ଶୁଭ୍ରାଂଶୁ ଶତକରୁ ବଞ୍ଚିତ: ଓଡ଼ିଶା ୨୫୬

ଭୁବନେଶ୍ବର: କିଟ୍ କ୍ରିକେଟ୍ ଷ୍ଟାଡିୟମରେ ସୋମବାରଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଓଡ଼ିଶା ପ୍ରଥମ ପାଳିରେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନାହିଁ। ଘରୋଇ ଦଳର ପ୍ରଥମ ପାଳି ୨୫୬ ରନ୍‌ରେ ସୀମିତ ହୋଇଯାଇଥିବା ବେ‌ଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅତିଥି ଉତ୍ତରପ୍ରଦେଶ ଦଳ ୧ ୱିକେଟରେ ୪୨ ରନ୍ କରିଛି। ଶୀର୍ଷକ୍ରମ ବ୍ୟାଟସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଓଡ଼ିଶାର ସମ୍ମାନ ରକ୍ଷା କରିବାରେ ବଡ଼ ଭୂମିକା ତୁଲାଇଛନ୍ତି।
ଟସ୍ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ କରିଥିବା ଉତ୍ତରପ୍ରଦେଶ ପ୍ରଥମ ଓଭରରୁ ହିଁ ଓଡ଼ିଶା ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲା। ସକାଳର ତୃତୀୟ ବଲ୍‌ରେ ଅଙ୍କିତ ରାଜପୁତ ସନ୍ଦୀପ ପଟ୍ଟନାୟକ (୦)ଙ୍କୁ ବୋଲ୍‌ଡ କରିଦେବା ପରେ ପଞ୍ଚମ ଓଭରରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଅନୁରାଗ ଷଡ଼ଙ୍ଗୀଙ୍କୁ ଏଲବିଡବଲ୍ୟୁ କରି ଦେଇଥିଲେ। ପୂର୍ବ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଏବଂ ଶୁଭ୍ରାଂଶୁ ସେନାପତି ତୃତୀୟ ୱିକେଟ୍‌ ପାଇଁ ୪୫ ରନ୍ ଯୋଡ଼ି ପାଳି ଗଢ଼ିବାକୁ ଚେଷ୍ଟା କରିଥିଲେ। ଗୋବିନ୍ଦ ପୋଦ୍ଦାର (୩୯, ୪୨ ବଲ, ୯ ଚୌକା) ଜମି ସାରିଥିବା ବେଳେ ବାମହାତୀ ଦ୍ରୁତ ବୋଲର ୟାଶ ଦୟାଲ ତାଙ୍କୁ ଆଉଟ୍‌ କରି ଦେଇଥିଲେ। ଗତ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ବିପ୍ଳବ ସାମନ୍ତରାୟ (୧୨) ଏବଂ ଯୁବ ତାରକା ଶାନ୍ତନୁ ମିଶ୍ର (୦)ଙ୍କୁ ଲଗାତାର ଓଭରରେ ଆଉଟ୍ କରି ଅଧିନାୟକ ଅକ୍ଷଦୀପ ନାଥ ଓଡ଼ିଶା ବ୍ୟାଟିଂକୁ ସଙ୍କଟ ଭିତରକୁ‌ ଠେଲି ଦେଇଥିଲେ। ଏହି ସମୟରେ ଓଡ଼ିଶା ୧୦୭/୫ରେ ସଂଘର୍ଷ କରିଥିଲା। କିନ୍ତୁ ଶୁଭ୍ରାଂଶୁ ସେନାପତି ଏବଂ ୱିକେଟରକ୍ଷକ ସୁଜିତ ଲେଙ୍କା ଷଷ୍ଠ ୱିକେଟ୍‌ ପାଇଁ ୬୭ ରନ୍‌ ‌ଯୋଡ଼ି ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ୫୦ତମ ଓଭରରେ ଶୁଭ୍ରାଂଶୁ କିନ୍ତୁ ଅଙ୍କିତଙ୍କୁ ଡ୍ରାଇଭ କରିବାକୁ ଯାଇ ସର୍ଟ ମିଡ୍ ୱିକେଟରେ ସୁରେଶ ରାଇନାଙ୍କୁ ସହଜ କ୍ୟାଚ୍ ଦେଇ ନିଜର ଚତୁର୍ଥ ଶତକରୁ ବଞ୍ଚିତ ହୋଇଥିଲେ। ଶୁଭ୍ରାଂଶୁ ୧୩୬ ବଲ୍‌ ‌ଖେଳି ୧୪ ଚୌକା ସହାୟତାରେ ୮୭ ରନ୍ କରିଥିଲେ। ଏହା ପରେ ସୁଜିତ ଲେଙ୍କା ଯୁବ ତାରକା ଦେବବ୍ରତ ପ୍ରଧାନ (୨୪, ୫୦ ବଲ, ୪ ଚୌକା)ଙ୍କୁ ସାଥୀ କରି ସପ୍ତମ ୱିକେଟ୍‌ ଭାଗୀଦାରିରେ ୫୨ ରନ୍ ଯୋଡ଼ିଥିଲେ। ନିମ୍ନକ୍ରମରେ ଅନ୍ୟତମ ଯୁବ ତାରକା ରାଜେଶ ମହାନ୍ତି (୨୩, ୧୫ ବଲ, ୪ ଚୌକା, ୧ ଛକା) ମଧ୍ୟ ଉପଯୋଗୀ ପାଳି ଖେଳିବାରୁ ଓଡ଼ିଶା ୨୫୦ ଟପି ଯାଇଥିଲା। ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ସୁଜିତ ଲେଙ୍କା (୪୬, ୯୮ ବଲ, ୪ ଚୌକା) ନିଜ ପ୍ରଥମ ଅର୍ଧଶତକ ସୁଯୋଗ ହରାଇଥିଲେ। ପପୁ ରୟଙ୍କୁ ବୋଲଡ୍‌ କରି ବାମହାତୀ ସ୍ପିନର ସୌରଭ କୁମାର ଓଡ଼ିଶା ପାଳିକୁ ୨୫୬ରେ ସୀମିତ ରଖିଥିଲେ। ଉତ୍ତରପ୍ରଦେଶ ପକ୍ଷରୁ ଅଙ୍କିତ ରାଜପୁତ, ୟାଶ ଦୟାଲ ୩-୩ ଏବଂ ଅକ୍ଷଦୀପ ନାଥ ଓ ସୌରଭ କୁମାର ୨-୨ ୱିକେଟ୍‌ ଅକ୍ତିଆର କରିଥିଲେ।
ଜବାବରେ ଉତ୍ତରପ୍ରଦେଶକୁ ପ୍ରଥମରୁ ଝଟକା ‌ଦେଇଥିଲେ ବସନ୍ତ ମହାନ୍ତି। ମାତ୍ର ୩ ଦିନ ତଳେ ପିତାଙ୍କୁ ହରାଇଥିବା ବସନ୍ତ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ତଥା ୱିକେଟରକ୍ଷକ ଉପେନ୍ଦ୍ର ଯାଦବ (୧୨)ଙ୍କୁ ଲେଗ୍ ବିଫୋର ୱିକେଟ୍‌ କରି‌ନେଇଥିଲେ। ଏହା ପରେ କିନ୍ତୁ ମାଧବ କୌଶିକ (୧୬*, ୬୬ ବଲ) ଏବଂ ମହମ୍ମଦ ସୈଫ (୨୪*, ୪୦ ବଲ) ଦିନର ଅବଶିଷ୍ଟ ଭାଗକୁ ‌ଖେଳି ଓଡ଼ିଶାକୁ ୱିକେଟରୁ ବଞ୍ଚିତ ରଖିଥିଲେ। ବସନ୍ତ ଏକମାତ୍ର ୱିକେଟ୍‌ ପାଇଥିଲେ ମଧ୍ୟ ରାଜେଶ ମହାନ୍ତି ଚମତ୍କାର ବୋଲିଂ ଚିତ୍ର (୫-୦-୫-୦) ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୬୮.୧ ଓଭରରେ ୨୫୬ (ଶୁଭ୍ରାଂଶୁ ସେନାପତି-୮୭, ସୁଜିତ ଲେଙ୍କା-୪୬, ଗୋବିନ୍ଦ ପୋଦ୍ଦାର-୩୯, ଦେବବ୍ରତ ପ୍ରଧାନ-୨୪, ରାଜେଶ ମହାନ୍ତି-୨୩, ଅଙ୍କିତ ରାଜପୁତ-୩/୬୧, ୟାଶ ଦୟାଲ-୩/୬୨, ଅକ୍ଷଦୀପ ନାଥ-୨/୧୬, ସୌରଭ କୁମାର-୨/୫୮)। ଉତ୍ତରପ୍ରଦେଶ ପ୍ରଥମ ପାଳି: ୧୮ ଓଭରରେ ୪୨/୧ (ମହମ୍ମଦ ‌ସୈଫ-୨୪*, ମାଧବ କୌଶିକ-୧୬*, ବସନ୍ତ ମହାନ୍ତି-୧/୧୪)।

ଦୁଃଖ ଲାଗୁଛି: ଶୁଭ୍ରାଂଶୁ
ଶତକ ହରାଇଥିବାରୁ ଦୁଃଖ ଲାଗୁଛି। ଶତକ ପୂରଣ ସହିତ ମୁଁ ଦଳକୁ ଆଗକୁ‌ ନେଇ ପାରିଥାନ୍ତି। ତଥାପି ଭଲ ଖେଳିଥିବାରୁ ସନ୍ତୁଷ୍ଟ ରହିଛି ବୋଲି କହିଛନ୍ତି ଓଡ଼ିଶାର ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଶୁଭ୍ରାଂଶୁ ସେନାପତି। ବଲ୍ ଯେଭଳି ଆସିବା କଥା ଆସିଲା ନାହିଁ, ମୁଁ ଜଲଦି ଖେଳି ୱିକେଟ୍‌ ହରାଇ ଦେଲି। ଦଳ ୫ ୱିକେଟ୍‌ ହରାଇବା ପରେ ସୁଜିତ ଲେଙ୍କାଙ୍କ ସହିତ ବଡ଼ ଭାଗୀଦାରି କରିବାକୁ ମଝିରେ ମଝିରେ ଆଲୋଚନା କରୁଥିଲୁ କିନ୍ତୁ ସମ୍ପୂର୍ଣ୍ଣ ସଫଳ ହେଲୁ ନାହିଁ। ମନରେ ବିଶ୍ବାସ ଆସୁଥିଲା ୩୦୦/୩୫୦ ରନ୍ ହୋଇଯିବ। ମୋ ୱିକେଟ ଯିବା ପରେ ସମ୍ଭବ ହେଲା ନାହିଁ। ତଥାପି ୨୫୬ ରନ୍ ଏକ ଭଲ ମୋଟ। ଦ୍ବିତୀୟ ଦିନ ସକାଳେ ଆମ ବୋଲର ୱିକେଟ୍‌ ନେଇ ପାରିଲେ ମ୍ୟାଚ୍ ସନ୍ତୁଳିତ ସ୍ଥିତିକୁ ଆସିପାରିବ ବୋଲି କହିଥିଲେ ଶୁଭ୍ରାଂଶୁ।
ଓଡ଼ିଶା ରନ୍ ହାର ଚିନ୍ତାରେ ପକାଇଥିଲା: ଅକ୍ଷଦୀପ
ଓଡ଼ିଶା ବ୍ୟାଟିଂ କରିବା ବେଳେ ଏହି ଦଳର ଉନ୍ନତ ରନ୍ ହାର ମୋତେ ଚିନ୍ତାରେ ପକାଇଥିଲା ବୋଲି କହିଛନ୍ତି ଉତ୍ତରପ୍ରଦେଶ ଅଧିନାୟକ ଅକ୍ଷଦୀପ ନାଥ। ଓଡ଼ିଶାକୁ ଅଧିକ ୩୦/୪୦ ରନ୍ ଦେଇଥିଲେ ବି ଆମେ ଘରୋଇ ଦଳକୁ ପ୍ରଥମ ଦିନରେ ଅଲ୍‌ଆଉଟ୍ କରି ନିଜ ଲକ୍ଷ୍ୟରେ ସଫଳ ହୋଇଛୁ। ଏବେ ଯେତେ ସମ୍ଭବ ଲମ୍ବା ଖେଳି ଅଗ୍ରଣୀ ନେଲେ ଆମ ପାଇଁ ସୁଯୋଗ ରହିବ। ପ୍ରଥମ ମ୍ୟାଚ୍‌ ଭଳି ୫୦୦ରୁ ଊର୍ଧ୍ବ ରନ୍ ନ ‌ହେଲେ ବି ଆମେ ୪/୫ ସେସନ୍ ବ୍ୟାଟିଂ କରିବା ଲକ୍ଷ୍ୟରେ ରହିଛୁ। ୱିକେଟ୍‌ ସ୍ପୋର୍ଟିଂ ରହିଛି। ନିଜକୁ ପ୍ରୟୋଗ କରି ଖେଳିଲେ ବଡ଼ ସ୍କୋର ମିଳିବ ଏବଂ ଆଉଟଫିଲ୍‌ଡ ଭଲ ଥିବାରୁ ନିଜ ସଟ୍‌ର ମୂଲ୍ୟ ମିଳିବ ବୋଲି କହିଥିଲେ ଅକ୍ଷଦୀପ। ସକାଳେ ବଲ୍ ସୁଇଙ୍ଗ କରୁଥିବା ବେଳେ ‌ଗୋବିନ୍ଦ ପୋଦ୍ଦାର ଭଲ ଖେଳିଥିଲେ ଏବଂ ପରେ ଶୁଭ୍ରାଂଶୁ ପ୍ରଭାବୀ ବ୍ୟାଟିଂ କରିଥିଲେ ବି ଦୁର୍ଭାଗ୍ୟଜନକ ଭାବେ ଶତକରୁ ବଞ୍ଚିତ ହେଲେ ବୋଲି କହିଥିଲେ ଅକ୍ଷଦୀପ।

ବସନ୍ତଙ୍କ ନୂଆ ଉଦାହରଣ
ଓଡ଼ିଶା ରଣଜୀ ଦଳର ପ୍ରମୁଖ ଅଙ୍ଗ ପାଲଟିଥିବା ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତି ନିଜ ବ୍ୟକ୍ତିଗତ ଦୁଃଖକୁ ପଛରେ ପକାଇ ଏକ ନୂଆ ଉଦାହରଣ ଛାଡ଼ିଛନ୍ତି। ପିତାଙ୍କ ଅସୁସ୍ଥତା କାରଣରୁ ହରିଆଣା ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଦୂରେଇ ରହିଥିବା ବସନ୍ତ ଏହି ମ୍ୟାଚରେ ପ୍ରତ୍ୟାବର୍ତନ କରିଛନ୍ତି। ଗୁରୁବାର ପିତାଙ୍କ ଦେହାନ୍ତ ଘଟିଥିଲେ ମଧ୍ୟ ସେ ଗୋଟିଏ ଦିନ ପରେ ଓଡ଼ିଶା ଶିବିରରେ‌ ଯୋଗ ଦେଇ ନୂଆ ଉଦାହରଣ ଛାଡ଼ିଛନ୍ତି। ୧୯୯୯ ମସିହା ଇଂଲଣ୍ଡ ବିଶ୍ବକପ୍ ବେଳେ ପିତାଙ୍କୁ ହରାଇବା ପରେ ‌ସ୍ବଦେଶ ଫେରି ସଚିନ ତେନ୍ଦୁଲକର ପୁଣି ଦଳରେ ଯୋଗଦେବା ଭଳି ବସନ୍ତ ମଧ୍ୟ ଓଡ଼ିଶା କ୍ରିକେଟରେ ବିରଳ ପରମ୍ପରା ସଂଯୋଗ କରିଛନ୍ତି। ‘ବାପାଙ୍କ ପାଇଁ ହିଁ ମୁଁ କ୍ରିକେଟର୍ ପାଲଟିଥିଲି। ପ୍ରତ୍ୟେହ ସେ ସବୁ ଖବରକାଗଜ ପଢ଼ି ମୋତେ ଅନୁସରଣ କରୁଥିଲେ। ଦେହାନ୍ତର କିଛି ଦିନ ପୂର୍ବରୁ ତୁ ବ୍ୟସ୍ତ ହୁଅନା, ଖେଳିବାକୁ ଯାଆ, ମୋର କିଛି ହେବାର ନାହିଁ ବୋଲି କହୁଥିଲେ’ ବୋଲି ଭାବବିହ୍ବଳ ବସନ୍ତ ପ୍ରକାଶ କରିଛନ୍ତି। ସୋମବାର ପ୍ରଥମ ଦିନରେ ମିଳିଥିବା ସୀମିତ ସୁଯୋଗ ଭିତରେ ବସନ୍ତ ୪* ରନ୍ ଏବଂ ୧ ୱିକେଟ୍‌ ନେଇଛନ୍ତି। ମଙ୍ଗଳବାର ତାଙ୍କ ପ୍ରଦର୍ଶନ ହିଁ ନିର୍ଣ୍ଣାୟକ ହେବ। ମଙ୍ଗଳବାର ସକାଳ ହିଁ ନିର୍ଣ୍ଣାୟକ, ମ୍ୟାଚ୍‌ରେ କିଛି ବି‌ ହୋଇପାରେ ବୋଲି କହିଛନ୍ତି ବସନ୍ତ ମହାନ୍ତି।

ସମ୍ବନ୍ଧିତ ଖବର