୧୯ ବର୍ଷରୁ କମ୍‌ ମହିଳା ଦିନିକିଆ: କାଜଲ, ପୁନମଙ୍କ ଅର୍ଧଶତକ; ଓଡ଼ିଶା ବିଜୟୀ

କଟକ,: କାଜଲ ଜେନା ଓ ପୁନମ ନାୟକଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଗୋଆରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ରବିବାର ଓଡ଼ିଶା ୧୩୯ ରନ୍‌ରେ ବିଦର୍ଭକୁ ହରାଇଛି। ଟସ୍‌ ଜିତି ବିଦର୍ଭ ବୋଲି˚ କରିଥିଲା ବେଳେ ଓଡ଼ିଶା ୬ ଵିକେଟ୍‌ ବିନିମୟରେ ୨୦୪ ରନ୍‌ କରିଥିଲା। ଆରମ୍ଭରୁ ରଶ୍ମିତା ଚିହ୍ନାରା ମାତ୍ର ୬ ରନ୍‌ କରି ଆଉଟ ହୋଇଥିଲା ବେଳେ କାଜଲ ଓ ପୁନମ ଦ୍ବିତୀୟ ଵିକେଟରେ ୧୧୦ ରନ୍‌ ଯୋଡ଼ିଥିଲେ। ୩୬ତମ ଓଭରରେ କାଜଲ (୭୪) ଆଉଟ୍‌ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମଧ୍ୟକ୍ରମରେ ଇନ୍ଦ୍ରାଣୀ ଛତ୍ରିଆ ୨୩ ରନ୍‌ କରି ରନ୍‌ଆଉଟ ହୋଇଥିଲେ। ୨୦୫ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବିଦର୍ଭ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହେବା ସହ ନିୟମିତ ଅନ୍ତରାଳରେ ଵିକେଟ୍‌ ହରାଇଚାଲିଥିଲା। ୨୯.୩ ଓଭରରେ ଦଳ ମାତ୍ର ୬୫ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ଇନ୍ଦ୍ରାଣୀ ଛତ୍ରିଆ ଓ ସୋନାଲି ହେମ୍ବ୍ରମ୍‌ ତିନିଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତରନା ପ୍ରଧାନ, ଶୁଭ୍ର ନିର୍ଝରିଣୀ ସ୍ବାଇଁ ଓ କଳ୍ପନା ନାୟକ ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର