‘କୋଭିଡ୍‌-୧୯’ ସଂକଟ ଦାୟିତ୍ବରେ ୩ ତାରକା, ଯୋଗୀନ୍ଦରଙ୍କୁ ଆଇସିସିର ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଦେଖା ଦେଇଥିବା ‘କୋଭିଡ୍‌-୧୯’ ସଂକଟ ପରିପ୍ରେକ୍ଷୀରେ ଭାରତୀୟ ପୁଲିସ୍‌ ମଧ୍ୟ ଜନସାଧାରଣଙ୍କୁ ଗୃହାବଦ୍ଧ ରହିବାକୁ ବୁଝାଇବା ଏବଂ ସଚେତନତା ଅଭିଯାନରେ ନିଜକୁ ନିୟୋଜିତ ରଖିଛି। ଭାରତରେ କିନ୍ତୁ ଏଭଳି ୩ ଜଣ ପୁଲିସ୍ ରହିଛନ୍ତି ଯେଉଁମାନେ କ୍ରୀଡ଼ା ଦୁନିଆରେ ଅନ୍ତର୍ଜାତୀୟ ସଫଳତା ଅର୍ଜନ କରିଥିଲେ। ଦେଶକୁ କ୍ରୀଡ଼ା ଗୌରବ ଦେବା ପରେ ଏବେ ଭାରତ ମାତାର ସେବାରେ ରହିଛନ୍ତି। ଏହି ୩ ପ୍ରମୁଖ ଖେଳାଳି ହେଲେ-ବିଶ୍ବକପ୍‌ ବିଜେତା କ୍ରିକେଟର୍‌ ଯୋଗୀନ୍ଦର ଶର୍ମା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ମୁଷ୍ଟିଯୋଦ୍ଧା ଅଖିଲ କୁମାର ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅଜୟ ଠାକୁର। ଏହି ୩ ଜଣ ବିଭିନ୍ନ ଖେଳରୁ ଆସିଥିଲେ ମଧ୍ୟ ଏବେ ପୂର୍ଣ୍ଣକାଳୀନ ପୁଲିସ୍‌ ଅଧିକାରୀ। ‘କୋଭିଡ୍‌-୧୯’ର ଅପ୍ରତ୍ୟାଶିତ ସଂକଟ ସମୟରେ ଏମାନେ ନିଜ ନିଜ ଭୂମିକାକୁ ସୁଚାରୁରୂପେ ତୁଲାଇବାରେ ବ୍ୟସ୍ତ। ପାକିସ୍ତାନ ବିପକ୍ଷ ୨୦୦୭ ବିଶ୍ବକପ୍‌ ଫାଇନାଲ୍‌ର ଶେଷ ଓଭର ବୋଲିଂ କରିଥିବା ଯୋଗୀନ୍ଦର କହିଛନ୍ତି ‘ଚାକିରି ଜୀବନରେ ମୁଁ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି, ଏହା ନିଶ୍ଚିତ ଭିନ୍ନ ଏକ ଆହ୍ବାନ। ସକାଳ ୬ଟାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ କରିବାକୁ ପଡୁଛି। ଲୋକଙ୍କୁ ବୁଝାଇବା ଏବଂ ଆତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ଆମ ଦାୟିତ୍ବ ପାଲଟିଛି। ଜନସାଧାରଣଙ୍କୁ ଅଯଥାରେ ବାହାରକୁ ନ ଆସିବାକୁ ମଧ୍ୟ ଅନୁରୋଧ କରୁଛି’ ବୋଲି ହିସାରରେ ନିଯୁକ୍ତ ଯୋଗୀନ୍ଦର ପ୍ରକାଶ କରିଛନ୍ତି। ଲୋକମାନେ ସାଧାରଣତଃ ସହ‌ଯୋଗୀ, ଆସ୍ତେ ଆସ୍ତେ ପରିସ୍ଥିତିକୁ ବୁଝୁଛନ୍ତି ବୋଲି କହିଥିଲେ ଗତ ସେପ୍ଟେମ୍ବର ମାସରେ ଗୁରୁଗାଓଁ ପୁଲିସ୍‌ରେ ଏସିପି ଭାବେ ‌ଯୋଗ ଦେଇଥିବା ଅଖିଲ କୁମାର। ଯୋଗୀନ୍ଦର ଏବଂ ଅଖିଲ ମଧ୍ୟ ଭଲ ବଂଧୁଭାବେ ଜଣାଶୁଣା। ଦୁଇ ଥର ଅଲିମ୍ପିଆନ୍‌ ଓ ଅର୍ଜୁନ ପୁରସ୍କାରପ୍ରାପ୍ତ ଅଖିଲ ସାଥୀ ମୁଷ୍ଟିଯୋଦ୍ଧା ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଜିତେନ୍ଦର କୁମାରଙ୍କ ସହ ମିଶି ମଧ୍ୟ ଅର୍ଥ ସଂଗ୍ରହ କରି ଲୋକଙ୍କୁ ଖାଦ୍ୟ ଏବଂ ହସ୍ତପ୍ରକ୍ଷାଳକ ଯୋଗାଉଛନ୍ତି। ଅନ୍ୟପକ୍ଷରେ ହିମାଚଳପ୍ରଦେଶ ପୁଲିସ୍‌ରେ ଡିଏସ୍‌ପି ଭାବେ କାମ କରୁଛନ୍ତି ଅଜୟ କୁମାର। ୨୦୧୭ ମସିହାରୁ ନିଯୁକ୍ତ ଅଜୟଙ୍କୁ ଅର୍ଜୁନ ଏବଂ ପଦ୍ମଶ୍ରୀ ପୁରସ୍କାର ମିଳିସାରିଛି। ୨୦୧୪ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅଜୟ ଏବେ ବିଳାସପୁର ଗଳିକନ୍ଦିରେ ପାଟ୍ରୋଲିଂ କରିବା ସହ ଲୋକଙ୍କୁ ସଚେତନ କରାଉଛନ୍ତି। ସ୍ବାସ୍ଥ୍ୟ ସଂକଟ ଜନିତ ଭିଡିଓ ପଠାଇ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲୋକଙ୍କୁ ସଚେତନ କରାଯାଉଛନ୍ତି। ‌

ଯୋଗୀନ୍ଦରଙ୍କୁ ଆଇସିସିର ପ୍ରଶଂସା
ନୂଆଦିଲ୍ଲୀ: ୨୦୦୭ ଆଇସିସି ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ତାରକା ଖେଳାଳି ଯୋଗୀନ୍ଦର ଶର୍ମାଙ୍କୁ ଉଚ୍ଚ ପ୍ରଶଂସା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ମାରାତ୍ମକ ଭୂତାଣୁ କରୋନା କବଳରୁ ଭାରତୀୟଙ୍କୁ ରକ୍ଷା କରିବା ଲାଗି ଯୋଗୀନ୍ଦର ନିରଂତର ପ୍ରୟାସ କରୁଥିବାରୁ ଆଇସିସି ରବିବାର ଏହି ପ୍ରଶଂସା କରିଛି। ୨୦୦୭ ବିଶ୍ବକପ୍‌ର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବିଜୟୀ ଫାଇନାଲ ଓଭରକୁ ଯୋଗୀନ୍ଦର ବୋଲିଂ କରିଥିଲେ। ଏବେ ଯୋଗୀନ୍ଦର ହରିଆନା ପୁଲିସ୍‌ରେ ଡିଏସ୍‌ପି ଭାବେ କାମ କରୁଥିବାରୁ କରୋନା ବିରୋଧରେ ମଧ୍ୟ ଲଢ଼େଇ କରୁଛନ୍ତି। ଏହି ମହାମାରୀ ଅଦ୍ୟାବଧି ବିଶ୍ବରେ ୩୨,୦୦୦ରୁ ଊର୍ଧ୍ବ ଜୀବନ ନେଇ ସାରିଛି। ଭାରତର ମୃତ୍ୟୁ ସଂଖ୍ୟା ମଧ୍ୟ ୨୫ ଅତିକ୍ରମ କରିଛି। କ୍ରିକେଟ୍ ଜୀବନ ପରେ ଯୋଗୀନ୍ଦର ଏଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସଙ୍କଟ ସମୟରେ ଲୋକଙ୍କ ପାଇଁ କାମ କରୁଛନ୍ତି। କ୍ରିକେଟର୍‌ ଏବଂ ପୁଲିସ୍ ପୋଷାକରେ ଥିବାର ଯୋଗୀନ୍ଦରଙ୍କ ଫଟୋ ରଖି ଆଇସିସି ଏଭଳି ଟ୍ବିଟ୍‌ କରି ତାଙ୍କର ପ୍ରଶଂସା କରିଛି।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୭ ମସିହାର ମଧ୍ୟରେ ଯୋଗୀନ୍ଦର ଭାରତ ପାଇଁ ୪ ଲେଖାଏଁ ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଅବସର ନେବା ପରେ ସେ ପୁଲିସ୍‌ରେ ଯୋଗ ଦେଇଥିଲେ। ଭାରତର ପ୍ରଥମ ଟି-୨୦ ବିଶ୍ବକପ୍‌ ବିଜୟ ଫାଇନାଲ୍ ଓଭର ବୋଲିଂ ପାଇଁ ଯୋଗୀନ୍ଦର ଅଧିକ ଚର୍ଚିତ ହୋଇଥାନ୍ତି। ଶେଷ ଓଭରରେ ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ୍‌ ହକ୍‌ଙ୍କ ୱିକେଟ୍ ସହିତ ଭାରତକୁ ୫ ରନ୍‌ରେ ବିଜୟୀ କରାଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୩ ବଲ୍ ପୂର୍ବରୁ ବିଜେତା ମୁକୁଟ ହାସଲ କରିଥିଲା।

ସମ୍ବନ୍ଧିତ ଖବର