ଭାରତରେ ୨୦୨୩ କ୍ରିକେଟ୍ ବିଶ୍ବକପ୍, ଫେବ୍ରୁଆରି ୯ ଆରମ୍ଭ, ମାର୍ଚ ୨୬ ଶେଷ

ବଦଳିଲା ଯୋଗ୍ୟତା ପର୍ଯ୍ୟାୟ ପଦ୍ଧତି

ଦୁବାଇ: ୧୨ ବର୍ଷର ବ୍ୟବଧାନ ପରେ କ୍ରିକେଟ୍ ବିଶ୍ବକପ୍ ପୁଣି ଥରେ ଭାରତକୁ ଫେରିବ। ୨୦୧୧ରେ ଘରୋଇ ପରିବେଶରେ ବିଶ୍ବକପ୍ ଜିତିଥିବା ଭାରତ ୨୦୨୩ ମସିହାରେ କ୍ରିକେଟ୍ ମହାକୁମ୍ଭର ଆଉ ଏକ ସଂସ୍କରଣ ଆୟୋଜନ କରିବ। ୨୦୨୩ର ତ୍ରୟୋଦଶ କ୍ରିକେଟ୍ ବିଶ୍ବକପ୍ ଭାରତରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇ ସାରିଥିଲା। ହେଲେ ରବିବାର ଆଇସିସି ଏହାର ଫର୍ମାଟ୍ ଏବଂ ଯୋଗ୍ୟତା ପର୍ଯ୍ୟାୟ ନେଇ ଆନୁଷ୍ଠାନିକ ସୂଚନା ଦେଇଛି। ତଦନୁଯାୟୀ ୨୦୨୩ ବିଶ୍ବକପ୍ ଭାରତରେ ଫେବ୍ରୁଆରି ୯ରେ ଆରମ୍ଭ ହୋଇ ମାର୍ଚ ୨୬ରେ ଶେଷ ହେବ। ଏଥିରେ ମଧ୍ୟ ୨୦୧୯ ବିଶ୍ବକପ୍ ଭଳି ୧୦ ଦଳ ଅଂଶଗ୍ରହଣ କରିବେ। ହେଲେ ଏହି ବିଶ୍ବକପର ଯୋଗ୍ୟତା ପର୍ଯ୍ୟାୟରେ ବ୍ୟାପକ ପରିବର୍ତନ କରାଯାଇଛି। ଅଧିକ ଦଳକ୍ୁ ବିଶ୍ବକପ୍ ଟିକେଟ୍ ହାସଲ କରିବା ଲାଗି ସୁଯୋଗ ଏବଂ ସୁବିଧା ଦେବା ଲାଗି ଯୋଗ୍ୟତା ଅର୍ଜନ ପଦ୍ଧତିକୁ ବି ବଦଳାଇ ଦିଆଯାଇଛି। ବିଶ୍ବକପ ପାଇଁ ଯୋଗ୍ୟତା ହାସଲ ଦୌଡ଼ରେ ଏଥର ୩୨ ଦଳ ରହିବେ। ଏସବୁ ଦଳ ଲାଗି ୬ ପ୍ରକାର‌ ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହେବ। ୩୨ ଦଳ ମଧ୍ୟରୁ ୧୩ ଦଳକୁ ନେଇ ଏକ ଦିନିକିଆ ଅନ୍ତର୍ଜାତୀୟ ଲିଗ୍ ଆୟୋଜିତ ହେବ। ‌ଏଥିରେ  ୧୨ ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ସହ ନେଦରଲାଣ୍ଡ ପ୍ରତିଦ୍ବନ୍ଦ୍ବିତା କରିବ। ଏହାର ଶୀର୍ଷ ୮ ଦଳ ସିଧାସଳଖ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପ୍ରତିଯୋଗିତା ୨୦୨୦ ମସିହା ମେ ମାସରେ ଆରମ୍ଭ ହେବ। ବଳକା ୫ ଦଳକୁ ଅନ୍ୟ ୧୯ ସହଯୋଗୀ ରାଷ୍ଟ୍ରଙ୍କ ଶେଷ ଦୁଇ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ୨୦୧୯ ବିଶ୍ବକପରେ ମାତ୍ର ୧୦ ଦଳକୁ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିବାରୁ ଆଇସିସି ତୀବ୍ର ସମାଲୋଚିତ ହୋଇଥିଲା। ସେଥିପାଇଁ ୨୦୨୩ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟକୁ ପୁର୍ନଗଠିତ ତଥା ସଂପ୍ରସାରିତ କରାଯାଇଥିବା ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍ କହିଛନ୍ତି।

ସମ୍ବନ୍ଧିତ ଖବର