ସ୍କ୍ଵାସ୍‌ରୁ ୩ କାଂସ୍ୟ, ସେମିରେ ହାରିଲେ  ଦୀପିକା, ଜୋତ୍ସ୍ନା ଓ ସୌରଭ

ଅଷ୍ଟାଦଶ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ସ୍କ୍ଵାସ୍‌ରୁ ଭାରତକୁ ୩ କାଂସ୍ୟ ପଦକ ମିଳିଛି। ମହିଳାରେ ଦୀପିକା ପାଲିକଲ୍‌, ଜୋତ୍ସ୍ନା ଚିନାପ୍ପା ନିଜ ନିଜ ଏକକ ସେମିଫାଇନାଲରେ ପରାଜିତ ହୋଇଥିଲା ବେଳେ ପୁରୁଷରେ ସୌରଭ ଘୋଷାଲ ମଧ୍ୟ ସେମିଫାଇନାଲ୍‌ ବାଧା ପାର କରି ପାରିନାହାନ୍ତି। ଫଳରେ ତିନି ଜଣ ଯାକ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଦୀପିକା ଆଜି ସେମିଫାଇନାଲରେ ଗତଥରର ବିଜୟିନୀ ମାଲେସିଆର ନିକୋଲ ଡେଭିଡଙ୍କଠାରୁ ୦-୩ରେ ପରାଜିତ ହୋଇଥିଲେ। ସାଥୀ ଖେଳାଳି ଜୋତ୍ସ୍ନା ଅପେକ୍ଷାକୃତ ଭଲ ଖେଳିଥିଲେ ମଧ୍ୟ ସେହି ମାଲେସିଆର ଶିବସାଙ୍ଗରି ସୁବ୍ରମଣ୍ୟୁମଙ୍କଠାରୁ  ୨-୩ରେ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ। ସୌରଭ ହଂକଂର ଚଙ୍ଗ ମିଙ୍ଗ ଆଉଙ୍କଠାରୁ ୨-୩ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେପଟେ ତୀରନ୍ଦାଜୀ ରିକର୍ଭରେ ଭାରତର ଅଭିଯାନ ଶେଷ ହୋଇ ଯାଇଥିଲା। ଏହି ଖେଳର ଏକକ ବର୍ଗରୁ ସବୁ ଭାରତୀୟ ବିଦାୟ ନେଇ ସାରିଥିବା ବେଳେ ଶନିବାର ଉଭୟ ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଥିଲେ। ମହିଳା ଦଳ ଚାଇନିଜ୍‌ ତାଇପେଠାରୁ ୨-୬ ଏବଂ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ କୋରିଆଠାରୁ ୧-୫ରେ ହାରିଥିଲେ। ମହିଳା ଦଳର ପରାଜୟ ପରେ ଦେଶର ଏକ ନମ୍ବର ତୀରନ୍ଦାଜୀ ତାରକା ଦୀପିକା କୁମାରୀ କାନ୍ଦି ପକାଇଥିଲେ।

