୨୦୧୧ ବିଶ୍ବକପ୍‌ ଫାଇନାଲ୍‌‌ର ‌ଟସ୍‌ ଦ୍ବନ୍ଦ୍ବକୁ ମନେ ପକାଇଲେ ସାଙ୍ଗାକାରା, ଧୋନି ଆଉଥରେ ପକାଇବାକୁ କହିଥିଲେ

ନୂଆଦିଲ୍ଲୀ: ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ହରାଇ ଭାରତ ବିଶ୍ବବିଜେତା ହୋଇଥିଲା। ଏହି ଫାଇନାଲ୍‌ରେ ଟସ୍‌ ପକାଇଲା ବେଳେ ଦ୍ବନ୍ଦ୍ବ ଦେଖାଯାଇଥିଲା। ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ଚାଟ୍‌ରେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ସହ କଥା ହେଲା ବେଳେ ଶ୍ରୀଲଙ୍କାର ପ୍ରାକ୍ତନ ଅଧିନାୟକ କୁମ‌ାର ସାଙ୍ଗାକାରା ଏହି ଦ୍ବନ୍ଦ୍ବ ନେଇ ଖୁଲାସା କରିଛନ୍ତି।

ଷ୍ଟାଡିୟମରେ ଖଚାଖଚ ଦର୍ଶକ ଥିଲେ। ଏଭଳି ଦର୍ଶକ କେବେ ମୁଁ ଶ୍ରୀଲଙ୍କାରେ ଦେଖିନି। ହେଲେ କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଥରେ ଏପରି ଦେଖିଥିଲି। ତା ପରେ ଏଠାରେ ଦେଖିଲି। ଏତେ ଗହଳି ଯେ କିଛି ଶୁଣା ଯାଉନଥିଲା। ଏହି ମ୍ୟାଚ୍‌ ଟସ୍‌ ବେଳେ ମୁଁ ଟେଲ୍‌ ଡାକିଥିଲି, କିନ୍ତୁ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବୋଧେ ‌ଏହା ଶୁଣା ଯାଇ ନଥିଲା। ମୋତେ ସେ ପଚାରିଲେ ତୁମେ ଟେଲ୍‌ ଡାକିଲ। ମୁଁ କହିଲି ନା ହେଡ୍‌ ଡାକିଛି ବୋଲି ସାଙ୍ଗାକାରା କହିଛନ୍ତି। ପ୍ରକୃତରେ ମ୍ୟାଚ୍ ରେଫରି କହିଥିଲେ ଯେ ମୁଁ ଟସ୍ ଜିତିଛି ହେଲେ ମାହି ମାନି ନଥିଲେ। ସେଠାରେ ଏହାକୁ ନେଇ ଟିକିଏ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ମାହି କହିଲେ ଆଉ ଥରେ ଟସ୍‌ ପକାଯାଉ ମୁଁ ପୁଣି ହେଡ୍‌ ଡାକିଲି। ପୁଣି ମୁଁ ଜିତିଥିଲି। ଏହା ଭାଗ୍ୟ ଯୋଗୁଁ ସମ୍ଭବ ହେଲା ବୋଲି ନିଶ୍ଚିତ ନଥିଲି। ମୋର ବିଶ୍ୱାସ ଯେ ଯଦି ମୁଁ ଟସ୍‌ ହାରିଥାନ୍ତି ତେବେ ଭାରତ ପ୍ରଥମେ ବ୍ୟାଟିଂ କରିଥାନ୍ତା ବୋଲି ସାଙ୍ଗାକାରା ପ୍ରକାଶ କରିଛନ୍ତି। ଟ୍ରଫି ଜିତି ନିପାରିବା ବିଷୟରେ ସାଙ୍ଗାକାରା କହିଛନ୍ତି ଯେ ଆମେ ଜିତୁ କି ହାରୁ ଆମ ମଧ୍ୟରେ ବିଜୟ କିମ୍ବା କ୍ଷତିର ଏକ ସନ୍ତୁଳନ ରହିଛି। ‌ଟିକ‌ିଏ ଖୁସି ବହୁଗୁଡ଼ିଏ ନିରାଶ ଓ ଦୁଃଖକୁ ଅପସାରି ଦିଏ। ୧୯୯୬ ପରଠୁ ଶ୍ରୀଲଙ୍କାର ୨୦ ଲକ୍ଷ ନାଗରିକ ଏହି ଟିକକ ଖୁସି ପାଇଁ ଆପେକ୍ଷା କରି ରହିଥିଲେ। ତାହା ଆମେ ଦେଇ ପାରି ନଥିଲୁ। ୨୦୦୭, ୨୦୧୧ ବିଶ୍ବକପ୍‌ ଏବଂ ୨୦୦୯ ଓ ୨୦୧୨ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ‌ ଆମ ପାଖରେ ସୁଯୋଗ ଥିଲା। ହେଲେ ଆମେ ଜିତିବାକୁ ସକ୍ଷମ ହୋଇନଥିଲୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର