୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦: ଓଡ଼ିଶାର ହ୍ୟାଟ୍ରିକ୍‌ ବିଜୟ

କଟକ: ରାଜକୋଟରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ରେ ଓଡ଼ିଶା ହ୍ୟାଟ୍ରିକ ବିଜୟ ପାଇଛି। ପୂର୍ବ ଦୁଇଟି ମ୍ୟାଚ୍‌ରେ ମଧ୍ରପଦେଶକୁ ୮ ୱିକେଟ୍‌ରେ ଏବଂ ମିଜୋରାମକୁ ୨୦୪ ରନ୍‌ରେ ପରାସ୍ତ କରିଥିବା ଓଡ଼ିଶା ଦଳ ଶୁକ୍ରବାର ୪୯ ରନ୍‌ରେ ସୌରାଷ୍ଟ୍ରକୁ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ସହ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ନିର୍ଧାରିତ ଓଭରରେ ୨ ଵିକେଟ ବିନିମୟରେ ୧୨୩ ରନ୍‌ କରିଥିଲା। କାଜଲ ଜେନା ୩୨ ଓ ଅଞ୍ଜଳି ସି˚ହ ୩୯ ରନ୍‌ କରି ଆଉଟ ହୋଇଥିଲା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ ୪୨ ଓ ସୁମିତ୍ରା ସାହୁ ୨ ରନ୍‌ରେ ଅପରାଜିତ ରହିଥିଲେ। ସୌରାଷ୍ଟ୍ରର ସଫଳ ବୋଲର ଭାବେ ଟି ଧରଣୀ ୨ଟିଯାକ ୱିକେଟ୍‌ ନେଇଥିଲେ। ଜବାବରେ ନିୟମିତ ବ୍ୟବଧାନରେ ବ୍ୟାଟି˚ ବିପର୍ଯ୍ୟୟର ଶିକାର ହୋଇ ସୌରାଷ୍ଟ୍ର ୮ ଵିକେଟ୍‌ ବିନିମୟରେ ମାତ୍ର ୭୪ ରନ୍‌ କରିପାରିଥିଲା। ଓଡ଼ିଶା ପକ୍ଷରୁ ଇନ୍ଦ୍ରାଣୀ ଛତ୍ରିଆ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ୨, ରାଜଶ୍ରୀ ସ୍ବାଇଁ, ବର୍ଷାରାଣୀ ସି˚ହ ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ। ହ୍ୟାଟ୍ରିକ୍‌ ବିଜୟ ସହ ଓଡ଼ିଶା ସମାନ ୧୨ ପଏଣ୍ଟ୍‌ ସହ ରେଳବାଇ ପଛକୁ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଶନିବାର ଓଡ଼ିଶା ପରବର୍ତୀ ମ୍ୟାଚ୍‌ରେ ବିଦର୍ଭକୁ ଭେଟିବ।

ସମ୍ବନ୍ଧିତ ଖବର