ସାତ୍ତ୍ୱିକ-ଚିରାଗ, ଅଶ୍ୱିନୀ-ସିକ୍କି ବିଦା

ଜାକର୍ତା: ବ୍ୟାଡ୍‌ମିଣ୍ଟନରେ ଶନିବାର ଭାରତକୁ ମିଶ୍ର ଫଳ ମିଳିଛି। ଦୁଇ ମହିଳା ତାରକା ସାଇନା ନେହ୍ଵାଲ ଓ ପିଭି ସିନ୍ଧୁ ନିଜ ନିଜର ସହଜ ବିଜୟ ସହ ମହିଳା ଏକକ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଥିଲା ବେଳେ ସାତ୍ତ୍ୱିକ୍‌ସାଇରାଜ୍‌ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଏବଂ ମନୁ ଅତ୍ରି ଓ ସୁମିତ୍‌ ରେଡ୍ଡୀ ପୁରୁଷ ଯୁଗଳ ଦ୍ୱିତୀୟ ରାଉଣ୍ଡ୍‌ରୁ ଏବଂ ଏବଂ ଅଶ୍ୱିନୀ ପୋନାପ୍ପା-ସିକ୍କି ରେଡୀ ମହିଳା ଯୁଗଳ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜୟିନୀ ସାଇନା ଶନିବାର ଦ୍ୱିତୀୟ ରାଉଣ୍ଡ୍‌ ମୁକାବିଲାରେ ୪୦ତମ ମାନ୍ୟତା ଇଣ୍ଡୋନେସିଆର ଫିଟ୍ରିଆନିଙ୍କୁ ସିଧାସଳଖ ୨୧-୬ ଓ ୨୧-୧୪ ଗେମ୍‌ରେ ପରାସ୍ତ କରିଦେଇଥିଲା ବେଳେ ଅଲିମ୍ପିକ୍‌ ଓ ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସିନ୍ଧୁ ବିଶ୍ୱ ମାନ୍ୟତାର ୨୨ ଇଣ୍ଡୋନେସିଆ ଖେଳାଳି ଗ୍ରିଗୋରିଆ ମରିସ୍କା ତୁନ୍‌ଜୁଙ୍ଗ୍‌ଙ୍କୁ ୨୧-୧୨ ଓ ୨୧-୧୫ ସିଧାସଳଖ ଗେମ୍‌ରେ ପରାସ୍ତ କରିଦେଇଥିଲେ। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଭାରତୀୟ ଯୋଡ଼ି ସାତ୍ତ୍ୱିକ୍‌-ଚିରାଗ ଦ୍ୱିତୀୟ ରାଉଣ୍ଡ୍‌ ବାଧା ଅତିକ୍ରମ କରିବାରେ ବିଫଳ ହୋଇଥିଲେ। ପୁରୁଷ ଯୁଗଳ ଦ୍ୱିତୀୟ ରାଉଣ୍ଡ୍‌ରେ ଏହି ଯୋଡ଼ି ୧୭-୨୧, ୨୧-୧୯ ଓ ୧୭-୨୧ରେ କୋରିଆ ଯୋଡ଼ି ଚୋଇ ସୋଲ୍‌ଗ୍ୟୁ ଓ ମିନ୍‌ ହ୍ୟୁନ୍‌ କଙ୍ଗ୍‌ଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି। ସେହିପରି ମହିଳା ଯୁଗଳରେ ଅଶ୍ୱିନୀ ପୋନାପ୍ପା ଓ ସିକ୍କି ରେଡୀ ମଧ୍ୟ ଭାରତକୁ ନିରାଶ କରିଛନ୍ତି। ଏହି ଯୋଡ଼ି କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ତୃତୀୟ ଚୀନ୍‌ ଯୋଡ଼ି ୟିଫାନ୍‌ ଜିଆ ଓ କ୍ୱିଙ୍ଗ୍‌ଚେନ୍‌ ଚେନ୍‌ଙ୍କ ନିକଟରୁ ୧୧-୨୧ ଓ ୨୨-୨୪ରେ ହାରି ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ମନୁ ଅତ୍ରି ଓ ସୁମିତ୍‌ ରେଡ୍ଡୀ ୧୩-୨୧, ୨୧-୧୭ ଓ ୨୩-୨୫ରେ ଚାଇନିଜ୍‌ ତାଇପେ ଯୋଡ଼ି ଲି ଜୁନୁଇ ଓ ଲିଉ ୟୁଚେନ୍‌ଙ୍କଠାରୁ ହାରିଯାଇଛନ୍ତି।

ଭାରୋତ୍ତୋଳନରେ ମୋରାଦିଙ୍କ ବିଶ୍ୱ କୀର୍ତ୍ତିମାନ
ଇରାନର ଅଲିମ୍ପିକ୍ସ ବିଜେତା ଭରୋତ୍ତୋଳକ ସୋହରାବ ମୋରାଦି ପୁରୁଷ ୯୪ କିଲୋଗ୍ରାମ ଭାରୋତ୍ତୋଳନର ସ୍ନାଚ୍‌ରେ ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଅଷ୍ଟାଦଶ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ସୋହରାବ ସ୍ନାଚରେ ୧୮୯ କିଲୋଗ୍ରାମ ଭାର ଉଠାଇଥିଲେ। ଏହା କରି ସେ ଗ୍ରିସର ଆକାକିଓସ୍‌ କାକିଆସ୍‌ଭିଲିସ୍‌ (୧୮୮ କିଲୋଗ୍ରାମ)ଙ୍କୁ ଅତିକ୍ରମ କରିଥିଲେ। ଦୁଇ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୋହରାବ ପୂର୍ବରୁ କ୍ଲିନ୍‌ ଆଣ୍ଡ ଜର୍କ (୨୩୩) ଏବଂ ମୋଟ (୪୧୭ କିଲୋଗ୍ରାମ)ରେ ବିଶ୍ୱ କୀର୍ତ୍ତିମାନ କରିଥିଲେ।

ମାରାଥନ ବିଜେତାଙ୍କୁ ନେଇ ବିବାଦ

ଅଷ୍ଟାଦଶ ଏସୀୟ କ୍ରୀଡ଼ାର ମାରାଥନ ବିଜେତା ଜାପାନର ହିରୋତୋ ଇନୋଙ୍କ ବ୍ୟବହାରକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ଫିନିସ୍‌ ଲାଇନର ଠିକ୍‌ ପୂର୍ବରୁ ଇନୋ ରୌପ୍ୟ ପଦକ ବିଜେତା ବାହାରିନର ଏଲାସନ ଏଲାବାସିଙ୍କ ପଥ ଅବରୋଧ କରିଥିବା ଅଭିଯୋଗ ହୋଇଛି। ସେଥିପାଇଁ ବାହାରିନ ତାଙ୍କ ବିରୋଧରେ ଏସୀୟ ଅଲିମ୍ପିକ୍ସ ପରିଷଦ ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି। ମାରଥନର ଶେଷ ୧୦୦ ମିଟରରେ ଏଲାବାସିଙ୍କଠାରୁ ଇନୋ କିଛି ମିଟର ଆଗରେ ଥିଲେ। ଏଲାବାସି ନିଜ ଗତି ବଢ଼ାଇ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା ବେଳେ ଇନୋ ତାଙ୍କୁ ଠେଲି ଦେଇଥିଲେ। ଫଳରେ ଏଲାବାସି ଭାରସାମ୍ୟ ହରାଇବା ସହ ସ୍ୱର୍ଣ୍ଣ ପଦକରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଉଭୟ ୨ ଘଣ୍ଟା ୧୮ ମିନିଟ୍‌ ୨୨ ସେକେଣ୍ଡରେ ରେସ୍‌ ଶେଷ କରିଥିଲେ। ହେଲେ ଫଟୋ ଫ୍ରେମରେ ଆଗୁଆ ରହି ଇନୋ ୧୯୮୬ ମସିହା ପରେ ପ୍ରଥମ ଜାପାନୀ ମାରଥନର ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚୀନର ଦୋଉ ବୁଜେ ଏହି ବର୍ଗର କାଂସ୍ୟ ପଦକ ହାସଲ କରିଥିଲେ।

ଚୀନ୍‌ ସନ୍ତରକଙ୍କ ବିରୋଧରେ କୋରିଆର ଅଭିଯୋଗ
ଅଭ୍ୟାସ ବେଳେ କୋରିଆ ସନ୍ତରକ କିମ୍‌ ହେ-ଜିନଙ୍କୁ ଗୋଇଠା ମାରି ଚୀନ୍‌ ସନ୍ତରକ ଅଡ଼ୁଆରେ ପଡ଼ିଛନ୍ତି। ସଂପୃକ୍ତ ଚୀନ୍‌ ଖେଳାଳିଙ୍କ ବିରୋଧରେ କୋରିଆ ଏସୀୟ ଅଲିମ୍ପିକ୍‌ ପରିଷଦ (ଓସିଏ) ନିକଟରେ ଲିଖିତ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଶନିବାର ଗେଲୋରା ବଙ୍ଗ କର୍ନୋ ଜଳକ୍ରୀଡ଼ା କେନ୍ଦ୍ରଠାରେ ଅଭ୍ୟାସ କରୁଥିଲା ବେଳେ କିମ୍‌ ଅଜାଣତରେ ଚୀନର ସେହି ମହିଳା ସନ୍ତରକଙ୍କ ସହ ଧକ୍କା ହୋଇ ଯାଇଥିଲେ। ପରେ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଚୀନ୍‌ ଖେଳାଳିଜଣକ ତାଙ୍କ କ୍ଷମାପ୍ରାର୍ଥନାକୁ ବୁଝି ପାରି ନଥିଲେ। କିମ୍‌ କିଛି ବୁଝିବା ପୂର୍ବରୁ ତାଙ୍କୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ଏହି ଘଟଣା ପଦାକୁ ଆସିବା ପରେ ଚୀନ୍‌ ଅଧିକାରୀମାନେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ। ତେବେ କୋରିଆ ଅଲିମ୍ପିକ୍‌ ଏବଂ କ୍ରୀଡ଼ା ସମିତି (କେଏସ୍‌ଓସି) ଓସିଏ ନିକଟରେ ଆନୁଷ୍ଠାନିକ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତକୁ ଉତ୍ସାହିତ କଲେ ପାକିସ୍ତାନ ଖେଳାଳି
ଭାରତ-ପାକିସ୍ତାନ କୁଟନୈତିକ ସଂପର୍କ ଏକ ପ୍ରକାର ଛିନ୍ନ ହୋଇଛି। ସୁଯୋଗ ମିଳିଲେ ଦୁଇ ଦେଶ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିବାକୁ ଭୁଲୁନାହାନ୍ତି। ସୀମାରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ହେଲେ ଖେଳ ପଡ଼ିଆରେ ଦୁଇ ଦେଶର ଖେଳାଳିମାନେ ନିଜ ନିଜ ମଧ୍ୟରେ ସୁସଂପର୍କ ସ୍ଥାପନ କରିଛନ୍ତି। ଉଭୟ ଉଭୟଙ୍କୁ ଉତ୍ସାହିତ କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଏଭଳି ଏକ ଘଟଣା ଶୁକ୍ରବାର ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଟେନିସ୍‌ କୋର୍ଟରେ ଦେଖିବାକୁ ମିଳିଥିଲା। ଭାରତୀୟ ପ୍ରତିଯୋଗୀ ରୋହନ ବୋପାନ୍ନା ଓ ଦିବିଜ ଶରଣଙ୍କୁ ଉତ୍ସାହିତ କରିବା ଲାଗି ପାକିସ୍ତାନ ଟେନିସ୍‌ ଦଳର ସମସ୍ତ ସଦସ୍ୟ ସେଠାରେ ପହଞ୍ଚି ଯାଇଥିଲେ। ଏପରିକି ଏହି ଦୁଇ ଜଣ ସ୍ୱର୍ଣ୍ଣ ଜିତିବା ପରେ ପାକିସ୍ତାନ ଖେଳାଳିମାନେ ସେମାନଙ୍କ ସହ ଫଟୋ ଉଠାଇବାକୁ ଭୁଲି ନଥିଲେ।

 

ସମ୍ବନ୍ଧିତ ଖବର