ଭାଗ ନେଲେ ୨୮ ଜିଲ୍ଲାରୁ ୧୭୦ ପ୍ରତିଯୋଗୀ

ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟାଡିୟମରେ ପଞ୍ଚଦଶ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଶନିବାର ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲା ସୌଖୀନ ସୁନ୍ଦର ସ୍ୱାସ୍ଥ୍ୟ ସଂଘ ଓ ରାଜେଶ ବଡିଲାଇନ୍‌ ଜିମ୍‌ ପାଓ୍ଵାର୍‌ ହାଉସ୍‌ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୮ ଜିଲ୍ଲାରୁ ପ୍ରାୟ ୧୭୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୫୫ କେଜିରୁ ଆରମ୍ଭ କରି ୧୦୦ କେଜିରୁ ଅଧିକ ପ୍ରତିଟି ବର୍ଗର କୃତୀ ପ୍ରତିଯୋଗୀ ଆସନ୍ତା ମାର୍ଚ୍ଚ ମାସରେ ପୁନେରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହେବେ। ଏଥିସହ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚଳିତ ବର୍ଷର ଓଡ଼ିଶାଶ୍ରୀ (ମିଷ୍ଟର ଓଡ଼ିଶା) ଭାବେ ସମ୍ମାନିତ କରାଯିବ। ଦୁଇ ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରକ ଭାବେ ପୂର୍ଣ୍ଣଚନ୍ଦ୍ର ପାତ୍ର, କିଶୋର ମିଶ୍ର, ଉମାଚରଣ ଶତପଥୀ, ସୋମନାଥ ନନ୍ଦ, ମନ୍ମଥ ମିଶ୍ର, ଭବାନୀଶଙ୍କର ସାହୁ, ଅଜୟ କୁମାର ମହାପାତ୍ର, ଭାରତୀ କୃଷ୍ଣ ବ୍ରହ୍ମା ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, କୁକୁଡ଼ାଖଣ୍ଡି ବ୍ଲକ୍‌ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ସାହୁ, ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଇଂ. ଚିତ୍ତରଂଜନ ସ୍ୱାଇଁ, ସମ୍ପାଦକ ପ୍ରସନ୍ନ ମହାସୁଆର, ଗଂଜାମ ଜିଲ୍ଲା ସଂଘର ପାଟ୍ରନ୍‌ ପ୍ରଦୀପ କୁମାର ଶତପଥୀ, ସାଧାରଣ ସମ୍ପାଦକ ଏସ୍‌. ରାଜେଶ ବାବୁ ଆଚାରୀ, ଉପ ସଭାପତି ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର