୨୦୧୧: ଧୋନି ଦେଲେ ଦ୍ବିତୀୟ ମୁକୁଟ

୨୫ ଜୁନ୍ ୧୯୮୩ ଏବଂ ୨ ଏପ୍ରିଲ୍‌ ୨୦୧୧ ଦୁଇଟି ତାରିଖ ମାତ୍ର। କିନ୍ତୁ ଏହି ଦୁଇ ଦିନ ଭାରତୀୟ କ୍ରିକେଟ୍‌ ପାଇଁ ଅବିସ୍ମରଣୀୟ ତଥା ଐତିହାସିକ ସଫଳତାର ଦିବସ ହୋଇରହିଛି। ଲର୍ଡସରେ କପିଳ ଦେବଙ୍କ ଭଳି ୱାଙ୍ଖଡେରେ ମହେନ୍ଦ୍ର ସିଂହ ଧୋନି ତୋଳି ଧରିଥିଲେ ୫୦ ଓଭରିଆ ବିଶ୍ବକପ୍‌ କ୍ରିକେଟ୍‌ ମୁକୁଟ।

-ଭାରତ ବିଜେତା: ୱାଙ୍ଖଡେରେ ସେଦିନ ମହେନ୍ଦ୍ର ସିଂହ ଧୋନିଙ୍କ ଛକା ମରା ବିଜୟକୁ ଭୁଲି ନାହାନ୍ତି ପ୍ରଶଂସକମାନେ। ଫାଇନାଲରେ ଭାରତ ୬ ୱିକେଟ୍ ବ୍ୟବଧାନରେ ଶ୍ରୀଲଙ୍କାକୁ ହରାଇ ବିଶ୍ବ କ୍ରିକେଟ୍‌ରେ ପ୍ରଥମ ଦେଶ ଭାବେ ଘରୋଇ ମାଟିରେ ବିଶ୍ବବିଜେତା‌ ହୋଇଥିଲା। ପ୍ରଥମ ଥର ପାଇଁ ଦୁଇ ଏସୀୟ ଦେଶ ଫାଇନାଲ୍ ଖେଳିଥିଲେ ଏବଂ ୧୯୯୨ ମସିହା ପରେ ପ୍ରଥମ ଥର ଅଷ୍ଟ୍ରେଲିଆ ଫାଇନାଲ୍ ଖେଳି ନ ଥିଲା। ପ୍ରଥମ ଥର ମଧ୍ୟ ବାଂଲାଦେଶ ବିଶ୍ବକପ୍‌ ଆୟୋଜକ ଦେଶ ହୋଇଥିଲା। ଏହି ଦଶମ ସଂସ୍କରଣକୁ ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶ ମିଳିତ ଭାବେ ଆୟୋଜନ କରିଥିଲେ। ପାକିସ୍ତାନ ଏହି ତାଲିକାରେ ଥିଲେ ମଧ୍ୟ ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍‌ ଉପରକୁ ଉଗ୍ରବାଦୀଙ୍କ ଆକ୍ରମଣ ହେବା ଘଟଣାରୁ ଆଇସିସି ଏହାକୁ ପ୍ରତ୍ୟାହାର କରି ନେଇଥିଲା। ତିନି ଆୟୋଜକ ଦେଶର ଭାଷାକୁ ନେଇ (ହିନ୍ଦୀ, ସିଂହଳି, ବେଙ୍ଗଲି) ବିଶ୍ବକପ୍‌ ସଂଗୀତ ପ୍ରସ୍ତୁତ ହୋଇଥିଲା। ଯୁବ ହାତୀ ଷ୍ଟମ୍ପିଂ ଥିଲା ମାସ୍କଟର୍ ନାଁ।

-ଯୁବି ଶ୍ରେଷ୍ଠ: ୨୦୧୧ ମସିହା ଫେବ୍ରୁଆରି ୧୯ରୁ ୨ ଏପ୍ରିଲ୍ ମଧ୍ୟରେ ଖେଳାଯାଇଥିବା ଏହି ବିଶ୍ବକପ୍‌ରେ ମୋଟ ୧୪ ଦେଶ ଭାଗ ନେଇଥିଲେ।‌ ମୋଟ ୪୯ ମ୍ୟାଚ୍‌ ପରେ ବିଜେତା ନିର୍ଣ୍ଣୟ ହୋଇଥିଲା। ପ୍ରତିଯୋଗିତା ସାରା ଅଲରାଉଣ୍ଡ୍ ପ୍ରଦର୍ଶନ କରି ଯୁବରାଜ ସିଂହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତିଲକରତ୍ନେ ଦିଲସାନ୍ (୫୦୦) ସର୍ବାଧିକ ରନ୍‌ ଏବଂ ଜାହିର୍ ଖାନ ଓ ସାହିଦ ଆଫ୍ରିଦି (ସମାନ ୨୧ ୱିକେଟ୍) ଶୀର୍ଷରେ ରହିଥିଲେ।

