‘ବଡ଼ ଭଉଣୀ ମୋତେ ବ୍ଲାକ୍‌ମେଲ୍‌ କରୁଥିଲେ’

ଭୁବନେଶ୍ବର: ସମଲିଙ୍ଗୀ ସଂପର୍କକୁ ନେଇ ବେଶ୍ ଚର୍ଚାରେ ଥିବା ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ତାଙ୍କ ବଡ଼ ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରସ୍ବତୀ ତାଙ୍କୁ ଗତ କିଛି ମାସ ହେବ ୨୫ ଲକ୍ଷ ଟଙ୍କା ଦାବି କରି ବ୍ଲାକମେଲିଂ କରି ଆସୁଛନ୍ତି। ସେହିଭଳି କିଛି ଲୋକଙ୍କ କୁଶିକ୍ଷା ଏବଂ ଚାପର ବଶବର୍ତୀ ‌ହୋଇ ମା’ ଅଖୁଜୀ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି ବୋଲି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଦୂତି। ତୀବ୍ର ଉତ୍ତେଜନାପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଦୂତି ନିଜ ବ୍ୟକ୍ତିଗତ ଜୀବନରେ ଉଠିଥିବା ଝଡ଼ ନେଇ ଖୋଲାଖୋଲି ମନ୍ତବ୍ୟ ରଖିଥିଲା ବେଳେ କିଛି ନିର୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ବି‌ଷୋଦ୍‌ଗାର କରିଥିଲେ। ତେବେ କୌଣସି ପରିସ୍ଥିତିରେ ନିଜ ପ୍ରେମିକାଙ୍କଠାରୁ ଅଲଗା ହେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ତା’ ସହ ତାଙ୍କ ପ୍ରେମ କାହାଣୀ ଶତପ୍ରତିଶତ ସଫଳ ହେବ ବୋଲି ରୋକ୍‌ଠୋକ୍‌ ଭାବେ କହିଥିଲେ। ଯୁକ୍ତି-ତର୍କ ଓ ଟଣାଓଟଣା ଭିତରେ ସାମ୍ବାଦିକ ସମ୍ମିଳନୀ କିନ୍ତୁ ଅଧାରୁ ବନ୍ଦ ହୋଇଯାଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦୂତିଙ୍କ ସହ ଓଡ଼ିଶା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ତଥା ସମାଜସେବୀ ମୀରା ପରିଡ଼ା, ସମାଜ ସେବୀ ସାଧନା ମିଶ୍ର, ଚଳଚ୍ଚିତ୍ର ନିର୍ଦେଶକ ତପି ମିଶ୍ର ଏବଂ ଆଇନଜୀବୀ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।
।ଦେଢ଼ ମାସ ହେବ ମାନସିକ ଯନ୍ତ୍ରଣାରେ ଥିଲି
