ମହିଳା ହକି ବିଶ୍ୱକପ୍‌ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର : ଆଗାମୀ ମହିଳା ହକି ବିଶ୍ୱକପ୍‌ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ମର୍ଯ୍ୟାଦାଜନକ ବିଶ୍ୱକପ୍‌ ପାଇଁ ହକି ଇଣ୍ଡିଆ ଚୂଡ଼ାନ୍ତ ୧୮ ଜଣିଆ ଦଳ ଘୋଷଣା କରିଛି।

ରାଣୀ ରାମ୍‌ପଲ୍‌ ଦଳର ନେତୃତ୍ୱ ଭାର ବଜାୟ ରଖିଥିଲା ବେଳେ ଗୋଲ୍‌ରକ୍ଷିକା ସବିତା ଉପଅଧିନାୟିକା ମନୋନୀତ ହୋଇଛନ୍ତି। ତେବେ ୧୮ ଜଣିଆ ଭାରତୀୟ ଦଳରେ ଓଡ଼ିିଶାରୁ ୪ ଝିଅ ସ୍ଥାନ ଅକ୍ତିଆର କରିଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଦିପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌। ବିଶ୍ୱକପ୍‌ ପାଇଁ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଆୟୋଜିତ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ୪୮ ଜଣିଆ ଦଳରେ ୭ ଓଡ଼ିଆ ଝିଅ ସାମିଲ ଥିଲା ବେଳେ ସେମାନଙ୍କ ମଧ୍ୟରୁ ଅନୁପା ବାର୍ଲା, ରଶ୍ମିତା ମିଞ୍ଜ୍‌ ଓ ବିରାଜିନୀ ଏକ୍କା ଚୂଡାନ୍ତ ଦଳରେ ସ୍ଥାନ ପାଇନାହାନ୍ତି। ଜାତୀୟ ଶିବିରରେ ପ୍ରାୟ ସମସ୍ତେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଚୂଡାନ୍ତ ଦଳ ବାଛିବା ନିଷ୍ପତ୍ତି ସହଜ ନ ଥିଲା। ତଥାପି ଏକ ଶ୍ରେଷ୍ଠ ସନ୍ତୁଳିତ ୧୮ ଜଣିଆ ଦଳ ବାଛିଛୁ ଏବଂ ଦଳ ବିଶ୍ୱକପ୍‌ରେ ସଫଳତା ହାସଲ କରିପାରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ କହିଛନ୍ତି। ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ନେଇ ଦଳ ଚୟନ ହୋଇଛି। ଆଉ ନିକଟରେ ଶେଷ ହୋଇଥିବା ସ୍ପେନ୍‌ ଗସ୍ତର ଆତ୍ମବିଶ୍ୱାସ ହିଁ ବିଶ୍ୱକପ୍‌ରେ ସହାୟକ ହେବ ବୋଲି ମାରିନ୍‌ ଆଶା ରଖିଛନ୍ତି। ବିଶ୍ୱକପ୍‌ରେ ଆମର ପ୍ରଥମ ଲକ୍ଷ୍ୟ ରହିବ କ୍ୱାର୍ଟର ଫାଇନାଲ୍‌କୁ ଯୋଗ୍ୟତା ହାସଲ। ଆମେ କେବଳ ପ୍ରଥମ ମ୍ୟାଚ୍‌ ବିଷୟରେ ହିଁ ଏବେ ଚିନ୍ତା କରିବୁ। କାରଣ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବା କୌଣସି ବି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ମ୍ୟାଚ୍‌ର ଫଳାଫଳ ହିଁ ଦଳ ଓ ଖେଳାଳିଙ୍କ ମନୋବଳ ବଢ଼ାଇଥାଏ। ପୁଣି ଆମେ ଆୟୋଜକ ଦେଶ ସହ ଅଭିଯାନ ଆରମ୍ଭ କରିବାକୁ ଥିବାରୁ ଭରପୁର ଦର୍ଶକଙ୍କ ସାମ୍‌ନାରେ ଭଲ ପ୍ରଦର୍ଶନ କରି ଆଗକୁ ବଢ଼ିବୁ ବୋଲି ମାରିନ୍‌ କହିଛନ୍ତି।

ଏହି ବିଶ୍ୱକପ୍‌ ଆସନ୍ତା ଜୁଲାଇ ୨୧ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଖେଳାଯିବ। ଏଥିରେ ଭାଗ ନେବାକୁ ଯାଉଥିବା ମୋଟ ୧୬ ଦଳକୁ ୪ ପୁଲ୍‌ରେ ଭାଗ କରାଯାଇଛି। ସେଥିମଧ୍ୟରୁ ଭାରତ ଆୟୋଜକ ତଥା ବିଶ୍ୱ ମାନ୍ୟତାର ଦ୍ୱିତୀୟ ଇଂଲଣ୍ଡ, ବିଶ୍ୱ ମାନ୍ୟତାର ସପ୍ତମ ଆମେରିକା ଏବଂ ବିଶ୍ୱ ମାନ୍ୟତାର ଷୋଡ଼ଶ ଆୟର୍ଲାଣ୍ଡ୍‌ ସହ ପୁଲ୍‌-ବିରେ ସ୍ଥାନ ପାଇଛି। ଭାରତ ଉଦ୍‌ଘାଟନୀ ଦିବସରେ ଇଂଲଣ୍ଡକୁ ଭେଟିବା ପରେ ଜୁଲାଇ ୨୬ରେ ଆୟର୍ଲାଣ୍ଡ୍‌ ଏବଂ ଜୁଲାଇ ୨୯ ତାରିଖରେ ଆମେରିକା ସହ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ।

୧୮ ଜଣିଆ ଦଳ: ସବିତା (ଉପଅଧିନାୟିକା) ଓ ରଜନୀ ଇଟିମାର୍ପୁ (ଗୋଲ୍‌ରକ୍ଷିକା), ସୁନୀତା ଲାକ୍ରା, ଦିପ୍‌ଗ୍ରେସ୍‌ ଏକ୍କା, ଦୀପିକା, ଗୁର୍‌ଜିତ୍‌ କୌର, ରୀନା ଖୋଖାର (ରକ୍ଷଣଭାଗ), ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌, ମୋନିକା, ନେହା ଗୋୟଲ, ନଭ୍‌ଜୋତ୍‌ କୌର, ନିକ୍କି ପ୍ରଧାନ (ମଧ୍ୟଭାଗ), ରାଣୀ ରାମ୍‌ପଲ୍‌ (ଅଧିନାୟିକା), ବନ୍ଦନା କାଟାରିୟା, ନଭ୍‌ନୀତ୍‌ କୌର, ଲାଲ୍‌ରେମ୍‌ସିଆମି, ଉଦିତା (ପୂରୋଭାଗ)।

ସମ୍ବନ୍ଧିତ ଖବର