ତୃତୀୟ ଟି-୨୦ରେ ଭାରତକୁ ୨୧୩ ରନ୍‌ର ଟାର୍ଗେଟ ଦେଲା ନିଉଜିଲାଣ୍ଡ୍‌

ହାମିଲ୍‌ଟନ: ନିଉଜିଲାଣ୍ଡ୍‌ରେ ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ତିନିଟିକିଆ ସିରିଜ୍‌ ବିଶିଷ୍ଟ ଟି-୨୦ ମ୍ୟାଚ୍‌ର ଶେଷ ତଥା ତୃତୀୟ ମ୍ୟାଚରେ ପ୍ରଥମ ପାଳିରେ ବ୍ୟାଟିଂ କରି ଘରୋଇ ନିଉଜିଲାଣ୍ଡ୍‌ ଦଳ ଭ୍ରମଣକାରୀ ଭାରତକୁ ବିଜୟ ପାଇଁ ୨୧୩ ରନ୍‌ର ଟାର୍ଗେଟ ଦେଇଛି।

ହାମିଲ୍‌ଟନ୍‌ଠାରେ ଖେଳା ଯାଇଥିବା ଆଜିର ଏହି ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଟସ୍‌ରେ ବିଜୟ ହାସଲ କରିବା ପରେ ପ୍ରଥମେ ନିଉଜିଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ସହ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ପାଳିରେ ବ୍ୟାଟିଂ କରି ନିଉଜିଲାଣ୍ଡ୍‌ ଦଳ କୋଡ଼ିଏ ଓଭର ଖେଳି ୪ ଓ୍ଵିକେଟ୍‌ ବିନିମୟରେ ୨୧୨ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।

ଘରୋଇ ନିଉଜିଲାଣ୍ଡ୍‌ ପକ୍ଷରୁ କଲିଂ ମୁନ୍‌ରୋ ସର୍ବାଧିକ ୭୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓଭର୍‌ ବୋଲିଂ କରି ମାତ୍ର ୨୬ ରନ୍‌ ଦେଇ ଭାରତର ସବୁଠାରୁ କମ୍‌ ରନ୍‌ ଦେଇଥିବା ବୋଲ୍‌ର ଭାବେ ବିବେଚିତ ହୋଇଥିଲେ।

ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ଖେଳା ଯାଉଥିବା ଏହି ୩ ଟିକିଆ ଟି-୨୦ ସିରିଜ୍‌ରେ ଭାରତ ଗୋଟିଏ ଏବଂ ନିଉଜିଲାଣ୍ଡ୍‌ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସିରିଜ୍‌କୁ ୧-୧ ସ୍ତରରେ ରଖିଛନ୍ତି। ଏଣୁ, ଆଜିର ମ୍ୟାଚ୍‌ରେ ଯିଏ ବିଜୟ ହାସଲ କରିବ ସେ ସିରିଜ୍‌କୁ ହାଥେଇବ। ଯଦି ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ସିରିଜ୍‌କୁ ହାତାଏ ତେବେ ଏହା ହେବ ଭାରତ ପାଇଁ ନିଉଜିଲାଣ୍ଡ୍‌ରେ ସର୍ବପ୍ରଥମ ସିରିଜ୍‌ ବିଜୟ।

ସମ୍ବନ୍ଧିତ ଖବର