ଗତ ଦେଢ଼ ମାସ ହେବ ଘୋର ମାନସିକ ଯନ୍ତ୍ରଣାରେ ଥିଲି। ମୋ ବଡ଼ ଉଭଣୀ ସରସ୍ବତୀ ହିଁ ମୋତେ ଶୋଷଣ କରୁଥିଲେ। ମୋ ସଂପର୍କ ବିଷୟରେ ପର୍ଦାଫାସ କରିବାର ଧମକ ଦେଇ ମୋ ଠାରୁ ୨୫ ଲକ୍ଷ ଟଙ୍କା ଦାବି କରୁଥିଲେ। ଗଣମାଧ୍ୟମକୁ ଫୋନ୍ କରି ମୋ ବିରୋଧରେ ଲେଖିବାକୁ ପ୍ରବର୍ତାଉଥିଲେ। ବାଧ୍ୟହୋଇ ମୁଁ ସର୍ବସାଧାରଣରେ ମୋ ସଂପର୍କକୁ ସ୍ବୀକାର କଲି। କିଛି ଦିନ ତଳେ ଭୁବନେଶ୍ବରରେ ଥିବା ଘରେ ସେ ମୋତେ ମାରପିଟ କରିଥିଲେ। ବାରମ୍ବାର ପଇସାପତ୍ର ଦାବି କରୁଥିଲେ। ସେଥିପାଇଁ ମୁଁ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲି। ସେହି ଘଟଣାର ପ୍ରତିଶୋଧ ନେବା ଲାଗି ସେ ମୋ ଚରିତ୍ର ସଂହାର କରିଚାଲିଛନ୍ତି। ସମସ୍ତେ ଯେମିତି ମୋତେ ଘୃଣା କରିବେ ସେ ଚକ୍ରାନ୍ତ କରିଛନ୍ତି। ମୋ ସଫଳତା ପାଇଁ ସେ ମୋତେ ଇର୍ଷା କରି ଏଭଳି କରିଛନ୍ତି। ତାଙ୍କ ପାଇଁ ମୁଁ ବଡ଼ ବଡ଼ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରୁ ନାହିଁ। ଅଭ୍ୟାସ ବି ଗତ କିଛି ଦିନ ହେଲା ବନ୍ଦ ରହିଛି। ମୋ ବ୍ୟକ୍ତିଗତ ଜୀବନକୁ ନେଇ ଆଉ ଚର୍ଚା ନହେଉ ବୋଲି ଦୂତି ଏହି ଅବସରରେ ଅନୁରୋଧ କରିଥିଲେ।
।ଆଇନର ସହାୟତା ନେବି
କିଛି ଗଣମାଧ୍ୟମ ମୋ ପ୍ରେମିକାଙ୍କ ନାଁ ନେଇଛନ୍ତି। ତାଙ୍କ ମିତା-ପିତାଙ୍କ ବାଇଟ୍ ଦେଖାଉଛନ୍ତି। ମୋ ଘରେ ୯ ଜଣ ସଦସ୍ୟ। କେବଳ ମା’ ଓ ଉଭଣୀଙ୍କ ପ୍ରତିକ୍ରିୟା ନେଉଛନ୍ତି। ଅନ୍ୟମାନଙ୍କ ପ୍ରତିକ୍ରିୟା କାହିଁକି ‌ନେଉ ନାହାନ୍ତି? ମୋ ମା’ଙ୍କ ଉପରେ ଚାପ ପ୍ରୟୋଗ କରି, ତାଙ୍କୁ ମୋ ବିରୋଧରେ କହିବାକୁ ବାଧ୍ୟ କରୁଛନ୍ତି। ଏଥିରୁ କ୍ଷାନ୍ତ ରହିବାକୁ ମୁଁ ଆଜି ଏହି ସାମ୍ବାଦିକ ସମ୍ମଳିନୀରେ ସମସ୍ତଙ୍କୁ ଆହ୍ବାନ କରୁଛି। ଅନ୍ୟଥା ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ମା-ବାପାଙ୍କ ପାଇଁ ମୁଁ ଅନେକ କିଛି କରିଛି। ‌ମୋତେ ଅଯଥା ବଦନାମ କରାଯାଉଛି। ମୁଁ ଜୀବନରେ ବହୁତ ସଂଘର୍ଷ କରି ଆଗକୁ ବଢ଼ିଛି। ନିଜ ଗୋଡ଼ରେ ନିଜେ ଠିଆ ହୋଇଛି। ମୋ ବ୍ୟକ୍ତିଗତ ଜୀବନକୁ ନେଇ ଅଯଥା ଚର୍ଚା ହେଉଥିବାରୁ ଓଡ଼ିଶା ଏହା ଦ୍ବାରା ବଦନାମ ହେଉଛି। ନିନ୍ଦୁକ ମୋ ପାଇଁ କିଟ୍ ବିଶ୍ବବିଦ୍ୟାଳୟକୁ ମଧ୍ୟ ଛାଡ଼ୁ ନାହାନ୍ତି। ମୋ ହାତକୁ ଧରି ଆଗକୁ ବଢ଼ାଇଥିବା ଅଚ୍ୟୁତ ସାମନ୍ତଙ୍କୁ ବିନା କାରଣରେ ବଦନାମ କରୁଛନ୍ତି। ମୋଠାରୁ ସେ ଟଙ୍କା ନେଉଛନ୍ତି ବୋଲି କହୁଛନ୍ତି। ଅଚ୍ୟୁତ ସାର୍ ତ’ ଶହ ଶହ କୋଟି ଟଙ୍କାର ମାଲିକ ମୁଁ ତାଙ୍କୁ ବା କି’ ଟଙ୍କା ଦେବି!
।୧୦ ଦିନରେ ପଡ଼ିଆକୁ ଫେରିବି
କୌଣସି ବଡ଼ ଧରଣର ବିବାଦରୁ ମୁକୁଳିବା ସହଜ କଥା ନୁହେଁ। ହେଲେ ଅତୀତରେ ମୁଁ ସବୁ ବିବାଦକୁ ସାହସର ସହ ସମ୍ମୁଖୀନ ହୋଇଛି। ମୁଁ ଭାବୁଛି ୧୦ ଦିନ ଭିତରେ ମୁଁ ଏହି ବିବାଦରୁ ବାହାରି ଅଭ୍ୟାସ କରିବା ଆରମ୍ଭ କରିବି। ପୁଣି ଥରେ ମେଡାଲ ମାରି ଦେଖାଇବି। ସେ ଆତ୍ମବିଶ୍ବାସ ମୋର ଅଛି ବୋଲି ମଧ୍ୟ ଦୂତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
।ପ୍ରଶିକ୍ଷକ ଆଗରୁ ଜାଣିଛନ୍ତି
ମୋ ପ୍ରଶିକ୍ଷକ ଏନ୍ ରମେଶଙ୍କ ସମର୍ଥନ ମୋ ସହ ଅଛି। ସେ ଏହି ବିଷୟରେ ଆଗରୁ ଜାଣିଥିଲେ। ସେ ମୋତେ କହିଛନ୍ତି ଯେ ଦୂତି ତୁ ଦେଶର ସମ୍ପତ୍ତି। ଦେଶ ପାଇଁ କିଛି କରିବୁ। ବ୍ୟକ୍ତିଗତ ଜୀବନରେ କ’ଣ କରୁଛୁ, ସେଥିରେ ମୋର କିଛି ଯାଏ ଆ‌େସ ନାହିଁ। ଆଜିକାଲି ସମାଜ ବଦଳିଲାଣି। ସମସ୍ତଙ୍କ ଚିନ୍ତା ଧାରାରେ ବି ପରିବର୍ତନ ଆସିଲାଣି। ତୋ’ ବ୍ୟକ୍ତିଗତ ଜୀବନର ନିଷ୍ପତ୍ତି ତୁ ନେ। ମୁଁ ତୋ ସହ ଅଛି। ତୁ ସବୁବେଳେ ଖୁସିରେ ରହ। ହେଲେ ଖେଳ ଉପରୁ ଧ୍ୟାନ ହଟାନି। ରମେଶ ସାର୍‌ଙ୍କ ପରାମର୍ଶକୁ ମୁଁ ସବୁବେଳେ ଗ୍ରହଣ କରିଆସିଛି।
।ପ୍ରଦର୍ଶନ ପ୍ରଭାବିତ ହେବାକୁ ଦେବିନି
ବାରମ୍ବାର ଧମକଚମକ ଦେବାରୁ ମୁଁ ସମଲିଙ୍ଗୀ ସଂପର୍କକୁ ସ୍ବୀକାର କଲି। ମୁଁ କିଛି ବେଆଇନ କାମ ବି କରିନି। ଆସନ୍ତା ଜୁଲାଇରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା‌ ପରେ ଅଲିମ୍ପିକ୍ସରେ ଖେଳିବାକୁ ଲକ୍ଷ୍ୟ ରଖିଛି। ଏହି ଘଟଣାକୁ ମୋ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବାକୁ ଦେବିନି। ଉଭୟ ପ୍ରତିଯୋଗିତାରେ ଭଲ କରିବି ବୋଲି ଆଶା ରଖିଛି। ସଂପର୍କ ସ୍ବୀକାର କରିବା ଦ୍ବାରା ବ୍ୟକ୍ତିଗତ ଜୀବନରେ ଏହାର ନକାରାତ୍ମକ କିମ୍ବା ସକାରାତ୍ମକ ପ୍ରଭାବ ପଡ଼ିବ, ତାହା ମୁଁ ଜାଣି ନାହିଁ। ଭଲ ଅଭ୍ୟାସ କଲେ ଭଲ ଫଳ ନିଶ୍ଚିତ ମିଳିବ। ମୁଁ ଅଭ୍ୟାସ ଉପରେ ଅଧିକ ଧ୍ୟାନ ଦେବି ବୋଲି ଦୂତି କହିଥିଲେ।

ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ପ୍ରାୟୋଜିତ ନାଟକ: ସରସ୍ବତୀ
ଦୂତି ଆଣିଥିବା ସମସ୍ତ ଅଭିଯୋଗକୁ ସରସ୍ବତୀ ଖଣ୍ଡନ କରିଛନ୍ତି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସତ ଟା ସବୁବେଳେ ସତ। ଏହାକୁ କେବେ ବି ଲୁଚାଇ ରଖାଯାଇ ପାରେନା। ଦୂତି ଚାନ୍ଦ ମୋ ବିରୋଧରେ ଯେତେ‌ ସବୁ ଅଭିଯୋଗ ଆଣିଛି, ମୁଁ ତାକୁ ସାଦରରେ ଗ୍ରହଣ କରୁଛି। ସେ କିନ୍ତୁ ରାଜନୀତି ନକରି , ଖେଳ ଉପରେ ଧ୍ୟାନ ଦେଉ। ସରକାର ତାକୁ ସହାଯ୍ୟ କରୁଛନ୍ତି ଖେଳ ପାଇଁ, ରାଜନୀତି ପାଇଁ ନୁହେଁ। ସେ ଯେଉଁ ଭିତ୍ତିହୀନ ଓ ଅମୂଳକ ଅଭିଯୋଗ ଆଣିଛି, ତାହା ହେଉଛି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ପ୍ରାୟୋଜିତ ନାଟକ। ଟ୍ରେଲର ମାତ୍ର, ବର୍ଷକ ପରେ ଅସଲ ଚଳଚ୍ଚିତ୍ର ଦେଖିବାକୁ ମିଳିବ। ବାହ୍ୟ ଶକ୍ତିଙ୍କ ଚାପ ଓ ପ୍ରୋତ୍ସାହନରେ ସେ ଏଭଳି କରୁଛି। ତା’ର ଅନେକ ଗୁମର କଥା ମୁଁ ଜାଣିଛି। କହିଲେ ସରିବନି। ହେଲେ ଘର କଥା କ’ଣ କହିବି। କିଛି ଦିନ ପରେ ଅପେ ଅପେ ସବୁ ପଦାକୁ ଆସିବ।

ଦୂତି ପାଇଁ ପ୍ରତିଭା ବସ୍ତିରେ ରହୁଛି: ଅଖୁଜୀ
ମା’ ଅଖୁଜୀ ଚାନ୍ଦ ତାଙ୍କ ସହ ଥିବା ଦୂତି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ହେଲେ ଅଖୁଜୀ ଏହାକୁ ଗ୍ରହଣ କରି ନାହାନ୍ତି। ବରଂ ଦୂତିଙ୍କ ନାଁରେ ସେ ଆହୁରି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ବ୍ଲାକମେଲିଂ ଅଭିଯୋଗକୁ ବି ଅଖୁଜୀ ଖଣ୍ଡନ କରିଛନ୍ତି। ଦୂତି ଘର ବିଷୟରେ ଯାହା ଗପୁଛି ଗପୁ। ସେ ଓଲଟା ଆମକୁ ଧମକେଇଛି। ମୋ କଥା ନମାନିଲେ, ମୁଁ ତୁମ କଥା ବୁଝିବି ନାହିଁ ବୋଲି ମୋ ଦୁଇ ଝିଅଙ୍କୁ କହିଛି। ଦୋଳପୂର୍ଣ୍ଣମୀ ଦିନରୁ ସେ ପରିବାରକୁ ଭଲ ପାଉନି। ଦୁଇ ଉଭଣୀଙ୍କୁ ଭୁବନେଶ୍ବର ଘରୁ ବାହାର କରି ଦେଇଛି। ମୁଁ ଯଦି ମିଛ କହୁଛି, ଯାଆନ୍ତୁ ଦେଖିବେ ମୋ ଝିଅ ପ୍ରତିଭା, ବସ୍ତିରେ ରହି ପଟିଆ କଲେଜରେ ପଢ଼ୁଛି। ପରୀକ୍ଷା ସମୟରେ ଘରୁ ବାହାର କରିବା ପରେ ବଡ଼ ବଡ଼ କୋଠା ଘରେ ବାସନ ମାଜୁଥିବା ଜଣେ ବ୍ୟକ୍ତିଙ୍କ ଘରେ ରହି ଯିବା ଆସିବା କରୁଛି। ମୋ ଝିଅ ଦିନେ ଦୂତିର ଭୁବନେଶ୍ବର ଘରକୁ ସ୍କୁଟି ପାଇଁ ଯାଇଥିଲା, ସେ ଝିଅର ଭାଇ ତାକୁ ଘରୁ ବାହାର କରିଦେଲା। କହିଲା ତମର ଏଠି କ’ଣ ଅଛି? ବୋଲି ଅଖୁଜୀ କହିଛନ୍ତି।

ସମ୍ବନ୍ଧିତ ଖବର