୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍ ସ୍ଥଗିତ: ଆସନ୍ତାବର୍ଷ ହେବାର ଆଶା, ଓଡ଼ିଶା ଫୁଟ୍‌ବଲ୍‌ପ୍ରେମୀଙ୍କ ପ୍ରତୀକ୍ଷା ବଢ଼ିଲା

ଭୁବନେଶ୍ବର: ମାରାତ୍ମକ କରୋନା ଭୂତାଣୁ ଜନିତ ସଂକ୍ରମଣ ମହାମାରୀ ରୂପ ନେଇ ସମଗ୍ର ବିଶ୍ବରେ ଭୟାବହ ପରିସ୍ଥିତି ସୃଷ୍ଟି କରି ଚାଲିଥିଲା ବେଳେ ଶନିବାର ବିଶ୍ବ ଫୁଟ୍‌ବଲ୍ ମହାସଂଘ ବା ଫିଫା ଭାରତରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌କୁ ସ୍ଥଗିତ କରି ଦେଇଛି। ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ପାଞ୍ଚଟି ସହର ଯଥା ଭୁବନେଶ୍ବର, କୋଲକାତା, ଅହମ୍ମଦାବାଦ, ଗୁଆହାଟୀ ଓ ନଭି ମୁମ୍ବାଇରେ ନଭେମ୍ବର ମାସ ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ଏଥିରେ ସମଗ୍ର ବିଶ୍ବର ୧୬ ବଛାବଛା ଦଳ ଭାଗ ନେବାର ଥିଲା। ଦେଶର କ୍ରୀଡ଼ା ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତାର ୮ ମ୍ୟାଚ୍ ଖେଳାଯିବାର ଥିଲା। ଏହା ମଧ୍ୟ ଯେ କୌଣସି ସ୍ତରୀୟ ଫୁଟ୍‌ବଲ ବିଶ୍ବକପ୍ ଓଡ଼ିଶାରେ ଖେଳାଯିବାର ପ୍ରଥମ ଘଟଣା ହୋଇଥାଆନ୍ତା। ୧୭ ବର୍ଷରୁ କମ୍ ପ୍ରତିଯୋଗିତା ସ୍ଥଗିତ ହେବା ପରେ ଓଡ଼ିଶା ଫୁଟ୍‌ବଲପ୍ରେମୀଙ୍କ ବିଶ୍ବକପ୍ ପ୍ରତୀକ୍ଷା ଆହୁରି ବଢ଼ିଯାଇଛି। ବିଶ୍ବକପ୍‌କୁ ପାଖରୁ ଦେଖିବା ଲାଗି ସେମାନଙ୍କୁ ଆହୁରି କିଛି ମାସ କିମ୍ବା ବର୍ଷ ଅପେକ୍ଷା କରିବାକୁ ପଡ଼ିବ, ତାହା ଅନ୍ତତଃ କରୋନା ପ୍ରକୋପ ଓ ଫିଫା ଘୋଷଣା ପରେ ସ୍ପଷ୍ଟ ହୋଇଛି।

ଭାରତ ଆୟୋଜକ ପ୍ରତିଯୋଗିତା ଭାବେ ଏଥିଲାଗି ଯୋଗ୍ୟତା ଅର୍ଜନ କରିଥିଲା। ୧୭ ବର୍ଷରୁ କମ୍ ବିଶ୍ବକପ୍‌ରେ ଭାରତର ମଧ୍ୟ ଏହା ପ୍ରଥମ ପଦାର୍ପଣ ହୋଇଥାଆନ୍ତା। କରୋନାର ପ୍ରଭାବ ଓ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ନିକଟରେ ଫିଫା ପରିଷଦ ଗଠନ କରିଥିବା ଫିଫା ମହାସଂଘର କାର୍ଯ୍ୟକାରୀ ସମିତି ଏହି ନିଷ୍ପତ୍ତି ନେଇଛି। କାର୍ଯ୍ୟକାରୀ ସମିତି ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ସୁପାରିସ କରିଛି। ଯାହାକୁ ଗ୍ରହଣ କରି ନିଆଯାଇଛି। ପ୍ରତିଯୋଗିତାର ନୂଆ ତାରିଖ ଆସନ୍ତା କିଛି ଦିନ ମଧ୍ୟରେ ପରିବେଶ ଓ ପରିସ୍ଥିତିକୁ ଦେଖି କରାଯିବ। ଏଥିଲାଗି ଏକ ଉପସମିତି ଗଠନ କରାଯାଇଛି। ଏହି ସମିତି ମହିଳା ଫୁଟ୍‌ବଲ୍‌ର ଅନ୍ତର୍ଜାତୀୟ ସୂଚୀକୁ ତର୍ଜମା କରି ନୂଆ ତାରିଖ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଫିଫା ପରିଷଦ ଶନିବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ୧୭ ବର୍ଷରୁ କମ୍ ବିଶ୍ବକପ୍‌ର ଏହି ସଂସ୍କରଣ ଲାଗି କେବଳ ତିନିଟି ଦେଶ ଜାପାନ, ଉତ୍ତର କୋରିଆ ଓ ଭାରତ (ଆୟୋଜକ ଦେଶ ଭାବେ) ଯୋଗ୍ୟତା ଅର୍ଜନ କରିଛନ୍ତି। ୟୁରୋପ, ଆଫ୍ରିକା, ଓସେନିଆ, ଉତ୍ତର ଆମେରିକା, କାରବୀୟ ଓ ଦକ୍ଷିଣ ଆମେରିକା ଭଳି ଅଞ୍ଚଳରେ ଏବେ ବି ଏଥିଲାଗି ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହୋଇନାହିଁ। ଏଣୁ ଅନ୍ୟ ବଡ଼ ବଡ଼ ପ୍ରତିଯୋଗିତା ଲାଗି ଏହା ମଧ୍ୟ ସ୍ଥଗିତ ହେବ ବୋଲି ଆଶା କରାଯାଉଥିଲା। ହେଲେ ଫିଫା ଏବେ ଏଥିରେ ଆନୁଷ୍ଠାନିକ ମୋହର ମାରିଛି। ତେବେ ଅଲିମ୍ପିକ୍ସ ଭଳି ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ମଧ୍ୟ ଆସନ୍ତାବର୍ଷ ଖେଳାଯିବାର ସର୍ବାଧିକ ସମ୍ଭାବନା ରହିଛି। ଗତ ଫେବ୍ରୁଆରିରେ ଏହି ପ୍ରତିଯୋଗିତାର ସୂଚୀ ଘୋଷଣା କରାଯାଇଥିଲା। ନଭି ମୁମ୍ବାଇରେ ଏହାର ଫାଇନାଲ୍ ଖେଳାଯିବାର ଥିଲା।

ଏଆଇଏଫ୍ଏ‌ଫ୍‌ର ସ୍ବାଗତ
୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌କୁ ସ୍ଥଗିତ ରଖିବା ଲାଗି ଫିଫା ‌ଯେଉଁ ନିଷ୍ପତ୍ତି ନେଇଛି, ତାକୁ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫଏଫ୍) ଓ ସ୍ଥାନୀୟ ଆୟୋଜନ ସମିତି ସ୍ବାଗତ କରିଛି। ସମିତି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ଆମେ ଫିଫା ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ଏହାକୁ ସମର୍ଥନ ଦେଉଛୁ। ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ, ଅଂଶଗ୍ରହଣକାରୀ ଦଳ, ଆୟୋଜକ ସହର, ଖେଳାଳି, ଅଧିକାରୀ, ସ୍ବେଚ୍ଛାସେବୀ ଓ ପ୍ରଶଂସକଙ୍କ ସହ ସମସ୍ତଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆମେ ନଭେମ୍ବରରେ ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରିବାକୁ ଆଗ୍ରହୀ ଥିଲୁ। ହେଲେ ସାଂପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ହୋଇ ପାରିନଥାଆନ୍ତା। ଆମେ କାହା ଜୀବନ ସହ ଖେଳିବାକୁ ଚାହୁଁନୁ। ଅନ୍ୟ ସମସ୍ତ କ୍ରୀଡ଼ା ଭଳି କରୋନା ପାଇଁ ୧୭ ବର୍ଷରୁ କମ୍ ବିଶ୍ବକପ୍ ସ୍ଥଗିତ ହୋଇଛି। ଆମକୁ ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ହେବ ବୋଲି ଏଆଇଏଫଏଫ୍ ସଂପାଦକ କୁଶାଳ ଦାସ କହିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ୮ ମ୍ୟାଚ୍ ଖେଳାଯିବାର ଥିଲା
୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍‌ର କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟାୟ ନଭେମ୍ବର ୨ରୁ ଆରମ୍ଭ ହେବାର ଥିଲା। ଭୁବନେଶ୍ବର ସହ ଗୁହାହାଟୀର ଇନ୍ଦିରା ଗାନ୍ଧି ଆଥ୍‌ଲେଟିକ୍ ଷ୍ଟାଡିୟମରେ ସେହିଦିନ ସମାନ୍ତରାଳ ଭାବେ ପ୍ରତିଯୋଗିତା ଆରମ୍ଭ ହୋଇଥାଆନ୍ତା। ଗୋଟିଏ ଲେଖାଏଁ ସେମିଫାଇନାଲ୍ ଓ କ୍ବାର୍ଟର ଫାଇନାଲ୍ ମୁକାବିଲା ସହ କଳିଙ୍ଗରେ ମୋଟ ୮ ମ୍ୟାଚ୍ ଖେଳାଯିବାର ଥିଲା। ସେଥିମଧ୍ୟରେ ୬ ଲିଗ୍ ପର୍ଯ୍ୟାୟ ମାଚ୍ ଥିଲା। ଗୁଆହାଟୀର ଭାରତ ପ୍ରଥମ ଦିନରେ ହିଁ ତାର ଅଭିଯାନ ଆରମ୍ଭ କରିଥାଆନ୍ତା। ଭୁବନେଶ୍ବରରେ ଅନ୍ୟ ଦୁଇ ଦଳ ମୁକାବିଲାକୁ ଓହ୍ଲାଇ ଥାଆନ୍ତେ। ଗତ ବର୍ଷ ଅଗଷ୍ଟ ମାସରେ ଦେଶର ପ୍ରଥମ ସହର ଭାବେ ଭୁବନେଶ୍ବରରେ ମ୍ୟାଚ୍ କରାଇବାକୁ ଫିଫା ସବୁଜ ସଙ୍କେତ ଦେଇଥିଲା। କଳିଙ୍ଗ ଷ୍ଟାଡିୟମର ସୁବିଧା ସୁଯୋଗ ଓ ଭିତ୍ତିଭୂମିକୁ ମଧ୍ୟ ଫିଫା ପ୍ରଶଂସା କରିଥିଲା। ଏହା ପରେ କୋଲ୍‌କାତା, ଗୁହାହାଟୀ ଓ ପରେ ନଭି ମୁମ୍ବାଇକୁ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଲାଗି ଆୟୋଜକ ସହର ଭାବେ ବାଛିଥିଲା।

ଜୁନ୍ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଫୁଟବଲ୍ ମ୍ୟାଚ୍ ବାତିଲ
ଫିଫା କାର୍ଯ୍ୟକାରୀ ସମିତି ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍ ସହ ସେପ୍ଟେମ୍ବର ମାସରେ ପାନାମା ଓ କୋଷ୍ଟାରିକାରେ ଖେଳାଯିବାକୁ ଥିବା ୨୦ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍ ବିଶ୍ବକପ୍‌କୁ ବି ସ୍ଥଗିତ କରି ଦେଇଛି। ସେହିଭଳି ଜୁନ୍ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ମୁକାକିଲା ଓ ପ୍ରତିଯୋଗିତାକୁ ବାତିଲ କରିଦେଇଛି। ଏହିସବୁ ପ୍ରତିଯୋଗିତାର ନୂଆ ତାରିଖ ପରବର୍ତୀ ସମୟରେ ଘୋଷଣା କରାଯିବ ବୋଲି ଫିଫା କହିଛି। ସମସ୍ତ ପ୍ରାନ୍ତୀୟ ଓ ମହାଦେଶୀୟ ଫୁଟ୍‌ବଲ୍ ମହାସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମଧ୍ୟ ଫିଫା ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ କରୋନା ପାଇଁ ପୂର୍ବରୁ ଇଟାଲୀ, ସ୍ପେନ୍, ଜାର୍ମାନୀ ଓ ଇଂଲଣ୍ଡରେ ଖେଳାଯାଉଥିବା ଅନେକ ଲୋକପ୍ରିୟ ଫୁଟ୍‌ବଲ ଲିଗ୍‌କୁ ସ୍ଥଗିତ ରଖାଯାଇଛି କିମ୍ବା ବାତିଲ କରିଦିଆଯାଇଛି। କରୋନା ପାଇଁ ଘୋର ସଙ୍କଟ ଦେଇ ଗତି କରୁଥିବା ୟୁରୋପ ମହାଦେଶର ସର୍ବବୃହତ୍ ଫୁଟ୍‌ବଲ୍ ପ୍ରତିଯୋଗିତା ୟୁରୋକପ୍‌କୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି।

ସମ୍ବନ୍ଧିତ ଖବର