୧୫ ବର୍ଷୀୟ ସାର୍ଦୁଲଙ୍କୁ ଏସିଆଡ୍‌ ପଦକ

ଜାକର୍ତା/ପାଲେମବାଙ୍ଗ: ବାଳୁତ ବୟସରେ ଉତ୍ତରପ୍ରଦେଶ ବନ୍ଧୁକଚାଳକ ସାର୍ଦୁଲ ବିହାନ ବିରାଟ ସଫଳତା ଲାଭ କରିଛନ୍ତି। ଗୁରୁବାର ମାତ୍ର ୧୫ ବର୍ଷ ବୟସରେ ଏସୀୟ କ୍ରୀଡ଼ା ପଦକ ବିଜେତା ହେବାର ଅନନ୍ୟ କୀର୍ତ୍ତିମାନ ହାସଲ କରିଛନ୍ତି ମିରଟର ଏହି ନବମ ଶ୍ରେଣୀ ଛାତ୍ର। ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପୁରୁଷ ଡବଲ୍‌ ଟ୍ରାପ୍‌ରେ ରୌପ୍ୟ ପଦକ ଜିତି ସାର୍ଦୁଲ କେବଳ ଭାରତ ବର୍ଷ ନୁହେଁ ସମଗ୍ର ଏସୀୟ ମହାଦେଶର ବନ୍ଧୁକଚାଳନା ଜଗତରେ ଚହଳ ସୃଷ୍ଟି କରିଛନ୍ତି। ସାଙ୍ଗ ସାଥୀମାନେ ଖେଳକୁଦ ସହ ବୁଲାବୁଲିରେ ବ୍ୟସ୍ତ ଥିଲା ବେଳେ ତିନି ବର୍ଷ ତଳେ ମାତ୍ର ୧୨ ବର୍ଷ ବୟସରେ ବନ୍ଧୁକ ଧରିବା ଆରମ୍ଭ କରିଥିଲେ ସାର୍ଦୁଲ। କିଛି ଦିନ ଭିତରେ ଡବଲ୍‌ ଟ୍ରାପ୍‌ ତାଙ୍କର ପସନ୍ଦର ବର୍ଗ ପାଲଟି ଯାଇଥିଲା। ଗତବର୍ଷର ଜାତୀୟ ସଟ୍‌ଗନ୍‌ ଚାମ୍ପିଅନସିପ୍‌ରେ ଚାରିଟି ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ପାଇଥିଲେ ସେ। ଗୁରୁବାର ଚୟନକର୍ତାଙ୍କ ଭରସା ଏବଂ ନିଷ୍ପତ୍ତିକୁ ସାର୍ଥକ କରି ସାର୍ଦୁଲ ଡବଲ୍‌ ଟ୍ରାପ୍‌ରେ ଅନେକ ଅଭିଜ୍ଞ ସୁଟରଙ୍କୁ ପଛରେ ପକାଇ ରୌପ୍ୟ ପଦକ ଜିତି ନେଇଥିଲେ। ନିଜଠାରୁ ୧୯ ବର୍ଷ ବଡ଼ ତଥା ଦକ୍ଷିଣ କୋରିଆର ଅଭିଜ୍ଞ ସୁଟର ସିନ୍‌ ହିନ୍‌ଉଙ୍କୁ ସେ କଡ଼ା ଟକ୍କର ଦେଇଥିଲେ। ଏପରିିକି ସ୍ୱର୍ଣ୍ଣ ବିଜେତା ସିନ୍‌ ଏବଂ ତାଙ୍କ ଭିତରେ ମାତ୍ର ଗୋଟିଏ ପଏଣ୍ଟ୍‌ର ବ୍ୟବଧାନ ଥିଲା। ସାର୍ଦୁଲ ୭୩ ପଏଣ୍ଟ ଅର୍ଜନ କରିଥିଲା ବେଳେ ସିନ୍‌ ୭୪ ପଏଣ୍ଟ ପାଇଥିଲେ। ଏହି ବର୍ଗର କାଂସ୍ୟ କାତାରର ଅଲ୍‌ ମାରି ହମଦ ଅଲ୍‌ଙ୍କୁୁ ଯାଇଥିଲା। ଏହା ପୂର୍ବରୁ ୨୦୧୦ରେ ରଂଜନ ସୋଢ଼ି ଗୁଆଁଝୁ ଏସୀୟ କ୍ରୀଡ଼ାରେ ଡବଲ ଟ୍ରାପରୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ସେତେବେଳେ ତାଙ୍କୁ ୩୦ ବର୍ଷ ହୋଇଥିଲା।

ସାର୍ଦୁଲଙ୍କ ଐତିହାସିକ ସଫଳତା ସହ ଭାରତ ଏସୀୟ କ୍ରୀଡ଼ାର ପଞ୍ଚମ ଦିନରେ ଆଉ ତିନିଟି ପଦକ ଜିତିଛି। ସେଥିମଧ୍ୟରେ ରହିଛି ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ। ମହିଳା ଏକକ ଟେନିସ୍‌ରେ ଅଙ୍କିତା ରାଇନା ସେମିଫାଇନାଲରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଅନ୍ୟପକ୍ଷରେ ୭ ଥର ବିଜେତା ଭାରତୀୟ ପୁରୁଷ କବାଡ଼ି ଦଳ ସେମିଫାଇନାଲରେ ଅପ୍ରତ୍ୟାଶିତ ଭାବେ ଇରାନଠାରୁ ହାରି କାଂସ୍ୟ ପଦକ ଜିତିଛି। ଭାରତ ଏବେ ସୁଦ୍ଧା ୪ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୦ କାଂସ୍ୟ ସହ ୧୮ ପଦକ ଜିତି ଦଶମ ସ୍ଥାନରେ ରହିଛି।

ତୀରନ୍ଦାଜ ବିଫଳ
ତୀରନ୍ଦାଜୀ ରିକର୍ଭରେ ଭାରତ ଖାଲି ହାତରେ ଫେରିଛି। ପୂର୍ବତନ ଶୀର୍ଷ ମହିଳା ଖେଳାଳି ଦୀପିକା କୁମାରୀ ଦ୍ୱିତୀୟ ପର୍ଯ୍ୟାୟରୁ ବିଦାୟ ନେଇଥିଲା ବେଳେ ଅତନୁ ଦାସ କ୍ୱାର୍ଟର୍‌ ଫାଇନାଲ୍‌ ବାଧା ଅତିକ୍ରମ କରିନାହାନ୍ତି। ପ୍ରଥମ ପର୍ଯ୍ୟାୟ ପାଇଥିବା ଦୀପିକା ଦ୍ୱିତୀୟ ପର୍ଯ୍ୟାୟରେ ୬-୨ରେ ଉତ୍ତର କୋରିଆର ହ୍ୟାଙ୍ଗ୍‌ ଜି ରିଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରି-କ୍ୱାର୍ଟର୍‌ରେ ସେ ୩-୭ରେ ଚାଇନିଜ୍‌ ତାଇପେର ଚିଏନ୍‌ ୟିଙ୍ଗ୍‌ ଲେଇଙ୍କଠୁ ହାରି ଯାଇଥିଲେ। ଦୀପିକାଙ୍କ ବିଦାୟ ପରେ ଭାରତ ଅତନୁଙ୍କଠୁ ପଦକ ଆଶା ରଖିଥିଲା। ହେଲେ ସେ କ୍ୱାର୍ଟର୍‌ ଫାଇନାଲ୍‌ରେ ଇଣ୍ଡୋନେସିଆର ରିଆଓ ଏଗା ଅଗତା ସାଲସା ବିଲ୍ଲାଙ୍କଠୁ ହାରି ଯାଇଥିଲେ। ପ୍ରୋମିଲା ଦାଇମାରି ଦ୍ୱିତୀୟ ପର୍ଯ୍ୟାୟରୁ ଏବଂ ବିଶ୍ୱାସ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଥିଲେ।

ଅଙ୍କିତା କାଂସ୍ୟରେ ସନ୍ତୁଷ୍ଟ

ମହିଳା ଏକକ ଟେନିସ୍‌ରେ ଅଙ୍କିତା ରାଇନା ସେମିଫାଇନାଲରେ ଚୀନର ଝାଙ୍ଗ ସୁଇଙ୍କଠାରୁ ୪-୬, ୬-୭ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଏହା ପୂର୍ବରୁ ୨୦୦୬ରେ ସାନିଆ ମିର୍ଜା ରୌପ୍ୟ ପଦକକ ଜିତିଥିଲେ। ଜିମ୍ନାଷ୍ଟିକ୍ସରେ କିନ୍ତୁ ଭାରତକୁ ଆଶାଜନକଜ ସଫଳତା ମିଳିନାହିଁ। ମିଶ୍ରିତ ଯୁଗଳରେ ଭାରତର ପଦକ ଜିତିବା ଆଶା ମଉଳି ଯାଇଛି। ରୋହନ ବୋପାନ୍ନା ଏବଂ ଅଙ୍କିତାଙ୍କ ଯୋଡ଼ି କ୍ୱାର୍ଟର ଫାଇନାଲରେ ଇଣ୍ଡେନେସିଆ ଯୋଡ଼ିଠାରୁ ହାରି ଯାଇଥିଲେ। ପୁରୁଷ ଯୁଗଳରେ ବୋପାନ୍ନା ଏବଂ ଦିଭିଜ ସରଣ ଅବଶ୍ୟ ଫାଇନାଲକୁ ଯାଇ ସ୍ୱର୍ଣ୍ଣ ଜିତିବା ଆଶା ଉଜ୍ଜୀବିତ ରଖିଥିଲେ। ମହିଳା ଭଲ୍ଟ ଫାଇନାଲରେ ଅରୁଣା ରେଡ୍ଡୀ ଓ ପ୍ରଣତି ନାୟକ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ତୀରନ୍ଦାଜୀ କ୍ୱାର୍ଟର ଫାଇନାଲରେ ଅତନୁ ଦାସ ପରାସ୍ତ ହୋଇଛନ୍ତି।

ସିନ୍ଧୁ, ସାଇନା ଆଗେଇଲେ, ଋତୁପର୍ଣ୍ଣାଙ୍କ ବିଦାୟ

ବ୍ୟାଡମିଣ୍ଟନ୍‌ରେ ପିଭି ସିନ୍ଧୁ ଏବଂ ସାଇନା ନେହ୍ଵାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସିନ୍ଧୁ ୨୧-୧୦, ୧୨-୨୧, ୨୩-୨୧ରେ ଇଏତନାମର ଭୁ ଥଇ ତ୍ରାଙ୍ଗ୍‌ଙ୍କୁ ଏବଂ ସାଇନା ୨୧-୭, ୨୧-୯ରେ ଇରାନ୍‌ର ସୋରାୟା ଆଘାଜିଆଘାଙ୍କୁ ପରାସ୍ତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ସିନ୍ଧୁ ଓ ସାଇନା ଇଣ୍ଡୋନେସିଆର ତୁନ୍‌ଜୁଙ୍ଗ୍‌ ଗ୍ରିଗୋରିଆ ଓ ଫିତ୍ରିଆନିଙ୍କୁ ଭେଟିବେ। ମହିଳା ଯୁଗଳରେ ଅଶ୍ୱିନୀ ପୁନପ୍ପା-ଏନ୍‌ ସିକ୍କି ରେଡ୍ଡୀ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚଛନ୍ତି। ତେବେ ସୁନୀଲ ଆରତୀଙ୍କୁ ସାଥୀ କରି ଖେଳୁଥିବା ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୧୧-୨୧, ୬-୨୧ରେ ଥାଇଲାଣ୍ଡ୍‌ର ଚାଲାଦ ଚାଲାମ-ମିଓନ୍‌ୟଙ୍ଗ୍‌ଙ୍କଠୁ ହାରି ବିଦାୟ ନେଇଛନ୍ତି। ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀ ଏବଂ ସାତ୍ୱିକ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନପ୍ପା ବିଦାୟ ନେଇଛନ୍ତି। ପୁରୁଷ ଯୁଗଳରେ ରାଙ୍କି ରେଡ୍ଡୀ-ଚିରାଗ ସେଠୀ ୨୧-୧୨, ୨୧-୧୪ରେ ହଂକଂର ତାମ୍‌ ଚୁନ୍‌-ଚୁଙ୍ଗ୍‌ ଓନିଙ୍କୁ ଏବଂ ମନୁ ଅତ୍ରୀ-ବି ସୁମିତ ରେଡ୍ଡୀ ୨୧-୧୦, ୨୧-୮ରେ ମାଳଦୀପର ରସିଦ୍‌ ମହମ୍ମଦ-ଥୋଇଫ୍‌ ଅହମ୍ମଦ ମହମ୍ମଦଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର