୪ ଦିନିଆ ଟେଷ୍ଟ୍‍ ଦେଢ଼ ଦିନରେ ଶେଷ

ଦକ୍ଷିଣ ଆଫ୍ରିକାର ପାଳି ବିଜୟ

ପୋର୍ଟ ଏଲିଜାବେଥ୍‌: ବହୁ ଚର୍ଚିତ ୪ ଦିନିଆ ଦିବାରାତ୍ର ଟେଷ୍ଟ୍‍ ୨ ଦିନ ଭିତରେ ଶେଷ ହୋଇଯାଇଛି। ଜିମ୍ବାେଓ୍ଵକୁ ପାଳି ଓ ୧୨୦ ରନ୍‌ ବ୍ୟବଧାନରେ ହରାଇ ଦକ୍ଷିଣ ଆଫ୍ରିକା ଏକମାତ୍ର ଟେଷ୍ଟ୍‍ ଓ ଶୃଙ୍ଖଳାକୁ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଦିନ ରାତିରେ ୩୦୯/୯ରେ ପାଳି ଘୋଷଣା କରି ଦେବା ପରେ ଜିମ୍ବାେଓ୍ଵ ୩୦ ରନ୍‌ରେ ୪ ଓ୍ଵିକେଟ୍‌ ହରାଇଥିଲା। ବୁଧବାର ଜିମ୍ବାେଓ୍ଵ ପ୍ରଥମ ପାଳି ମାତ୍ର ୬୮ ରନ୍‌ରେ ଶେଷ ହୋଇଯିବାରୁ ଅଧିନାୟକ ଡି’ଭିଲିୟର୍ସ ଫଲୋଅନ୍‌ ଡାକିଥିଲେ। ଭ୍ରମଣକାରୀ ଜିମ୍ବାେଓ୍ଵ ଦଳ ରାତ୍ରୀଭୋଜନ ପୂର୍ବରୁ ଦ୍ୱିତୀୟ ପାଳିରେ ମାତ୍ର ୧୨୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲା। ମର୍ନି ମର୍କେଲ (୫/୨୧) ପ୍ରଥମ ପାଳିରେ ଏବଂ କେଶବ ମହାରାଜ (୫/୫୯) ୫-୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ଉଭୟ ପାଳିରେ ଜିମ୍ବାେଓ୍ଵ ମିଳିତ ଭାବେ ମାତ୍ର ୭୨.୪ ଓଭରଖେଳିଥିଲା। ତେବେ ଦକ୍ଷିଣ ଆଫ୍ରିକା ପାଳିରୋ ଶତକ ଜମାଇଥିବା ଐଦେନ ମର୍କରାମ (୧୨୫) ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ଟେଷ୍ଟ୍‍ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତୃତୀୟ ସଂକ୍ଷିପ୍ତ ଅବଧିରେ ଶେଷ ହୋଇଛି। ସେହିଭଳି ୨୦୦୫ ମସିହା ପରେ ମଧ୍ୟ ଏହା ପ୍ରଥମ। ସେଥର ନ୍ୟୁଜିଲାଣ୍ଡ୍‌ଠାରୁ ମଧ୍ୟ ଜିମ୍ବାେଓ୍ଵ ପାଳି ଓ ୨୯୪ ରନ୍‌ରେ ହାରିଥିଲା।

ସମ୍ବନ୍ଧିତ ଖବର