ମ୍ୟାଚ୍ ବାତିଲ ହେଲେ ୧୩୭ କୋଟି କ୍ଷତି

ଚଳିତ ବିଶ୍ବକପ୍‌ର ପ୍ରଥମ ଦୁଇ ସପ୍ତାହରେ ତିନିଟି ମ୍ୟାଚ୍ ବାତିଲ ହୋଇଛି। ଭାରତ-ପାକିସ୍ତାନ ମ୍ୟାଚ୍ ସହ ଆଗକୁ ଆହୁରି କିଛି ମ୍ୟାଚ୍ ଧୋଇ ଯିବାର ଆଶଙ୍କା ରହିଛି। ୩ ବାତିଲ ମ୍ୟାଚ୍ ଏବଂ ଗୋଟିଏ ଫଳାଫଳ ମିଳି ନଥିବା ମ୍ୟାଚ୍‌ ପାଇଁ ଆଇସିସିର ଏପର୍ଯ୍ୟନ୍ତ ପାଖାପାଖି ୧୮୦ କୋଟି ଟଙ୍କାର କ୍ଷତି ହୋଇଛି। ହେଲେ ରବିବାରର ଭାରତ-ପାକିସ୍ତାନ ମ୍ୟାଚ୍ ଯଦି ବର୍ଷା ପାଇଁ ବାତିଲ ହୁଏ, ତାହାଲେ ଆଇସିସିକୁ ସବୁଠାରୁ ବଡ଼ ଝଟ୍‌କା ଲାଗିବ। ଏହି ମ୍ୟାଚ୍‌ର ଆର୍ଥିକ କ୍ଷତି ପରିମାଣ ପାଖାପାଖି ୧୩୭.୫ କୋଟି ଟଙ୍କା ହେବ। ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ ୬୦,୦୦୦ରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା ବେଳେ ବିଜ୍ଞାପନଦାତାଙ୍କଠାରୁ ପ୍ରସାରଣକାରୀ ସଂସ୍ଥା ୫୦ ପ୍ରତିଶତ ଅଧିକ ଅର୍ଥ ନେଇଛି। ମ୍ୟାଚ୍ ନହେଲେ ଏସବୁ ଅର୍ଥ ଫେରାଇବାକୁ ପଡ଼ିବ। ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟ୍ସର ବିଶ୍ବକପ୍ ପାଇଁ ୫,୫୦୦ ସେକେଣ୍ଡ ବିଜ୍ଞାପନ ସମୟ ରହିଛି। ଏହି ସମୟ ପାଇଁ ବିଜ୍ଞାପନଦାତାଙ୍କୁ ପ୍ରତି ସେକେଣ୍ଡ ପିଛା ୧.୬ରୁ ୧.୮ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଭାରତ-ପାକିସ୍ତାନ ମ୍ୟାଚ୍ ଲାଗି ଏହି ଦର କିନ୍ତୁ ୨.୫ ଲକ୍ଷ ଟଙ୍କା ରହିଛି। ଆଇସିସି ବିଶ୍ବକପର ବୀମା ଥିବାରୁ ଏସମସ୍ତ କ୍ଷତି ବୀମା କଂପାନିଗୁଡ଼ିକୁ ସହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର