ଟୋକିଓ ହକି ଟିକେଟ୍‌ ପାଇଲେ ୨୪ ଦଳ

ଭୁବନେଶ୍ବର: ଟୋକିଓ ଅଲିମ୍ପକ୍ସ ଲାଗି ଚାଲିଥିବା ହକି ଯୋଗ୍ୟତା ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଅନ୍ତିମ ଦିନରେ ଉଭୟ ପୁରୁଷ ଏବଂ ମହିଳା ବର୍ଗର ଆଉ ୬ ଦଳ ଆସନ୍ତାବର୍ଷର ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତା’ ସହ ମହିଳା ଏବଂ ପୁରୁଷ ବର୍ଗରେ ଖେଳିବାକୁ ଥିବା ୧୨ଟି ଲେଖାଏଁ ଦଳର ନାଁ ସ୍ପଷ୍ଟ ହୋଇଛି। ରବିବାର ପୁରୁଷ ବର୍ଗରେ ନ୍ୟୁଜିଲାଣ୍ଡ ୪-୦ରେ କୋରିଆକୁ, ଜର୍ମାନି ୭-୦ରେ ଇଟାଲିକୁ, ଗ୍ରେଟ୍ ବ୍ରିଟେନ ୫-୨ରେ ମାଲେସିଆକୁ, ଜର୍ମାନି ୫-୩ରେ ଅଷ୍ଟ୍ରିଆକୁ ପରାସ୍ତ କରି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ। ସେହିଭଳି ମହିଳାରେ ଗ୍ରେଟ୍ ବ୍ରିଟେନ ୨-୧ରେ ଚିଲିକୁ, ଆୟର୍ଲାଣ୍ଡ ୪-୩ (୦-୦, ପେନାଲ୍ଟି ସୁଟଆଉଟ୍)ରେ କାନାଡାକୁ ପରାସ୍ତ କରି ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ଭାରତ ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ଏଥର ଅଲିମ୍ପିକ୍ସ ଖେଳୁଥିବାର ଦେଖିବାକୁ ମିଳିବ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳଗୁଡ଼ିକ ହେଲେ: ମହିଳା- ଜାପାନ (ଆୟୋଜକ), ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଚୀନ, ଭାରତ, ଆୟର୍ଲାଣ୍ଡ, ଜର୍ମାନି, ଗ୍ରେଟ୍ ବ୍ରିଟେନ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଓ ସ୍ପେନ୍। ପୁରୁଷ: ଜାପାନ (ଆୟୋଜକ), ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, କାନାଡା, ଜର୍ମାନି, ଗ୍ରେଟ୍ ବ୍ରିଟେନ, ଭାରତ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା‌ ଓ ସ୍ପେନ୍।

ସମ୍ବନ୍ଧିତ ଖବର