ଯୁଗଳ ମୁକୁଟରୁ ଲଖିଙ୍କ ନୂଆ ଋତୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମହିଳା ଗଲ୍‌ଫର ଲଖି ସ୍ୱାଇଁ ୨୦୧୮-୧୯ ଋତୁକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛନ୍ତି। ମାସକ ଭିତରେ ଅନୁଷ୍ଠିତ ୩ଟି ପ୍ରତିଯୋଗିତାରୁ ୨ଟିରେ ବିଜୟିନୀ ଏବଂ ଗୋଟିଏରେ ଉପ-ବିଜୟିନୀ ହୋଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆମନ୍ତ୍ରଣୀୟ ଡିପ୍ଲୋମ୍ୟାଟ୍‌ସ କପ୍‌ର ମହିଳା ବର୍ଗରେ ବିଜୟୀ ହୋଇଥିବା ଲଖି ସ୍ୱାଇଁ ଭୁବନେଶ୍ୱର ଗଲ୍‌ଫ କ୍ଲବ୍‌ (ବିଜିସି)ରେ ଋତୁର ପ୍ରଥମ ପ୍ରତିଯୋଗିତା ପ୍ରେସିଡେଣ୍ଟ୍‌ସ କପ୍‌ରେ ମଧ୍ୟ ଟ୍ରଫି ହାତେଇଛନ୍ତି। ଏହା ପୂର୍ବରୁ ଅନ୍ୟ ଏକ କ୍ୟାଲେଣ୍ଡର୍‌ ବାହାର ପ୍ରତିଯୋଗିତା ଗୋଲଡେନ୍‌ ଆଞ୍ଚରରେ ମଧ୍ୟ ନିଜ ୧୯-୨୪ ଓପନ୍‌ ବର୍ଗରେ ସ୍କୋର୍‌ ଟାଇ ହେବାରୁ ଉପ-ବିଜୟିନୀ ରହିଥିଲେ। ବିଜିସିର ନୂଆ ଋତୁ ପ୍ରଥମ ପ୍ରତିଯୋଗିତା ପ୍ରେସିଡେଣ୍ଟ୍‌ସ କପ୍‌ରେ ମୁଖ୍ୟ ବର୍ଗ ୦-୧୮ରେ ଅଜୟ ନେଗି ବିଜେତା ଏବଂ ହକି ଅଲିମ୍ପିଆନ୍‌ ଦିଲ୍ଲୀପ ତିର୍କି ଉପବିଜେତା ହୋଇଥିଲେ। ଶୈଳେନ୍ଦ୍ର ଉପାଧ୍ୟାୟ ଶ୍ରେଷ୍ଠ ଗ୍ରସ୍‌ ସମ୍ମାନ ପାଇଥିଲେ। ୧୯-୨୪ ଶ୍ରେଣୀରେ ଲଖି ସ୍ୱାଇଁ ବିଜୟିନୀ ଏବଂ ଏସି ବେହେରା ଉପବିଜେତା ହୋଇଥିଲେ। ବରିଷ୍ଠ ବର୍ଗରେ ରମେଶ ରାୟ, କେସି ବେହେରା ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ମହିଳାରେ ଶୁୁଭ୍ରା ମିଶ୍ର ଟ୍ରଫି ହାତେଇଥିଲେ। ପୁଣି ଥରେ ପୁରୁଷଙ୍କ ମଧ୍ୟରେ ଖେଳି ଲଖି ସ୍ୱାଇଁ ମଧ୍ୟ ବିଜୟିନୀ ହେବା ଉଲ୍ଲେଖନୀୟ ବିଷୟ ହୋଇଛି।

ସମ୍ବନ୍ଧିତ ଖବର