ଆଉ ୧୭ ଦିନ ପ୍ରସ୍ତୁତି ଜୋରଦାର, ଓଡ଼ିଆ କଳା ଛାତ୍ରଛାତ୍ରୀଙ୍କୁ ଅପୂର୍ବ ସୁଯୋଗ

ଭୁବନେଶ୍ବର: ଚଳିତ ମାସ ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ହକି ପୁରୁଷ ବିଶ୍ବକପ୍‌ ୨୦୧୮। ଏହି ପରିପ୍ରେକ୍ଷୀରେ ୧୬ଟି ଦେଶର ପାଖାପାଖି ୧,୦୦୦ ଖେଳାଳିଙ୍କ ସମେତ ୨୦,୦୦୦ କ୍ରୀଡ଼ା ଅଧିକାରୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଉଭୟ କଳିଙ୍ଗ ଷ୍ଟାଡିୟମ ଓ ରାଜଧାନୀ ଭୁବନେଶ୍ବର ପ୍ରସ୍ତୁତ ହେଉଛି। ହକି ବିଶ୍ବକପ୍‌ ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକୁ ଶ୍ରେଣୀ ଅନୁଯାୟୀ ସମସ୍ତ ସରକାରୀ ବିଭାଗ ମଧ୍ୟରେ ବାଣ୍ଟି ‌ଦିଆଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ସେବା ବିଭାଗ ଓ ପର୍ଯ୍ୟଟନ ବିଭାଗ ଏ ‌କ୍ଷେତ୍ରରେ ମୁଖ୍ୟ ଦାୟିତ୍ବ ତୁଲାଉଥିବା ବେଳେ ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି ଲିମି‌ଟେଡ୍‌, ପୂର୍ତ୍ତ ବିଭାଗ ତଥା ଅନ୍ୟ ସମସ୍ତ ବିଭାଗ ମଧ୍ୟ ନିଜ ନିଜ ଦାୟିତ୍ବ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି। ହକି ବିଶ୍ବକପ୍‌ର ମୁଖ୍ୟ ଭେନ୍ୟୁ ଭାବେ ସ୍ଥିରିକୃତ ହୋଇଥିବା କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିରେ ବିକାଶ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ବି‌ଦେଶରୁ ଆସୁଥିବା ଖେଳାଳି ଓ କ୍ରୀଡ଼ା ଅଧିକାରୀ ତଥା ଅନ୍ୟାନ୍ୟ ବିଦେଶୀ ପର୍ଯ୍ୟଟକ ଯେପରି କୌଣସି କାରଣରୁ ନିରାଶ ନ ହୁଅନ୍ତି, ସେ ଦିଗରେ ସରକାରୀ ବିଭାଗଗୁଡ଼ିକ ତରଫରୁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ସହସ୍ରାଧିକ ବିଦେଶୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଯେପରି ଭୁବନେଶ୍ବରର ପରିମଳ ବ୍ୟବସ୍ଥା ଓ ପରିବେଶ ନଷ୍ଟ ନ ହୁଏ, ‌ସେ ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁଧୁରାଯିବା ସହିତ ଅଟୋମେଟିକ (ସ୍ବୟଂଚାଳିତ) ସ୍ବିପିଙ୍ଗ୍‌ ମେସିନ୍‌ର ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରତି ମଧ୍ୟ ବେଶ୍‌ ଗୁରୁତ୍ବ ଦିଆଯାଇଛି। ସହରର ପ୍ରାଚୀରଗୁଡ଼ିକୁ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଇତିହାସ ତଥା କ୍ରୀଡ଼ା (ବିଶେଷତଃ ହକି) ସମ୍ବଦ୍ଧୀୟ ଚିତ୍ରରେ ସଜ୍ଜିତ କରାଯାଉଛି। ଟ୍ରାଫିକ ବ୍ୟବସ୍ଥାକୁ ସୁସଙ୍ଗଠିତ କରାଯାଉଛି। ସମ୍ଭାବ୍ୟ ଭିଡ଼କୁ ଦୃ‌ଷ୍ଟିରେ ରଖି ସରକାରଙ୍କ ତରଫରୁ ୨୦୦ଟି ଅତ୍ୟାଧୁନିକ ସିଟି ବସ୍‌ ଚଲାଇବାର ବ୍ୟବସ୍ଥା କରାଯାଇଛି। ସହରରେ ଚାଲୁଥିବା ପାଖାପାଖି ୧୦୦ଟି ସିଟିବସ୍‌କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

ରାଜଧାନୀବାସୀଙ୍କୁ ତଥା ବିଦେଶୀଙ୍କୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମଗ୍ର ସହରକୁ ୱାଇ-ଫାଇ କରାଯାଇଛି। ସହରର ମୁଖ୍ୟ ରାସ୍ତାଗୁଡ଼ିକର ଢାଞ୍ଚା ପରିବର୍ତନ କରାଯାଇଛି। ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ୍‌ ସ୍କେପିଂକୁ ଗୁରୁତ୍ବ ଦିଆଯାଉଛି। ମୁଖ୍ୟ ରାସ୍ତାଗୁଡ଼ିକରେ ଫୁଟ୍‌ଫାଥ୍‌, ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯାଇଛି। ଖେଳାଳି ଓ ବିଦେଶୀ ପର୍ଯ୍ୟଟକଙ୍କ ରହିବା ପାଇଁ ସହରର ତାରକା ହୋଟେଲ ଏବଂ ବିଭିନ୍ନ ଉଚ୍ଚସ୍ତରୀୟ ଶିକ୍ଷାନୁ‌ଷ୍ଠାନର ଅତିଥି ଗୃହଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ସହରବାସୀଙ୍କୁ ଏକ ଅତ୍ୟାଧୁନିକ ଲାଇଫ୍‌ ଷ୍ଟାଇଲ୍‌ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌ଟେଡ୍‌ ପକ୍ଷରୁ ପାଖାପାଖି ୧,୫୦୦ ଅତ୍ୟାଧୁନିକ ବ‌ାଇସାଇକେଲ ଆଣିବାର ଯୋଜନା କରାଯାଇଛି। ଏହା ରାଜଧାନୀବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟରେ ସହାୟକ ହେବା ସହ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି। ହକି ମ୍ୟାଚ୍‌ ପାଇଁ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏଲ୍‌ଇଡି ସ୍କ୍ରିନ୍‌ ସହାୟତାରେ ମ୍ୟାଚ୍‌ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାହାରେ ତଥା ବିଦେଶରେ ମଧ୍ୟ ହକି ବିଶ୍ବକପ୍‌ର ପ୍ରଚାରପ୍ରସାର ପାଇଁ ଓଡ଼ିଶା ସରକାର ବିଭିନ୍ନ ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଚଳପ୍ରଚଳ କରୁଥିବା ବସ୍‌, ଟ୍ରେନ୍‌ ଆଦିରେ ହକି ବିଶ୍ବକପ୍‌ ସମେତ ଓଡ଼ିଶାର କଳା, ସଂସ୍କୃତି ଆଦିର ପ୍ରଚାରପ୍ରସାର କରୁଛନ୍ତି। ବ‌ାସ୍ତବରେ କହିବାକୁ ଗଲେ ଆଗାମୀ ବିଶ୍ବକପ୍‌ ପାଇଁ ଓଡ଼ିଶା ଓ ଏହାର ରାଜଧାନୀ ଭୁବନେଶ୍ବର ଅଗନ୍ତୁକଙ୍କୁ ସ୍ବାଗତ କରିବା ପାଇଁ ସଂପୂର୍ଣ୍ଣ ରୂପ‌େ ପ୍ରସ୍ତୁତ ହୋଇଯାଇଛି।

ଭୁବନେଶ୍ବର ଆସୁଛନ୍ତି ନାରଙ୍ଗ, କୁମ୍ବଲେ, ‌େଗ‌ାପୀଚାନ୍ଦ
ଭୁବନେଶ୍ବର: ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ବିବେଚନା କରାଯାଉଥିବାବେଳେ ବଡ଼ ବଡ଼ ଅନ୍ତର୍ଜାତୀୟ ଖେଳାଳିଙ୍କ ଓଡ଼ିଶା ଆମଗନ ଏକ ସାଧାରଣ କଥାରେ ପରିଣତ ହୋଇଛି। କିନ୍ତୁ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିକୁ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଗଭର ହେବା ବଡ଼ କଥା। ଏଥିଲାଗି ସୋମବାର ରାଜ୍ୟ ସରକାର ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ କରିବାକୁ ଯାଉଛନ୍ତି। ଏଥି ପାଇଁ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଏକ ଉତ୍ସବର ମଧ୍ୟ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ଓ ଯୁବ‌ସେବା ସଚିବ ବିଶାଲ କୁମାର ଦେବ ଏବଂ ବହୁ ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ରହିବେ। କ୍ରୀଡ଼ା କ୍ଷେତ୍ରରୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ, ଖ୍ୟାତନାମା ଅଲିମ୍ପିଆନ ବଂଧୁକଚାଳକ ଗଗନ ନାରଙ୍ଗ ଏବଂ ବ୍ୟାଡମିଣ୍ଟନ୍ ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋପୀଚାନ୍ଦଙ୍କ ଉପସ୍ଥିତି ମଧ୍ୟ ଏହି ଉତ୍ସବକୁ ଅଧିକ ଗାମ୍ଭୀର୍ଯ୍ୟ କରିଦେବ ବୋଲି ଆଶା କରାଯାଉଛି।

କନିଷ୍ଠ ହକି ଜାତୀୟ ଶିବିରରେ ୫ ଓଡ଼ିଆ
ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ର ବେଙ୍ଗାଲୁରୁ କ୍ୟାମ୍ପସ୍‌ରେ ଆୟୋଜିତ ହେବ କନିଷ୍ଠ ବାଳକ ହକି ଜାତୀୟ ଶିବିର। ଏହି ଶିବିର ପାଇଁ ଶୁକ୍ରବାର ହକି ଇଣ୍ଡିଆ ୩୪ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଶିବିରରେ ୫ ଜଣ ଓଡ଼ିଆ ଖେଳାଳି ଯୋଗଦେବେ। ମନୋନୀତ ଓଡ଼ିଆ ଖେଳାଳିମାନେ ହେଲେ ସୁମନ ବେକ୍‌, ସିରିଲ୍‌ ଲୁଗୁନ, ଗ୍ରିଗୋରି ଖେସ୍‌, ସୁଦୀପ ଚିର୍ମାକୋ ଓ ଶିଳାନନ୍ଦ ଲାକ୍ରା। ସମ୍ଭାବ୍ୟ ଖେଳାଳିମାନେ ୧୧ ତାରିଖ ଦିନ ବେଙ୍ଗାଲୁରୁ ଶିବିରରେ ଯୋଗଦେଇ ପ୍ରଶିକ୍ଷକ ଜୁଡେ ଫେଲିକ୍ସଙ୍କୁ ରିପୋର୍ଟ କରିବେ। ତେବେ ସୁମନ ବେକ୍‌ ଓ ଶିଳାନନ୍ଦ ଲାକ୍ରାଙ୍କ ସହିତ ଅନ୍ୟ ୪ ଖେଳାଳି ଏବେ ଭୁବନେଶ୍ବରରେ ଚାଲିଥିବା ବରିଷ୍ଠ ପୁରୁଷ ଦଳର ଶିବିରରେ ରହିଛନ୍ତି। ତେଣୁ ସେମାନେ ଆସନ୍ତା ୨୩ ତାରିଖ ଦିନ ବେଙ୍ଗାଲୁରୁ ପହଞ୍ଚି ଫେଲିକ୍ସଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି। ୪ ସପ୍ତାହ ଧରି ଆୟୋଜିତ ଏହି କନିଷ୍ଠ ଜାତୀୟ ଶିବିର ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁଲ୍‌ତାନ ଜୋହର୍‌ କପ୍‌ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ଖେଳାଳିମାନେ ଶିବିରରେ ସାମିଲ ହୋଇଛନ୍ତି। ଶିବିରରେ ମୁଖ୍ୟତଃ ଖେଳାଳିଙ୍କ ଫିଟ୍‌ନେସ୍‌ ଉପରେ ଜୋର୍‌ ଦିଆଯିବ ଏବଂ ସାମଗ୍ରିକ ଭାବେ ପ୍ରଦର୍ଶନକୁ ବିଚାରକୁ ନିଆଯିବ ବୋଲି ଫେଲିକ୍ସ କହିଛନ୍ତି।

ଓଡ଼ିଆ କଳା ଛାତ୍ରଛାତ୍ରୀଙ୍କୁ ଅପୂର୍ବ ସୁଯୋଗ
ଭୁବନେଶ୍ବର: ଆଉ ମାତ୍ର କିଛି ଦିନ ପରେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ‌ହେବ ପୁରୁଷ ହକି ବିଶ୍ବକପ୍। ଏଥି ଲାଗି ଭୁ‌ବ‌ନେଶ୍ବ‌ର ଏବେଠୁ ଚଳଚଞ୍ଚଳ ହୋଇଗଲାଣି। ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ଏହି ରାଜଧାନୀରେ। ଏଥି ପାଇଁ ସାରା ସହର ସଜେଇ ହେବାକୁ ଲାଗିଛି। ସହରର ବିଭିନ୍ନ ସରକାରୀ ଓ ବେସରକାରୀ କାନ୍ଥଗୁଡ଼ିକରେ ଦେଖିବାକୁ ମିଳୁଛି ବିଭିନ୍ନ ପଶୁପକ୍ଷୀଙ୍କ ଛବି ସାଙ୍ଗକୁ ବିଭିନ୍ନ ଦେଶର ହକି ଦଳର ଅଧିନାୟକ ଏବଂ ଶ୍ରେଷ୍ଠ ଖେଳାଳିଙ୍କ ଚିତ୍ର। ଏଥିସହ ଓଡ଼ିଶା କଳା, ସଂସ୍କୃତି ଓ ପରମ୍ପରା ସହ ହକି ଉପରେ ବିଭିନ୍ନ ଚିତ୍ରର ଝଲକ ମଧ୍ୟ ଏହି କାନ୍ଥବାଡ଼ରେ ‌ଦେଖିବାକୁ ମିଳୁଛି। କାନ୍ଥବାଡ଼କୁ ଏଭଳି ଚିତ୍ରରେ ସଜାଉଛନ୍ତି ଭୁବନେଶ୍ବରସ୍ଥିତ ବିକେ ଆର୍ଟ କଲେଜ, ଧଉଳି କ‌ଲେଜ ଅଫ୍‌ ଆର୍ଟ ଏବଂ ଖଲିକୋଟ ଆର୍ଟ କଲେଜର ନୂତନ ଓ ପୂରାତନ ଛାତ୍ରଛାତ୍ରୀମାନେ। କଳାକୁ ପେସା କରି ରୋଜଗାରକ୍ଷମ ଥିବା କିଛି ପୁରୁଣା ଛାତ୍ର ଏହାର ନେତୃତ୍ବ ନେଉଛନ୍ତି। ନୂତନ ଛାତ୍ରଛାତ୍ରୀ ସେମାନଙ୍କୁ ସହଯୋଗ କରୁଛନ୍ତି। ଏତେ ଜଲଦି ନୂଆ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାକୁ ହକି ବିଶ୍ବକପ୍ ସୁଯୋଗ ଦେଇଥିବାରୁ ସେମାନେ ବହୁତ ଉତ୍ସାହିତ ଅଛନ୍ତି। ପ୍ରଦର୍ଶନ ସହ କିଛି ରୋଜଗାର ମିଳି ଯାଇଥିବାରୁ ସେମାନଙ୍କ ଆତ୍ମ ବିଶ୍ବାସ ମଧ୍ୟ ଅହୁରି ବଢ଼ି ଯାଇଛି। ଜଣେ ଜଣେ କଳାକାର ଦିନକୁ ପ୍ରାୟ ୧୦୦୦ରୁ ୫୦୦୦ ଟଙ୍କା ରୋଜଗାର କରିନେଉଛନ୍ତି। ୧୦ଟି ଗ୍ରୁପ୍‌ରେ ପାଖାପାଖି ୨୦୦ରୁ ୩୦୦ ‌ଛାତ୍ରଛାତ୍ରୀ ସହରର କାନ୍ଥବାଡ଼ରେ ବିଭିନ୍ନ ରଙ୍ଗବେରଙ୍ଗର ଚିତ୍ର ଆଙ୍କି‌ବାରେ ଲାଗିଯାଇଛନ୍ତି। ୧୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ‌ଶେଷ ହୋଇଯିବ ବ‌ୋଲି କହିଛନ୍ତି ଜୟଦେବ ବିହାର ଛକଠୁ ପାୱାର ହାଉସ୍‌ ଛକ ପର୍ଯ୍ୟନ୍ତ ଏହି କାର୍ଯ୍ୟର ଦାୟିତ୍ବରେ ଥିବା ଗ୍ରୁପ୍ ମୁଖ୍ୟ ଅଂଜନ କୁମାର ପାତ୍ର। ଚିତ୍ର ଆଙ୍କିବା ବେଳେ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ସେ କହିଛନ୍ତି। କିଛି କିଛି କାନ୍ଥ ନିକଟରେ ଅପରିଷ୍କାର ରହିଛି। ତଥାପି ଆମ ପିଲାମାନେ ଏହାକୁ ଖାତିର ନକରି ନିଜନିଜର କଳାକୁ ଜୀବନ୍ତ କରିବାରେ ଲାଗିଛନ୍ତି ବୋଲି ଅଂଜନ କହିଛନ୍ତି।

ସମ୍ବନ୍ଧିତ ଖବର