ଉଷୁ ଦେଲା ୪ କାଂସ୍ୟ
ଉଷୁ ୬୦ କେଜି ବର୍ଗ ସାଣ୍ଡାରେ ଭାରତର ରୁଷିବିନା ଦେବୀ (ବାମ) ଓ ଚୀନ୍ର କାଇ ଇଙ୍ଗ୍ଇଙ୍ଗ୍ ସେମି ଲଢ଼େଇ
ଏସୀୟ କ୍ରୀଡ଼ା ଉଷୁରେ ବୁଧବାର ଭାରତକୁ ୪ ପଦକ ମିଳିଛି। ସାଣ୍ଡାରେ ନାଓରେମ୍ ରୋଶିବିନା ଦେବୀ (୬୦ କେଜି), ସନ୍ତୋଷ କୁମାର (୫୬ କେଜି), ସୂର୍ଯ୍ୟଭାନୁ ପ୍ରତାପ ସିଂହ (୬୦ କେଜି) ଏବଂ ନରେନ୍ଦର ଗ୍ରିଓ୍ଵାଲ୍ (୬୫ କେଜି) ଭାରତକୁ କାଂସ୍ୟ ପଦକ ଦେଇଥିଲେ। ମଙ୍ଗଳବାର ଏହି ୪ ଜଣ ସେମିଫାଇନାଲ୍ରେ ପହଞ୍ଚି ଦେଶ ପାଇଁ ପଦକ ପକ୍କା କରିଥିଲେ। ହେଲେ ବୁଧବାର ସେମିଫାଇନାଲ୍ରେ ମହିଳାରେ ନାଓରେମ୍ ୦-୧ରେ ଚୀନ୍ର କାଇ ଇଙ୍ଗ୍ଇଙ୍ଗ୍ଙ୍କଠୁ ଏବଂ ପୁରୁଷରେ ସନ୍ତୋଷ ୦-୨ରେ ଭିଏତନାମର ଜିଆଙ୍ଗ ବୁଇ ତ୍ରୋଙ୍ଗଙ୍କଠୁ, ସୂର୍ଯ୍ୟଭାନୁ ୦-୨ରେ ଇର୍ଫାନ୍ ହାଙ୍ଗେରିଆନ୍ଙ୍କଠୁ ଏବଂ ନରେନ୍ଦର ୦-୨ରେ ଇରାନ୍ର ଫେରଦ୍ ଜଫାରିଙ୍କଠୁ ପରାସ୍ତ ହୋଇ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ଚଳିତ ଏସୀୟ କ୍ରୀଡ଼ାର ଏକ ନିର୍ଦିଷ୍ଟ ଦିନରେ କୌଣସି ଗୋଟିଏ ଖେଳରୁ ଭାରତର ଏହା ସର୍ବାଧିକ ପଦକ ଥିଲା। ଏହା ମଧ୍ୟ ଏସୀୟ କ୍ରୀଡ଼ା ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ଭାରତ ଦୁଇଟି ପଦକ ଜିତିଥିଲା। ନରେନ୍ଦ୍ର ଗ୍ରିଓ୍ଵାଲ ସେଥର କାଂସ୍ୟ ଜିତିଥିଲା ବେଳେ ଏଥର ବି ସେହି ସଫଳତାକୁ ଦୋହରାଇଛନ୍ତି। ୨୦୦୬ରେ ମଧ୍ୟ ଭାରତ ଦୁଇଟି ଲେଖାଏଁ ପଦକ ପାଇଥିଲା।