୨୦୧୯ କ୍ରିକେଟ୍‌ ବିଶ୍ୱ କପ୍‌ ମେ ୩୦ରୁ : ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ ଆଫ୍ରିକା

ଭାରତ-ପାକିସ୍ତାନ ମୁକାବିଲା ଜୁନ୍‌ ୧୬ରେ : ୧୦ ଦଳ୪୮ ମ୍ୟାଚ୍‌୧୨ ପଡ଼ିଆ ୪୬ ଦିନ

ନୂଆଦିଲ୍ଲୀ: ଆଗାମୀ ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ ମେ ମାସ ୩୦ ତାରିଖରୁ ଆରମ୍ଭ ହେବ। ଇଂଲଣ୍ଡ ଏହି ବିଶ୍ୱକପ୍‌ ଆୟୋଜନ କରିବ। ଫଳରେ ୧୯୯୯ ମସିହା ପରେ ପ୍ରଥମ ଥର ଲାଗି ଲଣ୍ଡନରେ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଇଂଲଣ୍ଡ ଲଗାତାର ତିନିଥର ତଥା ପ୍ରଥମ ତିନି ବିଶ୍ୱକପ୍‌ ୧୯୭୫, ୧୯୭୯ ଓ ୧୯୮୩ ମସିହାରେ ଆୟୋଜନ କରିଥିଲା। ୨୦୧୯ ବିଶ୍ୱକପ୍‌ ୪୬ ଦିନ ଧରି ଚାଲିବା ପରେ ଜୁଲାଇ ୧୪ ତାରିଖରେ ଫାଇନାଲ୍‌ ମୁକାବିଲା ସହିତ ଉଦ୍‌ଯାପିତ ହେବ। ଏଥିରେ ୧୦ ଦଳ ଭାଗ ନେବାକୁ ଥିଲା ବେଳେ ୪୮ ମ୍ୟାଚ୍‌ ଖେଳାଯିବ। ଗ୍ରୁପ୍‌ ପର୍ଯ୍ୟାୟରେ ୪୫ ମ୍ୟାଚ୍‌ ଖେଳାଯିବା ପରେ ଦୁଇଟି ସେମିଫାଇନାଲ୍‌ ଓ ଫାଇନାଲ୍‌ ୪୮ ମଧ୍ୟରେ ସାମିଲ ଅଛି। ଇଂଲଣ୍ଡ ଓ େଓ୍ଵଲ୍‌ସର ୧୨ ପଡ଼ିଆରେ ହିଁ ବାଣ୍ଟିକରି ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ପ୍ରତ୍ୟେକ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ୯ ଲେଖାଏଁ ମ୍ୟାଚ୍‌ ଖେଳିବେ। ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ହିଁ ନକ୍‌ଆଉଟ୍‌କୁ ଉନ୍ନୀତ ହେବେ। ୧୯୯୨ ବେନ୍‌ସନ୍‌ ଆଣ୍ଡ୍‌ ହେଜେସ୍‌ ବିଶ୍ୱକପ୍‌ ଫର୍ମାଟ୍‌ରେ ହିଁ ୨୦୧୯ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ୨୦୧୧ ବିଶ୍ୱକପ୍‌ ବିଜେତା ଏବଂ ୨୦୧୫ ସେମିଫାଇନାଲ୍‌ ଖେଳିଥିବା ଭାରତ ୨୦୧୯ ବିଶ୍ୱକପ୍‌ ଜିତିବାର ଦୃଢ଼ ଦାବିଦାର ରହିଛି।
ଏହି ବିଶ୍ୱକପ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ ଆଫ୍ରିକା ରହିବ। ଜୁନ୍‌ ୪ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ। ପୂର୍ବରୁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜୁନ୍‌ ୨ ତାରିଖରେ ଖେଳାଯିବାର ନିଷ୍ପତ୍ତି ନିଆଯାଇଥିଲା। ହେଲେ ଲୋଧା ସମିତି ସୁପରିସ ଅନୁଯାୟୀ ଆଇପିଏଲ୍‌ ଫାଇନାଲ୍‌ ଏବଂ ଆନ୍ତର୍ଜାତିକ ମ୍ୟାଚ୍‌ ମଧ୍ୟରେ ୧୫ ଦିନର ବ୍ୟବଧାନ ରଖିବାକୁ ବିସିସିଆଇ ବାଧ୍ୟ ଥିବାରୁ ବିଶ୍ୱକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଜୁନ୍‌ ୪ ତାରିଖକୁ ବଦଳିଯାଇଛି। ୨୦୧୯ ଆଇପିଏଲ୍‌ ମାର୍ଚ ୨୯ରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହାର ୧୫ ଦିନ ବ୍ୟବଧାନ ପୂର୍ବରୁ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ନଖେଳିବାକୁ ଲୋଧା ସମିତି ସୁପାରିସ ରହିଛି। ତେଣୁ ଜୁନ୍‌ ୨ ପରିବର୍ତେ ଜୁନ୍‌ ୪ ତାରିଖରୁ ହିଁ ଭାରତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଅବଶ୍ୟ ଏଭଳି ସୁଚୀ ପରିବର୍ତନ ନେଇ ଆଇସିସି ବୋର୍ଡକୁ ଅବଗତ କରାଯାଇଛି। ଚଳିତ ମାସ ୩୦ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା କରାଯିବାର ସମ୍ଭାବନା ରହିଛି।
କୋଲ୍‌କାତାରେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ୫ ଦିନିଆ ସମ୍ମିଳନୀରେ ୨୦୧୯ ବିଶ୍ୱକପ୍‌ ସୂଚୀ ସଂପର୍କରେ ଘୋଷଣା କରାଯାଇଥିଲା। ହେଲେ ୨୦୧୯ ବିଶ୍ୱକପ୍‌ ସୂଚୀରେ ଏକ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ସାଧାରଣତଃ ଆଇସିସି ତା’ର କୌଣସି ବି ପ୍ରତିଯୋଗିତାକୁ ଭାରତ ଓ ପାକିସ୍ତାନ ମୁକାବିଲାରୁ ଆରମ୍ଭ କରିଥାଏ। ଏହି ମ୍ୟାଚ୍‌ ଜରିଆରେ ଭଲ ଟିକେଟ ବିକ୍ରି ସାଙ୍ଗକୁ ଅଧିକ ରାଜସ୍ୱ ଆଦାୟ କରିଥାଏ। ଅଷ୍ଟ୍ରେଲିଆରେ ୨୦୧୫ ବିଶ୍ୱକପ୍‌ (ଆଡିଲେଡ୍‌) ଏବଂ ଲଣ୍ଡନରେ ୨୦୧୭ ଚାମ୍ପିଅନ୍‌ସ ଟ୍ରଫି (ବିର୍ମିଙ୍ଗ୍‌ହାମ୍‌)ରେ ଭାରତ-ପାକିସ୍ତାନ ମୁକାବିଲାରୁ ଆରମ୍ଭ କରିଥିଲା। ହେଲେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ ପରସ୍ପର ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହେଉନାହାନ୍ତି। ହେଲେ ଜୁନ୍‌ ୧୬ରେ ଏହି ଦୁଇ ପାରମ୍ପରିକ ଶତ୍ରୁ ରାଷ୍ଟ୍ର ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର