କନିଷ୍ଠ ମହିଳା ହକି ଜାତୀୟ ଶିବିରରେ ଓଡ଼ିଶାରୁ ଆଉ ୨

ଭୁବନେଶ୍ବର: ଆସନ୍ତାକାଲିଠାରୁ ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌ ସାଇ କ୍ୟାମ୍ପସ୍‌ରେ ଆୟୋଜିତ ହେବାକୁ ଯାଉଥିବା କନିଷ୍ଠ ମହିଳା ଜାତୀୟ ଶିବିରରେ ଓଡ଼ିଶାରୁ ଆଉଦୁଇ ଜଣ ସ୍ଥାନ ପାଇଛନ୍ତି। ଏହି ଶିବିର ପାଇଁ ପୂର୍ବରୁ ଘୋଷିତ ୨୫ ଜଣିଆ ଦଳରେ ଓଡ଼ିଶାରୁ ଦୁଇ ମିଡ୍‌ଫିଲ୍‌ଡର ମାରିଆନା କୁଜୁର ଓ ଅଜ୍‌ମିନା କୁଜୁର ସାମିଲ ହୋଇଥିଲେ। ହେଲେ ଆଗାମୀ ଫ୍ରାନ୍‌ସ ମହିଳା ଦଳ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ବୁଧବାର ଦଳରେ ଖେଳାଳିଙ୍କ ସଂଖ୍ୟାକୁ ୩୩ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଫଳରେ ୩୩ ଜଣିଆ କୋର୍‌ ଗ୍ରୁପ୍‌ରେ ଆଉ ୨ ଓଡ଼ିଆ ଭାବେ ଡିଫେଣ୍ଡର ଫିଲସିଆ ଟପ୍ପୋ ଓ ମିଡ୍‌ଫିଲ୍‌ଡର ଜୀବନ କିଶୋରୀ ଟପ୍ପୋ ସ୍ଥାନ ଅକ୍ତିଆର କରିଛନ୍ତି। ଏହି ୨୪ ଦିନିଆ ଶିବିର ଆରମ୍ଭରୁ ସମସ୍ତ ଖେଳାଳିଙ୍କୁ ଗୁରୁବାର ଦଳର ପ୍ରଶିକ୍ଷକ ବଲ୍‌ଜିତ୍‌ ସିଂହଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି। ବଲ୍‌ଜିତ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ପରିଚାଳିତ ଶିବିରରେ ବିଶେଷକରି ଖେଳାଳିମାନଙ୍କ ଫିଟ୍‌ନେସ୍‌, ଗତି, ସାମର୍ଥ୍ୟ, ଦକ୍ଷତା ସାଙ୍ଗକୁ ମାନସିକ ଭାବେ କେତେ ଦୃଢ଼ ତାହା ପରଖାଯିବ। ଫ୍ରାନ୍‌ସ ବିପକ୍ଷ ଶୃଙ୍ଖଳା ଲକ୍ଷ୍ନୌର ପଦ୍ମଶ୍ରୀ ମହମ୍ମଦ ସାହିଦ୍‌ ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌ରେ ଫେବ୍ରୁଆରି ୮ ତାରିଖରୁ ଖେଳାଯିବ। ଏହି ଶୃଙ୍ଖଳା ପରେ ଆଗାମୀ କନିଷ୍ଠ ମହିଳା ଏସିଆ କପ୍‌ର ଅଷ୍ଟମ ସଂସ୍କରଣ ଅପେକ୍ଷା କରିଥିବାରୁ ଖେଳାଳିଙ୍କୁ ସେମାନଙ୍କ ପ୍ରଦର୍ଶନ ହିଁ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ଦେବ ‌ବୋଲି ବଲ୍‌ଜିତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର