ସଚିନଙ୍କ ଦ୍ବିଶତକ ଟେଷ୍ଟ୍‌ କୀର୍ତ୍ତିମାନକୁ କୋହଲି ଭାଙ୍ଗି ପାରିବେନି: ସେହବାଗ

ନୂଆଦିଲ୍ଲୀ: କେବଳ‌ ଗୋଟିଏ କୀର୍ତ୍ତିମାନକୁ ଛାଡ଼ିଦେଲେ ସଚିନ ତେନ୍ଦୁଲକରଙ୍କର ଅଧିକାଂଶ କୀର୍ତ୍ତି ପଛରେ ପଡ଼ିଯିବ। ଏହି ଏକମାତ୍ର କୀର୍ତ୍ତିଟି ହେଉଛି ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିବା। ଅନ୍ୟ ସବୁ କ୍ରିକେଟ କୀର୍ତ୍ତିଗୁଡିକୁ ବିରାଟ କୋହଲି ଭାଙ୍ଗି ପାରିବେ। କେବଳ କୋହଲି ହିଁ ପାରିବେ ବୋଲି ଭାରତୀୟ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତଥା ନିଜର ରୋକଠୋକ୍‌ ଟିପ୍ପଣୀ ପାଇଁ ପରିଚିତ ବୀରେନ୍ଦ୍ର ସେହବାଗ୍‌ ମତ ରଖିଛନ୍ତି। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ସବୁଠୁ ବଡ଼ ମ୍ୟାଚ୍‌ ବିଜେତା ଭାବେ ସେହବାଗଙ୍କ ଖ୍ୟାତି ରହିଛି। ସେ ନିଜର ଏକଦା ଆଦର୍ଶ ଏବଂ ପରେ ଦଳୀୟ ସାଥୀ ବନିଥିବା ସଚିନ୍‌ଙ୍କ ସଂପର୍କରେ ଏଭଳି ଖୋଲା କଥା କହିଛନ୍ତି। ସେହବାଗଙ୍କ କହିବା କଥା, ଏବର ଅଧିନାୟକ ବିରାଟ କୋହଲି ସଚିନ୍‌ଙ୍କ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ଶତକ କୀର୍ତ୍ତିମାନକୁ ପଛରେ ପକାଇବାର ନିକଟତର ହୋଇଛନ୍ତି। କୋହଲି ଯେପରି ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ଶତକ ହାସଲ କରିଚାଲିଛନ୍ତି ଏବଂ ରନ୍‌ ମଧ୍ୟ ସଂଗ୍ରହ କରୁଛନ୍ତି ସେଥିରେ ମୁଁ ନିଶ୍ଚିତ ଯେ ସେ ସଚିନ୍‌ଙ୍କ ଅଧିକାଂଶ କୀର୍ତ୍ତିମାନ ଭାଙ୍ଗି ଦେଇପାରିବେ। ସେ ଉଭୟ ଦିନିକିଆ ଓ ଟେଷ୍ଟ୍‌ ଶତକ ସାଙ୍ଗକୁ ସର୍ବାଧିକ ରନ୍‌ ସଂଗ୍ରହରେ ହୁଏତ ସଚିନ୍‌ଙ୍କୁ ଟପି ଯାଇପାରନ୍ତି। ଦିନିକିଆରେ ସଚିନ୍‌ ୪୯ ଶତକ (୪୬୩ ମ୍ୟାଚ୍‌, ୪୫୨ ପାଳି) ଜମାଇଥିଲା ବେଳେ କୋହଲି ଇତି ମଧ୍ୟରେ ୪୩ ଶତକ (୨୩୯ ମ୍ୟାଚ୍‌, ୨୩୦ ପାଳି) ମାରି ସାରିଲେଣି। ପୁଣି ଟେଷ୍ଟ୍‌ରେ ସଚିନ୍‌ଙ୍କ ୫୧ ଶତକ (୨୦୦ ମ୍ୟାଚ୍‌, ୩୨୯ ପାଳି) ଜବାବରେ କୋହଲି ୨୫ ଶତକ (୭୭ ଟେଷ୍ଟ୍‌, ୧୩୧ ପାଳି) ହାସଲ କରି ସାରିଲେଣି। ଦିନିକିଆ ଆନ୍ତର୍ଜାତିକରେ ସଚିନ୍‌ଙ୍କ ହାରାହାରି (୪୪.୮୩) ତୁଳନାରେ କୋହଲିଙ୍କ ହାରାହାରି (୬୦.୩୧) ଢେର ଉପରେ ରହିଛି। ସଚିନ୍‌ଙ୍କ ଗୋଟିଏ କୀର୍ତିମାନ ଭାଙ୍ଗିବାରେ କୋହଲି କି ଅନ୍ୟ କେହି ଆଦୌ ସମର୍ଥ ହୋଇପାରିବେନି। ସେଇଟି ହେଲା ସଚିନ୍‌ ଖେଳିଥିବା ୨୦୦ ଟେଷ୍ଟ। ତେଣୁ ମୁଁ ଭାବୁନାହିଁ, ସଚିନ୍‌ଙ୍କ ଏହି କୀର୍ତ୍ତିମାନକୁ କୌଣସି ବି ‌କ୍ରିକେଟର୍‌ ଭାଙ୍ଗିବାରେ ସମର୍ଥ ହେବେ। ୨୦୦ରୁ ଅଧିକ ଟେଷ୍ଟ୍‌ ମ୍ୟାଚ୍‌ କେହି ବି ଖେଳିପାରିବେ ଏକଥା ମୁଁ ଭାବିପାରୁନାହିଁ ବୋଲି ସେହବାଗ କହିଛନ୍ତି।

ସମ୍ବନ୍ଧିତ ଖବର