-ପଡ଼ିଆ: ଢାକାର ବଙ୍ଗବଂଧୁ ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ପ୍ରତିଯୋଗିତା ଆରମ୍ଭର ୨ ଦିନ ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭାରତର ଇଡେନ୍ ଗାର୍ଡେନ୍ସ (କୋଲକାତା), ଏମ ଏଚ୍‌ ଚିଦାମ୍ବରମ୍ ଷ୍ଟାଡିୟମ୍‌ (ଚେନ୍ନାଇ), ଫିରୋଜ ସାହା କୋଟଲା ଗ୍ରାଉଣ୍ଡ୍‌ (ନୂଆଦିଲ୍ଲୀ), ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍ (ନାଗପୁର), ସର୍ଦାର ପଟେଲ୍ ଷ୍ଟାଡିୟମ୍‌ (ଅହମ୍ମଦାବାଦ), ୱାଙ୍ଖଡେ ଷ୍ଟାଡିୟମ୍‌ (ମୁମ୍ବାଇ), ପିସିଏ ଷ୍ଟାଡିୟମ୍ (ମୋହାଲି), ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ (ବାଙ୍ଗାଲୋର୍‌), ଶ୍ରୀଲଙ୍କାର ଆର୍ ପ୍ରେମଦାସା (କଲମ୍ବୋ), ପାଲେକଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ (ପାଲେକଲ୍), ମହିନ୍ଦା ରାଜପାକ୍ସା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ (ହାମ୍ବାଟୋଟା), ବାଂଲାଦେଶର‌ ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ୍‌ (ଚ୍ଚିଟାଗଙ୍ଗ) ଏବଂ ସେର୍ ବାଂଲା ନ୍ୟାସନାଲ୍ ‌କ୍ରିକେଟ୍‌ ଷ୍ଟାଡିୟମ୍‌ (ଢାକା) ସମସ୍ତ ମ୍ୟାଚ୍‌ ଆ‌େୟୋଜନ କରିଥିଲା।

-ମ୍ୟାଚ୍‌: ଭାରତ ବିଜେତା ହେବା ପଥରେ ମାତ୍ର ଗୋଟିଏ ପରାଜୟ (ଦକ୍ଷିଣ ଆଫ୍ରିକା, ୩ ୱିକେଟ୍‌) ବରଣ କରିଥିଲା। ଗ୍ରୁପ୍ ପର୍ଯ୍ୟାୟରେ ବାଂଲାଦେଶକୁ ୮୭ ରନ୍‌ରେ ହରାଇବା ପରେ ଇଂଲଣ୍ଡ ସହ ଟାଇ (ଭାରତ ୩୩୮ ଏବଂ ଇଂଲଣ୍ଡ ୩୩୮/୮) ରଖିଥିଲା। ଏହା ପରେ କିନ୍ତୁ ଆୟର୍ଲାଣ୍ଡ୍‌କୁ ୫ ୱିକେଟ୍‌ରେ, ନେଦରଲାଣ୍ଡକୁ ୫ ୱିକେଟ୍‌ରେ, ୱେଷ୍ଟଇଣ୍ଡିଜ୍‌କୁ ୮୦ ରନ୍‌ରେ ହରାଇଥିଲା। ନକ୍‌ ଆଉଟ୍ ପର୍ଯ୍ୟାୟରେ ଭାରତ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ, ସେମିଫାଇନାଲରେ ପାକିସ୍ତାନକୁ ୨୯ ରନ୍‌ରେ ଏବଂ ଫାଇନାଲରେ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ହରାଇଥିଲା। ଅନ୍ୟପକ୍ଷରେ କୁମାର ସାଙ୍ଗାକାରାଙ୍କ ଶ୍ରୀଲଙ୍କା ଦଳ ନକ୍‌ ଆଉଟ୍‌ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌କୁ କାଟି ଫାଇନାଲ୍ ପହଞ୍ଚିଥିଲା

-ବିବାଦ: ଢାକାରେ ବାଂଲାଦେଶକୁ ହରାଇବା ପରେ ୱେଷ୍ଟଇଣ୍ଡିଜ୍ ବସ୍‌ ଉପରକୁ ଘରୋଇ ପ୍ରଶଂସକମାନେ ପଥର ଫିଙ୍ଗି ୩୮ ଜଣ ଗିରଫ ହୋଇଥିଲେ। ଭାରତ-ଇଂଲଣ୍ଡ ମ୍ୟାଚ୍‌ ବେଳେ ଇଆନ୍ ବେଲଙ୍କୁ ଏଲବିଡବ୍ଲ୍ୟୁ ନ ଦିଆଯିବା ଟିଭି ଅମ୍ପାୟାର୍ ଏବଂ ହକ୍ ଆଇ ବିବାଦକୁ ପଦାରେ ପକାଇଥିଲା। ଭାରତ-ଶ୍ରୀଲଙ୍କା ଫାଇନାଲ୍‌ ବେଳେ ଦର୍ଶକଙ୍କ କୋଳାହଳ କାରଣରୁ ମ୍ୟାଚ୍‌ ରେଫରି ଜେଫ୍‌ କ୍ରୋ ଟସ୍ ଡାକରାକୁ ଶୁଣି ପାରିନଥିଲେ। ବିଶ୍ବକପ୍‌ ଫାଇନାଲ୍ ଭଳି ବଡ଼ ମ୍ୟାଚ୍‌ରେ ଅସ୍ବାଭାବିକ ଭାବେ ଦ୍ବିତୀୟ ଥର ଟସ୍ ପକାଇବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର