ଭାରତ ପାଇଁ ୧୫ ସୂତ୍ର 

0 603

ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍‍ ଶୃଙ୍ଖଳା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ କଷ୍ଟକର ପରୀକ୍ଷା ନେଇ ଆସିଛି। ଇଂଲଣ୍ଡରେ ଭାରତର ପ୍ରତୀକ୍ଷିତ ଶୃଙ୍ଖଳା ବିଜୟ ହେଉ ଅବା ତାଙ୍କ ବ୍ୟକ୍ତିଗତ ସଫଳତା ସବୁକିଛି ଲାଗିବ ବାଜିରେ। ତେବେ ଭାରତକୁ ଏହି ୫ ମ୍ୟାଚ୍‌ ଟେଷ୍ଟ୍‍ ଶୃଙ୍ଖଳା ଜିତିବା ଲାଗି କ’ଣ କ’ଣ କରିବାକୁ ପଡ଼ିବ ବିଶେଷଜ୍ଞମାନେ ରଖିଛନ୍ତି ୧୫ଟି ସୂତ୍ର। କୋହଲିଙ୍କୁ ଏହି ୧୫ଟିକୁ ଠିକ୍‌ ରଖିବାକୁ ପଡ଼ିବ।
୧: କ୍ୟାଚ୍‌ କର୍ଡନ୍‌
ଭାରତର ନୂଆ ସ୍ଲିପ୍‌ କର୍ଡନ୍‌ ୨୦୧୩-୧୪ରୁ ରହିଛି। ଗତ ଡିସେମ୍ବରରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବାବେଳେ ଦ୍ରୁତ ବୋଲରମାନେ ଦେଇଥିବା କ୍ୟାଚ୍‌ ମଧ୍ୟରୁ ୩୨ଟି ଧରିଥିଲେ, ୪୫ଟି ଛାଡ଼ିଥିଲେ। କେପ୍‌ ଟାଉନ୍‌ରେ ଭାରତ କେଶବ ମହାରାଜଙ୍କ କ୍ୟାଚ୍‌ ଛାଡ଼ିଥିଲା ଏବଂ ଦ୍ୱିତୀୟ ଟେଷ୍ଟ୍‍ରେ ସେଞ୍ଚୁରିଅନ୍‌ରେ ଅନେକ କ୍ୟାଚ୍‌ ଛାଡ଼ି ହାରିଯିବାରୁ ଘରୋଇ ଦଳ ୨-୦ରେ ଜିତିଥିଲା। ତୃତୀୟ ଟେଷ୍ଟ୍‍ରେ ଓ୍ଵଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା ବିରାଟ କୋହଲିଙ୍କ କ୍ୟାଚ୍‌ ଛାଡ଼ିଥିଲା ଏବଂ ଭାରତ ନିଜର ସବୁ କ୍ୟାଚ୍‌ ନେଇ ଜୋହାନେସବର୍ଗରେ ବିଜୟୀ ହୋଇଥିଲା। ୨୦୧୩ ମସିହାରୁ ଦେଖିଲେ ଭାରତର ସ୍ଲିପ୍‌ କର୍ଡନ୍‌ ୩୮ କ୍ୟାଚ୍‌ ନେଇଥିଲେ ମଧ୍ୟ ୪୬ଟି ଛାଡ଼ିଛନ୍ତି।
୨: ବିଜୟ-ପୂଜାରା
ମୁରଲୀ ବିଜୟ ଏବଂ ଚେତେଶ୍ୱର ପୂଜାରାଙ୍କୁ ଆଧୁନିକ କ୍ରିକେଟ୍‌ର ଦୁଇ ଅସ୍ଥିର ପ୍ରଦର୍ଶନକାରୀ କୁହାଯାଉଛି। ଉଭୟ ରକ୍ଷଣାତ୍ମକ ଖେଳିବାରେ ଓସ୍ତାଦ୍‌। ନୂଆ ବଲ୍‌ଠାରୁ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଦୂରେଇ ରଖିବା ବି ଏମାନଙ୍କ କାମ। ଉଭୟ ଅଣପାରମ୍ପାରିକ ସଟ୍‌ ଖେଳିଥାନ୍ତି। ଉଭୟ ରକ୍ଷଣାତ୍ମକ ଖେଳିଥିବା ବେଳେ ହିଁ ଭାରତ ଦକ୍ଷିଣ ଆଫ୍ରିକାରେ ଜିତିଥିଲା। ମୁରଲୀ ବିଜୟ ଏବେ ବଲ୍‌ ଛାଡ଼ିବା ଧାରାକୁ ବନ୍ଦ ରଖିଛନ୍ତି। ୨୦୧୩-୧୪ ଋତୁରେ ଦକ୍ଷିଣ ଆଫ୍ରିକାରେ ସେ ୪୫.୮୧ ପ୍ରତିଶତ ବଲ୍‌ ଛାଡ଼ିଥିବା ବେଳେ ୧୩.୫୫ ବଲ୍‌କୁ ଆକ୍ରମଣ କରିଥିଲେ। ସେହିଭଳି ୨୦୧୪ ଇଂଲଣ୍ଡ ଗସ୍ତରେ ୪୩.୬୪ ପ୍ରତିଶତ ଛାଡ଼ି ୧୮.୯୫ ପ୍ରତିଶତ ଆକ୍ରମଣ କରିଥିଲେ। ଗତ ୨୦୧୭-୧୮ ଗସ୍ତରେ ସେ ୩୫.୫୯ ପ୍ରତିଶତ ଛାଡ଼ିବା ସହିତ ୨୦.୩୪ ପ୍ରତିଶତ ବଲ୍‌କୁ ଆକ୍ରମଣାତ୍ମକ ଖେଳିଥିଲେ।
୩: ଫର୍ମ ବିଚାର
ଭାରତ ବର୍ତମାନ ଫର୍ମରେ ଥିବା ଖେଳାଳିଙ୍କ ମଧ୍ୟରୁ ଦଳ ବାଛିଥାଏ। କିନ୍ତୁ ଟେଷ୍ଟ୍‍ ଶୃଙ୍ଖଳା ପୂର୍ବରୁ ଯଦି ଘରୋଇ କ୍ରିକେଟ୍‌ ଋତୁ ନାହିଁ ତେବେ ଏହା ଟିକିଏ ଅଡ଼ୁଆ। ଗତ ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ ଶର୍ମାଙ୍କୁ ନେଇ ଏଭଳି ହୋଇଥିଲା। ରାହାଣେଙ୍କ ବଦଳରେ ରୋହିତଙ୍କୁ ଖେଳାଯିବାରୁ ପ୍ରଶ୍ନ ଉଠିଥିଲା। କୋହଲି କହିଥିଲେ, ‘ରୋହିତ ଗତ ୩ ଟେଷ୍ଟ୍‍ରେ ରନ୍‌ କରିଥିଲେ ଏବଂ ଭଲ ଖେଳୁଛନ୍ତି। ଆମେ ମଧ୍ୟ ସମାନ କଥା ଶିଖର ଧାଓ୍ଵନଙ୍କ କ୍ଷେତ୍ରରେ ପ୍ରୟୋଗ କରିଥିଲୁ। ବର୍ତମାନର ଫର୍ମ ନିଶ୍ଚିତ ଏକ ମାପକାଠି। ସେହି ଗସ୍ତ ଶେଷରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ, ‘ରାହାଣେ ଭଲ ନ କଲେ ଆପଣମାନେ ରୋହିତ କାହିଁକି ଖେଳୁନାହାନ୍ତି ପ୍ରଶ୍ନ କରୁଛନ୍ତି। ରୋହିତ ଖେଳିଲେ ଆପଣ ବି ସମାନ ଭାବେ ରାହାଣେ କାହିଁକି ସୁଯୋଗ ପାଇଲେ ନାହିଁ ବୋଲି ପ୍ରଶ୍ନ କରିବେ।
୪: ସ୍ପିନ୍‌କୁ ଅଣଦେଖା କରନାହିଁ
ଭାରତର ବିଦେଶ ବିଜୟ ସାଧାରଣତଃ ଦୁଇ ଶ୍ରେଣୀଭୁକ୍ତ। ସିମିଂ ଟ୍ରାକ୍‌ରେ ସ୍ୱଳ୍ପ ରନ୍‌ କିମ୍ବା ବୋର୍ଡରେ ବଡ଼ ରନ୍‌ କରିବା ପରେ ସ୍ପିନ୍‌..ସ୍ପିନ୍‌..ସ୍ପିନ୍‌ ଉପରେ ଭରସା ରଖିବା। ଇଂଲଣ୍ଡରେ ଶତାବ୍ଦୀ ଭିତରେ ଭାରତ ପାଇଥିବା ଶ୍ରେଷ୍ଠ ୩ ବିଜୟ ସ୍ପିନ୍‌ ସହାୟତାରୁ ହିଁ ସମ୍ଭବ କରିଛି। ଏଥର ଗସ୍ତ ଅଗଷ୍ଟ ଓ ସେପ୍ଟେମ୍ବରରେ ରହିଛି। ପିିଚ୍‌ ଘୋରି ହୋଇ ସାରିଥିବ। ଦୁଇଟି ସ୍ପିନର୍‌ ଖେଳାଇବା ଲାଗି ମୁକ୍ତଚିନ୍ତା ରଖିବା ଭଲ। ଜଣେ କଚଟି ଏବଂ ଜଣେ ଅଙ୍ଗୁଳି ସ୍ପିନର୍‌। ଆର୍‌ ଅଶ୍ୱିନ୍‌ଙ୍କୁ ଅଲ୍‌ରାଉଣ୍ଡ୍‌ର ଦାୟିତ୍ୱରେ ଦେଖାଯାଇପାରିବ। ୨୦୦୦ ମସିହା ପରେ ଭାରତର ବିଦେଶ ବିଜୟରେ ଦ୍ରୁତ ବୋଲରଙ୍କ ଅବଦାନ ୨୬.୧୮ ଏବଂ ସ୍ପିନର୍‌ଙ୍କ ଅବଦାନ ୧୩.୯୮ ପ୍ରତିଶତ। ଏହି ପରିସଂଖ୍ୟାନ କେବଳ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ଗସ୍ତକୁ ନେଇ ପ୍ରସ୍ତୁତ।
୫: ରାହାଣେଙ୍କୁ ରଖ
ଅଜିଙ୍କ୍ୟ ରାହାଣେଙ୍କୁ ଆଦୌ ବାଦ୍‌ ନ ଦେବା ଠିକ୍‌ ହେବ। ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ଭାରତକୁ ମିଳିଥିବା ବିଗତ ୨ ଗୁରୁତ୍ୱପୂର୍ଣ୍ଣ ବିଜୟରେ ରହିଥିଲା ତାଙ୍କ ଅବଦାନ। ୨୦୧୪ ମସିହାରେ ଲର୍ଡସ୍‌ରେ ସେ ଶତକ ଜମାଇବା ସହିତ ନିମ୍ନକ୍ରମଙ୍କୁ ନେଇ ଘାସୁଆ ପିଚ୍‌ରେ ଭଲ ଖେଳିଥିଲେ। ସେହିଭଳି ଓ୍ଵଣ୍ଡରର୍ସରେ ସେ ଗସ୍ତର ପ୍ରଥମ ମ୍ୟାଚ୍‌ ଖେଳି ଦ୍ୱିତୀୟ ପାଳିରେ ଭାରତର ସର୍ବାଧିକ ରନ୍‌ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ପଶ୍ଚାତଧାବନ ସମ୍ଭାବନାଠୁ ଦୂରେଇ ରଖିଥିଲେ। ୨୦୧୩ ପରଠାରୁ ରାହାଣେ ଖେଳିଥିବା ଟେଷ୍ଟ୍‍ ଉପରେ ନଜର ପକାଇଲେ ମଧ୍ୟ ତାଙ୍କ ଦାବୀଦାରି ରହୁଛି। ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ରାହଣେ (୪୬.୯୧%)ଙ୍କଠାରୁ କେବଳ ବିରାଟ କୋହଲି (୫୨.୧୧%) ଅଧୀନ ପ୍ରତିଶତରେ ରନ୍‌ କରିଛନ୍ତି। ମୁରଲୀ ବିଜୟ (୩୯.୫୭) ଏବଂ ଚେତେଶ୍ୱର ପୂଜାରା (୩୧.୩୦) କେବଳ ୩୦ ହାରଠୁ ଉପରେ ରହିଛନ୍ତି। ଏସିଆ ଓ େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତକୁ ସାମିଲ କଲେ ପୂଜାରା (୬୦.୩୯), କୋହଲି (୬୦.୨୬), ଧାଓ୍ଵନ (୫୪.୦୮), ବିଜୟ (୪୪.୦୦), ରୋହିତ (୪୩.୪୭)ଙ୍କ ତଳେ ରାହାଣେ (୪୨.୯୦) ରହିଛନ୍ତି।
୬: ଓ୍ଵିକେଟ୍‌ରକ୍ଷକଙ୍କଠୁ ରନ୍‌
ରିଦ୍ଧିମାନ ସାହା ଘରୋଇ ମାଟିରେ ଭଲ କରୁଛନ୍ତି, କିନ୍ତୁ ପାର୍ଥିବ ପଟେଲଙ୍କ ଭଳି ଦକ୍ଷିଣ ଆଫ୍ରିକାରେ କିଛି କରି ପାରିନଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଶୂନ୍ୟତା ଏବେ ଅପୂରଣୀୟ। ଦୀନେଶ କାର୍ତିକ ଏବଂ ଋଷବ ପନ୍ତ୍‌ ଏବେ ଏହି ଦୌଡ଼ରେ। ଯେଉଁ ପ୍ରମୁଖ ୪ ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌) କଥା କୁହାଯାଉଛି ସେଠାରେ ଭାରତୀୟ ଓ୍ଵିକେଟ୍‌ରକ୍ଷକଙ୍କ ହାରାହାରି ପ୍ରଦର୍ଶନ ଦେଖନ୍ତୁ। ଧୋନି ୨୦୦୬ରୁ ୨୦୧୪ ମଧ୍ୟରେ ୩୨ ଟେଷ୍ଟ୍‍ରୁ ୩୧.୩୦ ହାରରେ ରନ୍‌ କରିଛନ୍ତି। ପ୍ରାକ୍‌ ଧୋନି ଅବଧି ଦେଖିଲେ ୧୯୯୨ରୁ ୨୦୦୬ ପର୍ଯ୍ୟନ୍ତ ଭାରତୀୟ ଓ୍ଵିକେଟ୍‌ରକ୍ଷକ ୩୨ ମ୍ୟାଚ୍‌ରୁ ୧୮.୫୮ ହାରରେ ଏବଂ ଧୋନି ଅବସର (୧୦୦୫-୨୦୧୮) ପରେ ୪ ମ୍ୟାଚ୍‌ରୁ ୧୨.୩୭ ହାରରେ ରନ୍‌ ଆସିଛି ଓ୍ଵିକେଟ୍‌ରକ୍ଷକଙ୍କ ବ୍ୟାଟ୍‌ରୁ।
୭: କୋହଲି କରିସ୍ମା
ପ୍ରଥମତଃ ବିରାଟ କୋହଲିଙ୍କୁ ଫିଟ୍‌ ରହିବାକୁ ପଡ଼ିବ। ଦ୍ୱିତୀୟରେ ଅଫ୍‌ଷ୍ଟମ୍ପ୍‌ ବାହାରେ ରକ୍ଷଣାତ୍ମକ ସଟ୍‌ ଖେଳି ହାଲକା ଆଉଟ୍‌ରୁ ନିବୃତ୍ତ ରହିବାକୁ ପଡ଼ିବ। ସେ ଆସିବା ମାତ୍ରେ ବଲ୍‌କୁ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ତାଙ୍କୁ ଛାଡ଼ିବା ବଲ୍‌କୁ ଖେଳିବାକୁ ବାଧ୍ୟ କରିଦିଏ। ସେ ବଲ୍‌କୁ ବ୍ୟାଟ୍‌ ମଝିରେ ସଂଯୋଗ କଲେ ରନ୍‌ ପାଇବେ ନାହିଁ, ଏଜ୍‌ ଦେଲେ ଆଉଟ୍‌ ହୋଇଯିବେ, କିନ୍ତୁ କୌଣସି ବଲ୍‌ ତାଙ୍କ ପ୍ୟାଡ୍‌ କି ଷ୍ଟମ୍ପ୍‌ ଛୁଇଁବାର ଡର ରଖୁନାହିଁ। ଏଭଳି ପ୍ରାରମ୍ଭିକ ସମୟରୁ ଥରେ ବାହାରିଗଲେ କୋହଲି ବିଧ୍ୱଂସୀ ସାବ୍ୟସ୍ତ ହେବା କଥା ସମସ୍ତଙ୍କୁ ଜଣା। ୨୦୧୪ ଗସ୍ତରେ କୋହଲି ଭଲ କରିନଥିଲେ। ୬ ଥର ଓ୍ଵିକେଟ୍‌ ପଛପଟେ (ସ୍ଲିପ୍‌-୫, ଓ୍ଵିକେଟ୍‌ରକ୍ଷକ-୧) ଧରାପଡ଼ିଥିଲେ। ଜେମ୍‌ସ ଆଣ୍ଡରସନ୍‌ ୪ ଥର ଆଉଟ୍‌ କରିଥିବାବେଳେ ଷ୍ଟୁଆର୍ଟ ବ୍ରଡ୍‌ ଏବଂ କ୍ରିସ୍‌ ଜୋର୍ଡାନ ଥରେ ଲେଖାଏଁ ପାଇଥିଲେ ଏହି ବଡ଼ ଓ୍ଵିକେଟ୍‌।
୮: ସିମର୍‌ଙ୍କ ବୋଝ ପରିଚାଳନା
ଭାରତକୁ ଏଥର ୬ ସପ୍ତାହ ମଧ୍ୟରେ ୫ ଟେଷ୍ଟ୍‍ ଖେଳିବାକୁ ପଡ଼ିବ। ଭୁବନେଶ୍ୱର କୁମାର ଏବଂ ଯଶପ୍ରୀତ ବୁମରା ଆହତ କାରଣରୁ ଦଳ ବାହାରେ। ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମିଙ୍କୁ ଭାରତର ଭାର ସମ୍ଭାଳିବାକୁ ପଡ଼ିବ। ଆହତ ଖେଳାଳି ଦ୍ୱୟ ଦଳରେ ଯୋଗଦେବା ପରେ ଏମାନଙ୍କୁ ବିରତି ମିଳିଯିବ। ସମସ୍ତଙ୍କୁ ବି ସତେଜତା ମିଳିବ। ଦ୍ରୁତ ବୋଲରଙ୍କୁ ଠିକଣା ଉପଯୋଗ ଏବଂ ପରିଚାଳନା ବଡ଼ କାମ ହେବ ଏହି ଶୃଙ୍ଖଳାରେ। ମୋଟ ୨୫ ଦିନର ଟେଷ୍ଟ୍‍, ୪ ଦିନର ବିମାନଯାତ୍ରା ଏବଂ ୧୩ ଦିନର ବିଶ୍ରାମ/ଅଭ୍ୟାସ ରହିଛି।
୯: ରୁଟ୍‌ଙ୍କୁ ଦିଅନି ସହଜ ରନ୍‌
ଅଷ୍ଟ୍ରେଲୀୟଙ୍କ କୌଶଳ କ୍ରମରେ ଅଧିନାୟକଙ୍କ ପଛରେ ପଡ଼ିଯାଅ। ଜୋ ରୁଟ୍‌ଙ୍କୁ ସହଜରେ ରନ୍‌ ଦିଅନାହିଁ। ବିଦେଶରେ ବିଜୟଶୂନ୍ୟ ଧାରା ଏବଂ ଘରୋଇ ମାଟିରେ ପାକିସ୍ତାନ ସହ ଅମୀମାଂସିତ ଶୃଙ୍ଖଳା ପରେ ଚାପରେ ଅଛନ୍ତି ରୁଟ୍‌। ତାଙ୍କୁ ସହଜରେ ନ ଦେଲେ ଭାରତ ପାଇଁ ସବୁକିଛି ସହଜ ହୋଇଯିବ। ୬୯ ଟେଷ୍ଟ୍‍ ପରେ ରୁଟ୍‌ ବିଜୟରେ ୭୪.୬, ପରାଜୟରେ ୩୪.୨ ଏବଂ ଅମୀମାଂସିତରେ ୫୮.୦୦ ହାରରେ ରନ୍‌ କରିଛନ୍ତି।
୧୦: ଘରୋଇ ପ୍ରଶଂସକଙ୍କୁ ଫିକା କର
ବର୍ମିଂହାମ ଏବଂ ଲଣ୍ଡନ୍‌ରେ ବହୁ ଭାରତୀୟ ପ୍ରଶଂସକ ରହିଛନ୍ତି। ବର୍ମିହାମ୍‌ରୁ ଭାରତର ଟେଷ୍ଟ୍‍ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଭାରତ ଭଲ ପ୍ରଦର୍ଶନ କଲେ ସେମାନେ ନଟିଂହାମ ଏବଂ ସାଉଥାମ୍ପଟନ୍‌ ବି ଯାତ୍ରା କରିପାରିବେ। ଯାହାକି ଘରୋଇ ପ୍ରଶଂସକଙ୍କୁ ବି ହତୋତ୍ସାହିତ କରିପାରିବ।
୧୧: ପ୍ରତିପକ୍ଷ ସ୍ପିନରଙ୍କୁ ଓ୍ଵିକେଟ୍‌ ଦିଅନି
ଶେଷ ଗସ୍ତରେ ମୋଇନ୍‌ ଅଲୀ ଭାରତର ୧୯ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ପର ଶୃଙ୍ଖଳାରେ ଅଷ୍ଟ୍ରେଲିଆର ନାଥନ୍‌ ଲିଅନ୍‌ ୨୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ ଭାରତ ବିପକ୍ଷରେ। କିନ୍ତୁ ପ୍ରତିପକ୍ଷ ସ୍ପିନର୍‌ଙ୍କୁ ଓ୍ଵିକେଟ୍‌ ଦେଲେ ଭାରତ ପୁଣି ଅଡୁଆରେ ପଡ଼ିବ। ୨୦୧୪ ମସିହାରେ ମୋଇନ୍‌ ଅଲୀ ୫ ଟେଷ୍ଟ୍‍ରେ ୨୩ ହାରରେ ୧୯ ଓ୍ଵିକେଟ୍‌ ନେଇଥିଲେ। ଏହା ମଧ୍ୟରେ ସେ ରବୀନ୍ଦ୍ର ଜାଦେଜାଙ୍କୁ ସର୍ବାଧିକ ୩ ଥର, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଷ୍ଟୁଆର୍ଟ ବିନ୍ନିଙ୍କୁ ୨ ଥର ଲେଖାଏଁ, ମୁରଲୀ ବିଜୟ, ଶିଖର ଧାଓ୍ଵନ, ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନିଙ୍କୁ ଥରେ ଲେଖାଏଁ ଶିକାର କରିଥିଲେ।
୧୨: ତୃତୀୟ ସିମର୍‌ଙ୍କ ପଛରେ ପଡ଼
ଜେମ୍‌ସ ଆଣ୍ଡରସନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ ଆଉ ଯୁବ ଖେଳାଳି ହୋଇନାହାନ୍ତି। ତାଙ୍କୁ ଗୋଟିଏ ପରେ ଗୋଟିଏ ସ୍ପେଲ୍‌ ଖେଳିବାକୁ ବାଧ୍ୟ କର। ତୃତୀୟ ସିମରଙ୍କ ପଛରେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ପଡ଼ିବାକୁ ହେବ। କ୍ରିସ୍‌ ଜୋର୍ଡାନ, ବେନ୍‌ ଷ୍ଟୋକ୍‌ସ, ମାର୍କ ଉଡ୍‌, କ୍ରିସ୍‌ ଓ୍ଵକ୍‌ସ, ଷ୍ଟିଭେନ୍‌ ଫିନ୍‌ଙ୍କ ମଧ୍ୟରୁ ଜଣଙ୍କୁ ଧୂଲେଇ କରିବାକୁ ପଡ଼ିବ। ୨୦୧୩ ମସିହା ପରଠାରୁ ଆଣ୍ଡରସନ୍‌ ଏବଂ ବ୍ରଡ୍‌ଙ୍କ ଉପରେ ଇଂଲଣ୍ଡ ନିର୍ଭର କରି ଆସିଛି। ସେମାନଙ୍କ ସମୟ ବି ସରି ସରି ଆସୁଛି।
୧୩: ୬ ବ୍ୟାଟସମ୍ୟାନ୍‌ରେ କୁଣ୍ଠା ନାହିଁ
ଭାରତ ଯଦି ଘାସୁଆ ପିଚ୍‌ରେ ଖେଳୁଛି ତେବେ ୬ ଜଣ ବ୍ୟାଟସମ୍ୟାନ୍‌ଙ୍କୁ ନେଇ ଖେଳିବାରେ କୁଣ୍ଠିତ ହେବା କଥା ନୁହେଁ। ଜୋହାନେସବର୍ଗରେ ଏହାର ଉଦାହରଣ ରହିଛି। ହାର୍ଦିକ ପାଣ୍ଡ୍ୟାଙ୍କ କିଛି ଓଭର ବୋଲିଂ ତୁଳନାରେ ଅତିରିକ୍ତ ବ୍ୟାଟସମ୍ୟାନ୍‌ ଭଲ। ଷ୍ଟୁଆର୍ଟ ବିନ୍ନିଙ୍କ ପରେ ପାଣ୍ଡ୍ୟାଙ୍କ ପ୍ରବେଶ ଉପଯୋଗୀ ହେଉଛି। ବୋଲରଙ୍କୁ ବିରାମ ଆବଶ୍ୟକ ବେଳେ ପାଣ୍ଡ୍ୟାଙ୍କୁ ବ୍ୟବହାର କରାଯାଉଛି। ବ୍ୟାଟିଂ ବେଳେ ବି ତାଙ୍କଠାରୁ କୌଣସି ବୈଷୟିକ ଶ୍ରେଷ୍ଠତ୍ୱର ଆବଶ୍ୟକତା ନାହିଁ।
୧୪: ପୂଜାରାଙ୍କ ରନ୍‌ ଆଉଟ୍‌ ବଦଭ୍ୟାସ
ଭାରତର ନିର୍ଭରଯୋଗ୍ୟ ୩ ନମ୍ବର ଭାବେ ଚେତେଶ୍ୱର ପୂଜାରାଙ୍କ ନାମ ରହିଛି। କିନ୍ତୁ ତାଙ୍କ ରନ୍‌ଆଉଟ୍‌ ବଦଭ୍ୟାସକୁ ହଟାଇବାକୁ ପଡ଼ିବ। ସେ ନିଜେ ରନ୍‌ ଆଉଟ୍‌ ନ ହୁଅନ୍ତୁ କି କାହାରିକୁ ରନ୍‌ ଆଉଟ୍‌ ନ କରନ୍ତୁ।
୧୫: ବିଜୟଙ୍କ ପ୍ରାରମ୍ଭିକ ସାଥୀ
ଭାରତର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କିଏ ହେବେ ଏବଂ କାହାକୁ କେତେ ଟେଷ୍ଟ୍‍ ମିଳିବ ସ୍ଥିର ରହିବା ଉଚିତ। ବୀରେନ୍ଦ୍ର ସେହବାଗଙ୍କ ପ୍ରସ୍ଥାନ ପରଠାରୁ ଶୀର୍ଷରେ ଭାରତକୁ ସ୍ଥାୟୀତ୍ୱ ମିଳିନି। ଶିଖର ଧାଓ୍ଵନ ଏବଂ ଲୋକେଶ ରାହୁଲ ବର୍ତି ରହିଛନ୍ତି। ଏସିଆ-ଇଣ୍ଡିଜ୍‌ ବାହାର ପ୍ରଦର୍ଶନ ଦେଖିଲେ ବିଜୟ-ଧାଓ୍ଵନ ୩୯ ପାଳିରେ ୪୪.୧୮ ହାରରେ ୧୬୭୯ ରନ୍‌ କରିଛନ୍ତି ୮ ଅର୍ଧଶତକ ଭାଗୀଦାରି ସହିତ। ସେହିଭଳି ଧାଓ୍ଵନ-ରାହୁଲ ୯ ପାଳିରେ ୬୪.୫୫ ହାରରେ ୫୮୧ ରନ୍‌ ଏବଂ ବିଜୟ-ରାହୁଲ ୨୦ ପାଳିରେ ୨୩.୫୫ ହାରରେ ୪୭୧ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.