୨୩ ବର୍ଷରୁ କମ୍‌ ମହିଳା‌ ଟ୍ବେଣ୍ଟି-୨୦ ହାରିଲେ ଓଡିଶା ମହିଳା, କାଜଲଙ୍କ ଅର୍ଧଶତକ ବେକାର

କଟକ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍‌ ମହିଳା‌ ଟ୍ବେଣ୍ଟି-୨୦ କ୍ରିକେଟରେ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଆର୍‌ଭିଆର୍‌ ଆଣ୍ଡ ଜେସି କଲେଜ ପଡ଼ିଆରେ ‌ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲଠୁ ୭ ୱିକେଟ୍‌ରେ ପରାସ୍ତ ହୋଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ୬ ୱିକେଟ ବିନିମୟରେ ୧୧୯ ରନ୍‌ କରିଥିଲା। କାଜଲ ଜେନା ସର୍ବାଧିକ ୫୪ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ଶୁଭ୍ର ସ୍ବାଇଁ ୧୨, ପୁନମ ନାୟକ ୧୦, ସଙ୍ଗୀତା ଖଡ଼ିଆ ୧୭* ରନ୍‌ କରିଥିଲେ। ବେଙ୍ଗଲର ଶ୍ରେୟା ଖରା ୩ ୱିକେଟ୍‌ ନେଇ ସଫଳ ବୋଲର ରହିଥିଲେ। ୧୨୦ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବେଙ୍ଗଲ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସୁସ୍ମିତା ଗାଙ୍ଗୁଲି ୧, ଅମ୍ବିକା ଗୁହା ୪ ରନ୍‌ କରି ଆଉଟ ହୋଇଥିଲେ। ହେଲେ ରିଚା ଘୋଷ ଗୋଟିଏ ପଟୁ ଆକ୍ରମଣ କରି ଖେଳିବା ସହ ଅର୍ଧଶତକ ଅର୍ଜନ କରିଥିଲେ। ସେ ୬୯ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ପର୍ଣ୍ଣ ପଲ୍‌ ଅପରାଜିତ ୩୧ ରନ୍‌ କରିବାରୁ ଦଳ ୩ ୱିକେଟ ବିନିମୟରେ ବିଜୟୀ ହୋଇଥିଲା। ତରନା ପ୍ରଧାନ, ଲୁଇସା ଦାଶ, ଶୁଭ୍ରା ସ୍ବାଇଁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ବୁଧବାର ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ ଛତିଶଗଡ଼ ସହ ଖେଳିବ।

ସମ୍ବନ୍ଧିତ ଖବର