ହାତରୁ ଖସିଲା ଶୃଙ୍ଖଳା: ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ୪ ରନ୍‌ରେ ହାରିଲା, ବିଜୟ ଧାରା ଅଟକିଲା

ହାମିଲଟନ୍: ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ରେ ନେଇଛି। ହାମିଲଟନର ସେଡ୍‌ନ ପାର୍କରେ ରବିବାର ଖେଳା ଯାଇଥିବା ନିର୍ଣ୍ଣାୟକ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ୪ ରନ୍‌ରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ତା’ ସହ ଭାରତ ହାତରୁ ଐତିହାସିକ ଶୃଙ୍ଖଳା ବିଜୟ ସୁଯୋଗ ମଧ୍ୟ ଛଡ଼ାଇ ନେଇଛି। ତିନି ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଥିଲା ବେଳେ ନ୍ୟୁଜିଲାଣ୍ଡ ଶେଷ ଲଢ଼େଇରେ ବାଜି ମାରି ନେଇଛି। ଫଳରେ ଭାରତର ୯ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ଧାରା ବି ଅଟକି ଯାଇଛି। ଭାରତ ମଧ୍ୟ ନ୍ୟୁଜିଲାଣ୍ଡରେ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ହାସଲରୁ ବଞ୍ଚିତ ହୋଇଛି। ଶୃଙ୍ଖଳା ସାରା ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିବା କିୱି ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନରୋ ମ୍ୟାଚ୍ ଏବଂ ଟିମ୍ ସେଫର୍ଟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚ
ରବିବାରର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇରେ ନ୍ୟୁଜିଲାଣ୍ଡ ଦେଇଥିବା ୨୧୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଭଲ ଆରମ୍ଭ କରି ନଥିଲେ ମଧ୍ୟ ଋଷବ ପନ୍ତ ( ୨୮ ରନ୍, ୧୨ ବଲ୍, ୧ ଚୌକା, ୩ ଛକା), ବିଜୟ ଶଙ୍କର (୪୩ ରନ୍, ୨୮ ବଲ୍, ୫ ଚୌକା, ୨ ଛକା)ଙ୍କ ଭଳି ଯୁବ ତାରକାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ସେହିଭଳି ଦୀନେଶ କାର୍ତିକ (୩୩* ରନ୍, ୧୬ ବଲ୍, ୪ ଚୌକା)-କ୍ରୁନାଲ ପାଣ୍ଡ୍ୟା (୨୬* ରନ୍, ୧୩ ବଲ୍, ୨ ଚୌକା, ୨ ଛକା)ଙ୍କ ୬୩ ରନ୍‌ର ସପ୍ତମ ୱିକେଟ୍ ଭାଗୀଦାରି ପାଇଁ ବିଜୟ ସ୍ବାଦ ଚାଖିବାର ଆଶା ସଂଚାର ହୋଇଥିଲା। ହେଲେ ଶେଷ ଓଭରରେ ଟିମ୍ ସାଉଦିଙ୍କ ମାପଚୁପ ବୋଲିଂ ସହ କାର୍ତିକଙ୍କ ବିତର୍କିତ ନିଷ୍ପତ୍ତି ସବୁ କିଛି ଓଲଟ ପାଲଟ କରି ଦେଇଥିଲା। ଭାରତକୁ ବିଜୟ ପାଇଁ ଶେଷ ତିନି ଓଭରରୁ ୪୮ ରନ୍‌ ଦରକାର ଥିଲା। ସାଉଦିଙ୍କ ଅଷ୍ଟାଦଶ ଓଭରରେ କ୍ରୁନାଲ ଗୋଟିଏ ଛକା ଏବଂ ଦୁଇଟି ଲଗାତାର ଚୌକା ମାରି ବଲ୍ ଓ ରନ୍ ବ୍ୟବଧାନକୁ କମାଇଥିଲେ। ସ୍କଟ୍ କୁଗେଲିନଙ୍କ ଊନ୍ନବିଂଶ ଓଭରରେ କ୍ରୁନାଲ ଓ କାର୍ତିକ ଗୋଟିଏ ଲେଖାଏଁ ଛକା‌ ମାରି ୧୪ ରନ୍ ଅମଳ କରିଥିଲେ। ଫଳରେ ଶେଷ ୬ ବଲ୍‌ରୁ ଭାରତକୁ ୧୬ ରନ୍‌ ଦରକାର ଥିଲା। ସାଉଦିଙ୍କ ଏହି ଓଭରର ପ୍ରଥମ ବଲ୍‌ରୁ କାର୍ତିକ ୨ ରନ୍ ନେଇଥିଲେ। ପରବର୍ତୀ ବଲ୍‌ରେ କିନ୍ତୁ ରନ୍ କରି ପାରି ନଥିଲେ। ସେହିଭଳି ତୃତୀୟ ବଲ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ରନ୍ ନେବାକୁ ମନା କରି ଦେଇଥିଲେ। ଚତୁର୍ଥ ବଲ୍‌ରେ କିନ୍ତୁ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ପଞ୍ଚମ ବଲ୍‌ରେ କ୍ରୁନାଲ ୧ ରନ୍ କରି ନନ୍ ଷ୍ଟ୍ରାଇକର ପଟକୁ ଯିବା ପରେ ଷଷ୍ଠ ବଲ୍‌ରେ ସେ ଅବଶ୍ୟ ଏକ ଛକା ମାରିଥିଲେ। ହେଲେ ‌ସେ‌ତେବେଳକୁ ସବୁ‌ ଶେଷ ହୋଇ ଯାଇଥିଲା। ନ୍ୟୁଜିଲାଣ୍ଡର ୨୧୨/୪ ଜବାବରେ ଭାରତ ୨୦୮/୬ କରି ପରାଜିତ ହୋଇଥିଲା। ଏହା ପୂର୍ବରୁ ଶିଖର ଧାୱନ (୫)ଙ୍କ ରୁପରେ ଭାରତ ମାତ୍ର ୬ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ଅଧିନାୟକ ରୋହିତ ଶର୍ମା (୩୮ ରନ୍, ୩୨ ବଲ୍, ୩ ଚୌକା) ଓ ଶଙ୍କର ଦ୍ବିତୀୟ ୱିକେଟ୍‌ରେ ୭୫ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲେ। ଶଙ୍କରଙ୍କୁ ମିଚେଲ ସାଣ୍ଟନର କଲିନ୍ ଡି’ ଗ୍ରାଣ୍ଢୋମେଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପରେ ନ୍ୟୁଜିଲାଣ୍ଡ ଆଡ଼କୁ ମ୍ୟାଚ୍ ଢଳିଥିଲା। ବିସ୍ଫୋରକ ପନ୍ତଙ୍କୁ ପଦାର୍ପଣକାରୀ ବ୍ଲେୟାର ଟିକ୍‌ନର କୌଶଳ କରି ପ୍ୟାଭିଲିୟନ ଫେରାଇବା ପରେ ତୁଳନାତ୍ମକ ଭାବେ ମନ୍ଥର ବ୍ୟାଟିଂ କରିଥିବା ରୋହିତ ମିଚେଲଙ୍କ ଆଉଟ୍ ସୁଇଂ ବଲ୍‌ରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨) ଓ ହାର୍ଦିକ ପାଣ୍ଡ୍ୟା (୨୧) ଶସ୍ତାରେ ନିଜ ନିଜ ୱିକେଟ୍ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଉପହାର ଦେଇଥିଲେ। ଦୁର୍ବଳ କ୍ଷେତ୍ରରକ୍ଷଣ ସହ ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ଥିଲା।

ସେଫର୍ଟ ଓ ମୁନ୍‌ରୋଙ୍କ ପ୍ରହାର
ସେଡନ୍‌ ପାର୍କର ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ହେଲେ ଘରୋଇ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନରୋ ( ୭୨ ରନ୍, ୪୦ ବଲ୍, ୫ ଚୌକା, ୫ ଛକା) ଓ ଟିମ୍ ସେଫର୍ଟ (୪୩ ରନ୍, ୨୫ ବଲ୍, ୩ ଚୌକା, ୩ ଛକା) ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ। ଉଭୟ ସବୁ ଭାରତୀୟ ବୋଲରଙ୍କୁ ଅଦା ଛେଚିଲା ଭଳି ଛେଚିଥିଲେ। ଫଳରେ ୫.୨ ଓଭରରେ ହିଁ ନ୍ୟୁଜିଲାଣ୍ଡ ୫୦ ରନ୍ କରି ନେଇଥିଲା। ସେଫର୍ଟଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଏହି ଯୋଡ଼ିକୁ ଭାଙ୍ଗିବା ପୂର୍ବରୁ ନ୍ୟୁଜିଲାଣ୍ଡ ୭.୪ ଓଭରରୁ ୮୦ ରନ୍ କରି ନେଇଥିଲା। ଅଧିନାୟକ କେନ୍ ୱିଲିୟମସନ୍ (୨୭), ଅଲରାଉଣ୍ଡର କଲିନ୍ ଡି’ ଗ୍ରାଣ୍ଢୋମେ (୩୦) ମଧ୍ୟ ଦ୍ରୁତ ବ୍ୟାଟିଂ କରି ରନ୍ ହାର କମିବାକୁ ଦେଇ ନଥିଲେ। ଶେଷ ଆଡକୁ ଡାରିଲ ମିଚେଲ (୧୯*) ଓ ରସ୍ ଟେଲର (୧୪*) ମଧ୍ୟ ଧମାକାଦାର ବ୍ୟାଟିଂ କରିଥିଲେ। ତେବେ ମୁନ୍‌ରୋଙ୍କ ନବମ ଅର୍ଧଶତକ ପାଇଁ ନ୍ୟୁଜିଲାଣ୍ଡ ୨୦୦ରୁ ଅଧିକ ରନ୍ କରି ନେଇଥିଲା।

ସମ୍ବନ୍ଧିତ ଖବର