୍ଗଲ୍‌ର ସଂଖ୍ୟାଧିକ ପ୍ରଶଂସକ ଶାନ୍ତ ପଡ଼ିଯାଇଥିଲା ବେଳେ ବେଙ୍ଗାଲୁରୁପ୍ରେମୀ ଆଶ୍ୱସ୍ତ ହୋଇଥିଲେ ବହୁ ପ୍ରତୀକ୍ଷିତ ଟ୍ରଫି ବିଜୟକୁ ନେଇ। କିନ୍ତୁ ଏତିକିରେ ଇଷ୍ଟ୍‌ବେଙ୍ଗଲ୍‌ର ଦୁଃଖ ସରି ନ ଥିଲା। ୯୦ ମିନିଟ୍‌ରେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଦ୍ୱିତୀୟ ଗୋଲ୍‌ ଆସିଥିଲା ହେଡର୍‌ରୁ। ଏଥର ମଧ୍ୟ ରାହୁଲ ଭେକେ ଥିଲେ ଗୋଲ୍‌ ସହାୟକର ନାୟକ। ସେମିଫାଇନାଲ୍‌ ଭଳି ବେଙ୍ଗାଲୁରୁ ୦-୧ ଗୋଲ୍‌ରେ ପଛରେ ପଡ଼ିବା ସତ୍ତ୍ୱେ ୪-୧ରେ ମ୍ୟାଚ୍‌ ଜିତି ହୋଇଥିଲା ବିଜେତା।

ଓଡ଼ିଶା ମୋ ପାଇଁ ଭାଗ୍ୟଶାଳୀ: ରୋକା
ବେଙ୍ଗାଲୁରୁର ବିଜୟ ପାଇଁ ମୁଁ ସବୁ ଖେଳାଳିଙ୍କୁ ଶ୍ରେୟ ଦେଉଛି। ପୂରା ଦଳକୁ ଅଭିନନ୍ଦନ ଜଣାଉଛି। ଆଇଏସ୍‌ଏଲ୍‌ ଫାଇନାଲ୍‌ରେ ପରାଜୟ ପରେ ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ ବେଙ୍ଗାଲୁରୁ ଏଫ୍‌ସି ପ୍ରଶିକ୍ଷକ ଆଲବର୍ଟ ରୋକା। ଆକ୍ରମଣାତ୍ମକ ଫୁଟ୍‌ବଲ୍‌ ପାଇଁ ମୁଁ ମଧ୍ୟ ଇଷ୍ଟ୍‌ବେଙ୍ଗଲ୍‌ ଦଳକୁ ଅଭିନନ୍ଦନ ଜଣାଉଛି ବୋଲି କହିଥିଲେ ରୋକା। ଏ ବିଜୟ ପ୍ରମାଣ କରିଦେଲା ଆମେ ପ୍ରତି ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କଲୁ। ଭାରତରେ ଥିବା ସବୁ ଦଳ ଟ୍ରଫି ବିଜୟ ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଆମ ଦଳ ଅଧିକ ପେସାଦାର ଫୁଟ୍‌ବ୍‌ଲ ଖେଳି ସଫଳ ହେଲା। ସୁନୀଲ ଛେତ୍ରୀ ଓ ମିକୁଙ୍କ ଭଳି ଖେଳାଳିଙ୍କୁ ଦଳରେ ପାଇବା ସବୁଠାରୁ ଉଲ୍ଲେଖନୀୟ। ଓଡ଼ିଶା ମଧ୍ୟ ମୋ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ରହିଲା, ଭବିଷ୍ୟତରେ ମୁଁ ଏଠାକୁ ଛୁଟି କାଟିବାକୁ ଆସିବି ବୋଲି କହିଥିଲେ ଏହି ପୂର୍ବତନ ସ୍ପେନୀୟ ଫୁଟ୍‌ବଲର୍‌। ସୁପର୍‌ କପ୍‌ ଭଳି ପ୍ରତିଯୋଗିତା ନିଶ୍ଚିତ ଭାରତରେ ଫୁଟ୍‌ବଲ୍‌ର ଲୋକପ୍ରିୟତା ବଢ଼ାଇବ ବୋଲି କହିଥିଲେ ରୋକା।

ରେଡ୍‌ କାର୍ଡ ଓ ହ୍ୟାଣ୍ଡ୍‌ବଲ୍‌ ନିର୍ଣ୍ଣାୟକ ହେଲା: ଖଲିଲ୍‌
ପ୍ରଥମାର୍ଧ ପୂର୍ବରୁ ଲାଲ୍‌ କାର୍ଡ ଏବଂ ଦ୍ୱିତୀୟାର୍ଧରେ ହ୍ୟାଣ୍ଡ୍‌ବଲ୍‌ ଆମ ପାଇଁ ନିର୍ଣ୍ଣାୟକ ହେଲା। ଏହା ହିଁ ପରାଜୟର କାରଣ ବୋଲି କହିଛନ୍ତି ଇଷ୍ଟ ବେଙ୍ଗଲ୍‌ ପ୍ରଶିକ୍ଷକ ଖଲିଦ୍‌ ଅହମ୍ମଦ ଜମିଲ୍‌। ଅଫ୍‌ ସାଇଡ୍‌ କାରଣରୁ ଆମର ଏକ ଗୋଲ୍‌ ମଧ୍ୟ ବାଜ୍ୟାପ୍ତ ହୋଇଥିଲା। ଏହି ସବୁ ନିର୍ଣ୍ଣାୟକ ମହୂର୍ତ ପାଇଁ ଖେଳାଳିଙ୍କ ଲୟ ବିଗିଡ଼ିଗଲା ଏବଂ ଦଳ ହାରିଲା ବୋଲି କହିଥିଲେ ଜମିଲ୍‌।

୧୦ ଜଣିଆ ଇଷ୍ଟ୍‌ବେଙ୍ଗଲ୍‌
ପ୍ରଥମାର୍ଧର ଶେଷ ମିନିଟ୍‌ରେ ବିପଜ୍ଜନକ ଖେଳ ପାଇଁ ସମଦ ଅଲୀ ମଲ୍ଲିକ ଲାଲ୍‌ କାର୍ଡ ପାଇବା ମଧ୍ୟ ଇଷ୍ଟ୍‌ବେଙ୍ଗଲ୍‌କୁ ଦ୍ୱିତୀୟାର୍ଧରେ ଦୁର୍ବଳ କରି ଦେଇଥିଲା। ସମ୍ପୂର୍ଣ୍ଣ ଦ୍ୱିତୀୟାର୍ଧକୁ ଇଷ୍ଟ୍‌ବେଙ୍ଗଲ୍‌ ୧୦ ଜଣରେ ଖେଳିବାରୁ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିନଥିଲା। ସୂଚନାଯୋଗ୍ୟ, ବେଙ୍ଗାଲୁରୁ ଅନୁରୂପ ଭାବେ ସେମିଫାଇନାଲ୍‌ରେ ୧୦ ଜଣରେ ଦ୍ୱିତୀୟାର୍ଧ ଖେଳିଥିଲେ ମଧ୍ୟ ୪-୨ ଗୋଲ୍‌ରେ ମୋହନ ବାଗାନକୁ ପରାସ୍ତ କରି ଫାଇନାଲ୍‌ ଆସିଥିଲା।

ଖଚାଖଚ ଦର୍ଶକ

୬ ସପ୍ତାହ ଧରି ଚାଲିଥିବା ଏହି ପ୍ରତିଯୋଗିତା ଆରମ୍ଭରୁ ଦର୍ଶକ ମରୁଡ଼ିକୁ ନେଇ ବେଶ ଚର୍ଚା ହୋଇଥିଲା। ଶୁକ୍ରବାର ଫାଇନାଲ୍‌ ମ୍ୟାଚ୍‌ କିନ୍ତୁ ଭରପୁର ଦର୍ଶକଙ୍କ ମଧ୍ୟରେ ଖେଳାଯାଇଥିଲା। ପାଖାପାଖି ୧୨,୦୦୦ରୁ ଅଧିକ ଦର୍ଶକ ଦେଖିଥିଲେ ଫାଇନାଲ୍‌ ମ୍ୟାଚ୍‌। କୋଲ୍‌କାତାରୁ ଆସିଥିବା ଅଧିକାଂଶ ପ୍ରଶଂସକ ଗୋଷ୍ଠୀ ମଧ୍ୟ ବେଶ୍‌ ସଜେଇ ହୋଇଥିଲେ ଷ୍ଟାଡିୟମ୍‌ସାରା। ନଦିଆ, ବରସାତ୍‌, ବର୍ଧମାନ, ସୋନାରପୁର, ମଧ୍ୟମଗ୍ରାମ ଆଦିରୁ ସ୍ୱତନ୍ତ୍ର ଗୋଷ୍ଠୀ ଇଷ୍ଟ୍‌ବେଙ୍ଗଲ୍‌କୁ ଉତ୍ସାହିତ କରିବା ଲାଗି ଛୁଟି ଆସିଥିଲେ କଳିଙ୍ଗ ଷ୍ଟାଡିୟମ୍‌କୁ। ଷ୍ଟଡିୟମ୍‌ ବି ଆଛାଦିତ ଥିଲା ସେମାନଙ୍କ ପ୍ରଶଂସକ ଗୋଷ୍ଠୀର ଲମ୍ବା ଲମ୍ବା ବ୍ୟାନର୍‌ରେ। ବିଜ୍ଞାପନ ବ୍ୟାନର୍‌କୁ ଟପି ଯାଇଥିଲା ଏହାର ସଂଖ୍ୟା। ଓଡ଼ିଶା ପ୍ରଶଂସକ କିନ୍ତୁ ସମର୍ଥନ କରୁଥିଲେ ବେଙ୍ଗାଲୁରୁ ଏଫ୍‌ସିକୁ। ପଡ଼ୋଶୀ କୋଲ୍‌କାତା ଦଳକୁ ସମର୍ଥନ କରିବା ପରିବର୍ତେ ସମ୍ଭବତଃ ତାରକା ସୁନୀଲ ଛେତ୍ରୀଙ୍କ ଦଳ ପାଇଁ ପୂର୍ବକୁ ଛାଡ଼ି ପଡ଼ିଯାଇଥିଲେ ଏହି ଦକ୍ଷିଣୀ ଦଳ ପାଇଁ। ଛେତ୍ରୀଙ୍କ ଦଳ ବି ସେମାନଙ୍କ ଆଶା ମୁତାବକ ପ୍ରଦର୍ଶନ କରି ଜିତି ନେଇଥିଲେ କଳିଙ୍ଗ ଦର୍ଶକଙ୍କ ମନ ଓ ହୃଦୟ।

ସୁରକ୍ଷା ଢ଼ିଲା
ସୁପର୍‌ କପ୍‌ ଫାଇନାଲ୍‌ ପାଇଁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା ଅସମ୍ଭବ ଭାବେ। କିନ୍ତୁ ସୁରକ୍ଷା କର୍ମୀଙ୍କ ଦାୟିତ୍ୱ ଓ ଅସହାୟତା ପଦାରେ ପଡ଼ିଥିଲା। ଟିକେଟ ନଥିବା ଏକ ଦଳ ହଠାତ୍‌ ଧସେଇ ପଶିଥିଲେ ପ୍ରେସ୍‌ ବକ୍ସ ଭିତରକୁ। କିଛି ସିଟ୍‌କୁ ଜବରଦସ୍ତ ଦଖଲକୁ ନେଇ ଯାଇଥିଲେ। ଗଣମାଧ୍ୟମ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁରୋଧକୁ ପ୍ରଥମେ ଶୁଣି ନଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ଭିଆଇପି ଅଞ୍ଚଳକୁ ପ୍ରବେଶ କରିଯାଇଥିଲେ। ଏମାନେ କୋଉଠି ଏକ ରାଜନୈତିକ ଦଳର ବୋଲି ନିଜକୁ ପରିଚୟ ଦେଇ ସବୁ ଅଞ୍ଚଳକୁ ଧସେଇ ପଶିଥିଲେ। କିନ୍ତୁ ଏତେ କଟକଣା ଏବଂ ସୁରକ୍ଷା ବଳୟରେ ଥିବା କଳିଙ୍ଗ ଷ୍ଟାଡିୟମ୍‌କୁ ବିନା ଟିକେଟରେ କିଭଳି ଏହି ୪୦/୫୦ ଜଣିଆ ଦଳ ଏକତ୍ର ପ୍ରବେଶ କଲେ ତାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଲଗାଇ ଦେଇଥିଲା।

ପୁରସ୍କାର
ବେଙ୍ଗାଲୁରୁକୁ ୨୫ ଲକ୍ଷ ଟଙ୍କା ସହିତ ସୁପର୍‌ କପ୍‌ ଏବଂ ଇଷ୍ଟ୍‍ବେଙ୍ଗଲ୍‌କୁ ୧୫ ଲକ୍ଷ ଟଙ୍କା ସହିତ ଉପବିଜେତା କପ୍‌ ପ୍ରଦାନ କରାଯାଇଥିଲା। ବ୍ୟକ୍ତିଗତ ପୁରସ୍କାରକୁ ହାତେଇ ନେଇଥିଲେ ବେଙ୍ଗାଲୁରୁରୁ ଦୁଇ ତାରକା ଅଗ୍ରଭାଗ ଖେଳାଳି ସୁନୀଲ ଛେତ୍ରୀ (୬ ଗୋଲ୍‌) ଓ ମିକୁ ଓରଫ୍‌ ନିକୋଲାସ୍‌ ଲାଡିସଲାଓ ଫେଡର୍‌ (୫ ଗୋଲ)। ଛେତ୍ରୀ ହିରୋ ଅଫ୍‌ ଦି ମ୍ୟାଚ୍‌ ଏବଂ ମିକୁ ହିରୋ ଅଫ୍‌ ଦି ଟୁର୍ନାମେଣ୍ଟ୍‌ ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର