ବଲ୍‌ ବିକୃତ: ଏଣିକି ୬ ଟେଷ୍ଟ୍‌ କିମ୍ବା ୧୨ ଦିନିକିଆରୁ ବାସନ୍ଦ

ଦୁବାଇ: ବଲ୍‌ ବିକୃତ ମାମଲାରେ ଆଇସିସି କଠୋର ଅଭିମୁଖ୍ୟ ଅବଲମ୍ବନ କରିବାକୁ ଯାଉଛି। ଏଣିକି ବଲ୍‌ ବିକୃତ କରିଥିବା ପ୍ରମାଣିତ ହେଲେ ଅଭିଯୁକ୍ତ ଖେଳାଳି ଅନ୍ୟୁନ ୬ ଟେଷ୍ଟ୍‌ କିମ୍ବା ୧୨ ଦିନିକିଆରୁ ବାସନ୍ଦ ହେବେ। ପୂର୍ବରୁ ଏହା ମାତ୍ର ଗୋଟିଏ ଟେଷ୍ଟ୍‌ କିମ୍ବା ଦୁଇଟି ଦିନିକିଆ ଥିଲା।
ଆୟର୍ଲାଣ୍ଡର ଡବଲିନରେ ସୋମବାର ଶେଷ ହୋଇଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ନିଆ ଯାଇଛି। ବଲ୍‌ ବିକୃତକୁ ଏବେ ଆଇସିସି ଆଚରଣ ସଂହିତାର ତୃତୀୟ ସ୍ତରୀୟ ଅପରାଧ ଭାବେ ବିଚାର କରାଯିବ ବୋଲି ସ୍ପଷ୍ଟ କରି ଦିଆ ଯାଇଛି। ଏଥିରେ ଖେଳାଳିଙ୍କ ପଡ଼ିଆ ଭିତର ବ୍ୟବହାର ଏବଂ ଅଭଦ୍ରତାକୁ ବି ସାମିଲ କରାଯିବ। ଏମିତିକି ଖେଳାଳିଙ୍କ ବ୍ୟବହାର ପାଇଁ ଏବେ ବୋର୍ଡ ଉତ୍ତରଦାୟୀ ରହିବେ। ଖେଳାଳି ଏବଂ ବୋର୍ଡକୁ ମଧ୍ୟ ଦଣ୍ଡବିଧାନ ବିରୋଧରେ ଆବେଦନ କରିବାର ଅଧିକାର ମିଳିବ।

ଏଥିଲାଗି କିନ୍ତୁ ସେମାନଙ୍କୁ ଏକ ନିର୍ଦିଷ୍ଟ ଅଙ୍କର ଦେୟ ପ୍ରଦାନ କରିବାକୁ ହେବ। ଆବେଦନ ସଫଳ ହେଲେ ଏହି ରାଶି ସେମାନେ ଫେରି ପାଇବେ। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା କ୍ରମେ ଘରୋଇ ଟେ୍ଵଣ୍ଟି-୨୦ ଲିଗ୍‌ ଖେଳିବା ସଂଖ୍ୟାରେ ଆଇସିସି ଅଙ୍କୁଶ ଲଗାଇବାକୁ ଯାଉଛି। କେତେକ ଖେଳାଳି ଜାତୀୟ ଦଳ ଅପେକ୍ଷା ଘରୋଇ ଟେ୍ଵଣ୍ଟି-୨୦ ଲିଗ୍‌ ଖେଳିବାକୁ ଅଗ୍ରାଧିକାର ଦେଉଥିବାରୁ ଖୁବଶୀଘ୍ର ଜଣେ ଖେଳାଳି ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ କେତୋଟି ଘରୋଇ ଟେ୍ଵଣ୍ଟି-୨୦ ଲିଗ୍‌ ଖେଳି ପାରିବ ତାର ଚିଠା ପ୍ରସ୍ତୁତ କରିବାକୁ ଆଇସିସି ପ୍ରସ୍ତୁତ ହେଉଛି। ଏପର୍ଯ୍ୟନ୍ତ ଏଥିନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ତେବେ ଜଣେ ଖେଳାଳିକୁ ବର୍ଷକୁ ତିନିଟି ଘରୋଇ ଟେ୍ଵଣ୍ଟି-୨୦ ଲିଗରୁ ଅଧିକ ଲିଗ୍‌ରେ ଖେଳିବାର ଅନୁମତି ମିଳିବ ନାହିଁ ବୋଲି ଜଣାପଡ଼ିଛି। ଷ୍ଟମ୍ପ ମାଇକ୍ରୋଫୋନ୍‌ ସହ ସଂପୃକ୍ତ ନିର୍ଦେଶରେ ମଧ୍ୟ ପରିବର୍ତନ କରାଯାଇଛି। ଏହା ଦ୍ୱାରା ଷ୍ଟମ୍ପ ମାଇକ୍ରୋଫୋନରେ ରେକର୍ଡ ହୋଇଥିବା ଯେ କୌଣସି ଅଡିଓର ପ୍ରସାରଣ କରାଯାଇ ପାରିବ। ଏପରିକି ବଲ୍‌ ଡେଡ୍‌ ହେବା ପରର ରେକର୍ଡିଂକୁ ବି ଦର୍ଶକ ଶୁଣି ପାରିବେ। ସେପଟେ ଭ୍ରମଣକାରୀ ଦଳଗୁଡ଼ିକ ଭଲ ଖେଳିବା ପରିବେଶ ଯୋଗାଇ ଦେବାକୁ ମଧ୍ୟ ଆଇସିସି ଅଣ୍ଟା ଭିଡ଼ିଛି। ଭ୍ରମଣକାରୀ ଦଳକୁ ପ୍ରାକ୍‌ ପ୍ରସ୍ତୁତିର ସୁଯୋଗ ଦେବାକୁ ମଧ୍ୟ ଆଇସିସି ଆୟୋଜକ ବୋର୍ଡଙ୍କୁ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର