ଜାତୀୟ ପୁରୁଷ ହକି ଶିବିରରେ ୪ ଓଡ଼ିଆ

ନୂଆଦିଲ୍ଲୀ: ଚଳିତ ଋତୁର ପ୍ରଥମ ପ୍ରତିଯୋଗିତା ତଥା ୨୮ତମ ସୁଲ୍‌ତାନ ଆଜ୍‌ଲାନ୍‌ ଶାହା କପ୍‌ର ପ୍ରସ୍ତୁତି ପାଇଁ ହକି ଇଣ୍ଡିଆ ବରିଷ୍ଠ ପୁରୁଷ ଦଳର ଜାତୀୟ ଶିବିର ଆୟୋଜନ କରିବାକୁ ଯାଉଛି। ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ଆସନ୍ତା ମାର୍ଚ ୨୩ ତାରିଖରୁ ମାଲେସିଆର ଇଫୋରେ ଆୟୋଜିତ ହେ‌ବ। ଏଥିପାଇଁ ପ୍ରସ୍ତୁତ ହେବାକୁ ହକି ଇଣ୍ଡିଆ ଆସନ୍ତା ୧୮ ତାରିଖରୁ ବେଙ୍ଗାଲୁରୁରେ ଜାତୀୟ ଶିବିର ଆୟୋଜନ କରିବ। ଏହି ଶିବିର ଏକମାସ ଧରି ଚାଲିବ ଏବଂ ମାର୍ଚ ୧୮ ତାରିଖରେ ଶେଷ ହେବ। ଏହି ଶିବିର ପାଇଁ ହକି ଇଣ୍ଡିଆ ମଧ୍ୟ ୩୪ ଜଣିଆ ଏକ ସମ୍ଭାବ୍ୟ ଦଳ ଶନିବାର ଘୋଷଣା କରିଛି। ଆଉ ଏହି ଦଳରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ଅମିତ୍‌ ରୋହିଦାସ, ସୁମନ ବେକ୍‌, ବୀରେନ୍ଦ୍ର ଲାକ୍ରା ଏବଂ ଫରୱାର୍ଡ ଶିଳାନନ୍ଦ ଲାକ୍ରା। ତେବେ ଭୁବନେଶ୍ବରରେ ଓଡ଼ିଶା ହକି ବିଶ୍ବକପ୍‌ ଖେଳିଥିବା ଦଳର ସମସ୍ତ ୧୮ ସଦସ୍ୟ ଶିବିର ପାଇଁ ଘୋଷିତ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ପାଇଁ ଚୂଡାନ୍ତ ଦଳ ଫେବ୍ରୁଆରି ଶେଷ ସପ୍ତାହରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆର ହାଇ ପର୍ଫରମାନ୍‌ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଦୁଇ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ଓ ସୁମନ ବେକ୍‌ ଭାରତୀୟ କନିଷ୍ଠ ଦଳର ସଦସ୍ୟ ଭାବେ ସୁଲତାନ ଜୋହର୍‌ କପ୍‌ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର