ରାଜେଶଙ୍କ ଶତକ ସତ୍ତ୍ୱେ ପାଳି ପରାଜୟ

ସିକେ ନାୟୁଡୁ ଟ୍ରଫି

କଟକ: ରାଜେଶ ଧୂପରଙ୍କ ଲଢୁଆ ଶତକ ମଧ୍ୟ ଓଡ଼ିଶାକୁ ପରାଜୟରୁ ରକ୍ଷା କରିପାରିଲାନି। ଫଳରେ ହାଇଦ୍ରାବାଦରେ ଘରୋଇ ଦଳ ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ଗୋଟିଏ ପାଳି ଓ ୫୯ ରନ୍‌ରେ ପରାସ୍ତ ହୋଇଛି। ଘରୋଇ ଦଳର ପ୍ରଥମ ପାଳି ସ୍କୋର ୪୨୮କୁ ପିଛା କରିବାକୁ ଯାଇ ଓଡ଼ିଶା ପ୍ରଥମ ପାଳିରେ ୧୭୪ ରନ୍‌ କରିପାରି ଫଲୋଅନ୍‌ ଖେଳିଥିଲା। ଦ୍ୱିତୀୟ ପାଳିରେ ୧୯୫ ରନ୍‌ କରିପାରିବାରୁ ଏହି ୪ ଦିନିଆ ମ୍ୟାଚ୍‌ ତିନି ଦିନରେ ଶେଷ ହୋଇଗଲା। ଦ୍ୱିତୀୟ ଦିନର ସ୍କୋର୍‌ ୮୫/୬ରୁ ଖେଳିଥିବା ଓଡ଼ିଶା ତୃତୀୟ ଦିନ ଆଉ ୮୯ ରନ୍‌ ଯୋଡ଼ି ଅବଶିଷ୍ଟ ୪ ଓ୍ଵିକେଟ୍‌ ହରାଇଥିଲା। ସତ୍ୟଜିତ ସାବତ ୪୬, ଦେବବ୍ରତ ପ୍ରଧାନ ୨୭, ପପୁ ରଏ ୨୬ ରନ୍‌ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାଜେଶ ଧୂପର ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରୁଥିଲା ବେଳେ ଅନ୍ୟପଟେ ଓ୍ଵିକେଟ୍‌ ପତନର ଧାରା ଜାରି ରହିଥିଲା। ରାଜେଶ ଏକାକି ପାଳିର ପାଖାପାଖି ଅଧାବଲ ଖେଳିିଥିଲା ବେଳେ ୧୨୩ (୧୧୮ ବଲ୍‌, ୧୪ ଚୌକା, ୫ ଛକା) ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମ୍ରିତ ଖଟୁଆ ୧୦, ନିର୍ନିମେସ ଜେନା ୧୯ ରନ୍‌ କରିଥିଲାବେଳେ ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଓଡ଼ିଶା ୬୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୯୫ ରନ୍‌ରେ ସୀମିତ ରହିଥିଲା।

ସମ୍ବନ୍ଧିତ ଖବର