ଜାତୀୟ ହକି ଶିବିରରେ ୩ ଓଡ଼ିଆ

ଭୁବନେଶ୍ବର/ନୂଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆୟୋଜିତ ଜାତୀୟ ବାଳିକା ହକି ଶିବିର ପାଇଁ ସୋମବାର ହକି ଇଣ୍ଡିଆ ୩୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କୁ ମନୋନୀତ କରିଛି। ସୋମବାରଠାରୁ ବାଙ୍ଗାଲୋର ସାଇ କେନ୍ଦ୍ରରେ ଶିବିର ଆରମ୍ଭ ହୋଇଥିବାବେଳେ ଏହା ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶାରୁ ୩ ଜଣ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ-ମିଡ୍‌ଫିଲ୍‌ଡର ମାରିଆନା କୁଜୁର, ଆଜମିନା କୁଜୁର ଏବଂ ଫରୱାର୍ଡ ଜୀବନ କିଶୋରୀ ଟୋପ୍ପୋ। ପ୍ରଶିକ୍ଷକ ବଲଜିତ୍ ସିଂହ ‌ସଇନିଙ୍କ ତତ୍ବାବଧାନରେ ଆରମ୍ଭ ହୋଇଥିବା ଏହି ଶିବିର ଶେଷରେ ୧୮ ଜଣିଆ ଚୂଡାନ୍ତ ଦଳ ଘୋଷିତ ହେବ। ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଏହି ଦଳ ଭଗନେବ। ଭାରତ ସହିତ ଆୟୋଜକ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍ ପ୍ରତିନିଧିତ୍ବ କରିବେ। ଖେଳାଳିଙ୍କ ଫିଟନେସ୍‌ ବଜାୟ ରଖିବା ସହିତ ଲୟ ବଢ଼ାଇବା ଏହି ଶିବିରର ମୁଖ୍ୟ ଆଭିମୁଖ୍ୟ ରହିଛି। ଉଚ୍ଚସ୍ତରୀୟ ହକି ଖେଳିବା ଲାଗି ଖେଳାଳିଙ୍କୁ ପ୍ରସ୍ତୁତ କରାଇବା ଏବଂ ଦୁର୍ବଳ ଦିଗକୁ ଦୂର କରିବା ଏହି ପ୍ରଶିକ୍ଷଣ ଶିବିରର ଆଭିମୁଖ୍ୟ ବୋଲି ପ୍ରଶିକ୍ଷକ ବଲଜିତ୍ ସିଂହ ସଇନି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର