ସେମିଫାଇନାଲ୍‌ ଲଢ଼େଇ ଆଜି

:ବ୍ରାଜିଲ-ଇଂଲଣ୍ଡ, ମାଲି-ସ୍ପେନ୍‌ ମୁହାଁମୁହିଁ

ମୁମ୍ବାଇ/ କୋଲ୍‌କାତା,: ବୁଧବାର ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର ଦୁଇଟି ଯାକ ସେମିଫାଇନାଲ୍‌ ମ୍ୟାଚ୍‌ କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଏବଂ ନଭି ମୁମ୍ବାଇସ୍ଥିତ ଡକ୍ଟର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। କୋଲ୍‌କାତାରେ ବ୍ରାଜିଲ ଓ ଇଂଲଣ୍ଡ ଏବଂ ନଭି ମୁମ୍ବାଇରେ ମାଲି ଓ ସ୍ପେନ୍‌ ମଧ୍ୟରେ ସେମିଫାଇନାଲ୍‌ ଲଢ଼େଇ ହେବ। କ୍ୱାର୍ଟର୍‌ ଫାଇନାଲ୍‌ରେ ତିନି ଥର ବିଜେତା ବ୍ରାଜିଲ ୨-୧ ଗୋଲ୍‌ରେ ଜର୍ମାନିକୁ ଏବଂ ଇଂଲଣ୍ଡ ୪-୧ ଗୋଲ୍‌ରେ ଆମେରିକାକୁ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଥିଲା। ସେହିପରି ମାଲି ୨-୧ ଗୋଲ୍‌ରେ ୨ ଥରର ବିଜେତା ଘାନାକୁ ଏବଂ ସ୍ପେନ୍‌ ୩-୧ ଗୋଲ୍‌ରେ ଇରାନ୍‌କୁ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି।
ବର୍ଷା ଯୋଗୁଁ ପଡ଼ିଆ ଖେଳଉପଯୋଗୀ ହୋଇନପାରିବାରୁ ଗୌହାଟିରେ ହେବାକୁଥିବା ପ୍ରଥମ ସେମିଫାଇନାଲ୍‌ କୋଲ୍‌କାତାକୁ ସ୍ଥାନାନ୍ତର ହୋଇଥିଲା। କୋଲ୍‌କାତାରେ ମଧ୍ୟ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ତାହା ପୂର୍ବରୁ ବ୍ରାଜିଲ ଓ ଇଂଲଣ୍ଡ ଏଠାରେ ସେମିଫାଇନାଲ୍‌ ଖେଳି ପଡ଼ିଆକୁ ପରଖିବାର ସୁଯୋଗ ପାଇଯିବେ। ଉଭୟ ଦଳ ମଧ୍ୟରେ ପୂର୍ବରୁ ଦୁଇ ଥର ମୁକାବିଲା ହୋଇଥିଲା। ୨୦୦୭ କୋରିଆରେ ଇଂଲଣ୍ଡ ୨-୧ ଗୋଲ୍‌ରେ ବ୍ରାଜିଲ୍‌କୁ ହରାଇଥିଲା ବେଳେ ୨୦୧୫ ଚିଲିରେ ବ୍ରାଜିଲ ୧-୦ ଗୋଲ୍‌ରେ ଜିତି ଏହାର ପ୍ରତିଶୋଧ ନେଇଥିଲା। ବ୍ରାଜିଲ ପକ୍ଷରୁ ଚଳିତ ବିଶ୍ୱକପ୍‌ରେ ପାଉଲିନ୍‌, ଆଲାନ୍‌, ଲିଦ୍‌କୋଲ୍‌ନ ଏବଂ ବ୍ରିନର ନିଜ ନିଜ ଚମକ ଦେଖାଇ ସାରିଛନ୍ତି। ଫଳରେ ଏମାନଙ୍କ ଉପରେ ପ୍ରଶିକ୍ଷକ କାର୍ଲୋସ ଆମାଦିଉଙ୍କ ମୁଖ୍ୟ ନଜର ରହିବ। ଅନ୍ୟ ପକ୍ଷରେ ପ୍ରଥମ ଥର ଲାଗି ସେମିଫାଇନାଲ୍‌ ଖେଳିବାକୁ ଯାଉଥିବା ଇଂଲଣ୍ଡ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି। ଦଳ ପକ୍ଷରୁ ରିଆନ୍‌ ବ୍ରିଉଷ୍ଟର ସର୍ବାଧିକ ୪ ଗୋଲ୍‌ ଦେଇଛନ୍ତି। ଇଂଲଣ୍ଡ ପ୍ରଶିକ୍ଷକ ଷ୍ଟିଭ୍‌ କପର୍‌ ବ୍ରାଜିଲକୁ ମାତ୍‌ ଦେବାକୁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।
ନଭି ମୁମ୍ବାଇରେ ଖେଳା ଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ମାଲିକୁ ଭେଟିବ ସ୍ପେନ୍‌। ମାଲି ଗତ ସଂସ୍କରଣରେ ପ୍ରଥମ ଥର ସେମିଫାଇନାଲ୍‌ରେ ପହଞ୍ଚି ଉପବିଜେତା ହୋଇଥିଲା। ଫଳରେ ଏଥର ମଧ୍ୟ ଫାଇନାଲ୍‌ରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ଦଳ ପକ୍ଷରୁ ଲାସାନା ଦିଆଏ (୫ ଗୋଲ୍‌) ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ରହିଛିନ୍ତି। ଅନ୍ୟପକ୍ଷରେ ସ୍ପେନ୍‌ ଷଷ୍ଠ ଥର ଲାଗି ସେମିଫାଇନାଲ୍‌ ଖେଳିବାକୁ ଯାଉଛି। ଏଥି ମଧ୍ୟରୁ ୩ ଥର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ପ୍ରତ୍ୟେକ ଥର ଟ୍ରଫି ଜିତିବାରେ ବିଫଳ ହୋଇଛି। ଫଳରେ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ସ୍ପେନ୍‌ ଏଥର ମଧ୍ୟ ଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ।

ସମ୍ବନ୍ଧିତ ଖବର