ବିଶ୍ୱକପ୍‌ ପାଇଁ ୨୨ ଜଣିଆ ଅଫିସିଆଲସ୍‌ଙ୍କ ନାମ ଘୋଷଣା: ସ୍ଥାନ ପାଇଲେ ଭାରତୀୟ ଆମ୍ପାୟାର

ନୂଆଦିଲ୍ଲୀ: ଅନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ -୨୦୧୯ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମନରେ ସେତିକି ଉତ୍ସାହ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଆଇସିସି ପକ୍ଷରୁ ଶୁକ୍ରବାର ୨୨ ଜଣିଆ ଅଫିସିଆଲ୍‌ସଙ୍କ ନାଁ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ୧୬ଜଣ ଅମ୍ପାୟାର ଥିବା ବେଳେ ୬ଜଣ ମ୍ୟାଚ୍‌ ରେଫରୀ ସାମିଲ ଅଛନ୍ତି। ସବୁଠାରୁ ବଡ କଥା ହେଉଛି, ଏହି ୨୨ ଜଣ ଅଫିସିଆଲ୍‌ସଙ୍କ ମଧ୍ୟରେ ଜଣେ ଭାରତୀୟ ଅମ୍ପାୟାରଙ୍କୁ ସ୍ଥାନ ମିଳିଛି। ବିଶ୍ୱକପରେ ଏକମାତ୍ର ଭାରତୀୟ ଭାବେ ଏସ୍‌. ରବି ଅମ୍ପାୟାରିଂ କରିବାରେ ସୁଯୋଗ ପାଇଛନ୍ତି।

ଏସ. ରବି ନିକଟରେ ଆଇପିଏଲରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚରେ ଚର୍ଚ୍ଚାର ପରିସରକୁ ଆସିଥିଲେ। ମ୍ୟାଚର ଶେଷ ଭାଗରେ ମୁମ୍ବାଇର ବୋଲର ଲାସିଥ୍‌ ମାଲିଙ୍ଗାଙ୍କ ଏକ ନୋ ବଲକୁ ମାର୍କ କରିନଥିଲେ, ଯାହାକୁ ନେଇ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ କେତେକ ଏସ.ରବିଙ୍କୁ ସମାଲୋଚନା କରିଥିଲେ।

Kanak News

ଅଫିସିଆଲ୍‌ସ ତାଲିକା:
ମ୍ୟାଚ୍‌ ରେଫରୀ : କ୍ରିସ୍‌ ବ୍ରଡ୍‌, ଡେଭିଡ୍‌ ବୁନ୍‌, ଆଣ୍ଡି ପାଇକ୍ରଫ୍‌ଟ, ଜେଫ୍‌ କ୍ରୋ, ରଞ୍ଜନ ମଦୁଗଲ, ରିଚି ରିଚାର୍ଡସନ୍‌

ଅମ୍ପାୟାର : ଏସ୍‌.ରବି, ଅଲିମ ଦାର, କୁମାର ଧର୍ମସେନା, ସାଇମନ୍‌ ଟଫେଲ୍‌, ମାରାଇସ୍‌ ଏରାସମସ୍‌, କ୍ରିସ୍‌ ଗଫାନେ, ଇଆନ ଗୋଲ୍‌ଡ, ରିଚାର୍ଡ ଇଲିଙ୍ଗୱର୍ଥ, ମାଇକେଲ ଗଫ, ପଲ୍‌ ବିଲସନ୍‌, ଜୋଏଲ ବିଲସନ୍‌, ର୍ୟାଡ୍‌ ଟକ୍କର, ପଲ୍‌ ରିଫେଲ୍‌, ବ୍ରୁସ୍‌ ଆକ୍ସେନଫୋର୍ଡ, ନାଇଜଲ୍‌ ଲାଙ୍ଗ, ରୁଚିରା ପିଲିୟାଗୁରୁଗେ

ସୂଚନାଯୋଗ୍ୟ, ଆସନ୍ତା ମେ’ ମାସ ୩୦ରୁ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବ। ଏହି କ୍ରିକେଟ୍‌ ମହାକୁମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ସାମିଲ ହେବେ। ୪୫ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୪୮ଟି ମ୍ୟାଚ ଖେଳାଯିବ। ଭାରତର ଅଭିଯାନ ଦକ୍ଷିଣଆଫ୍ରିକା ବିପକ୍ଷରେ ଜୁନ ୫ରୁ ଆରମ୍ଭ ହେବାକୁ ଥିବା ବେଳେ ଜୁନ ୧୬ରେ ପାକିସ୍ତାନ ସହିତ ମୁକାବିଲା ହେବ।

ସମ୍ବନ୍ଧିତ ଖବର