ଦୁର୍ଘଟଣାରେ ୪ ଶକ୍ତିଉତ୍ତୋଳକ ମୃତ

ନୂଆଦିଲ୍ଲୀ: ରବିବାର ଭୋର୍‌ ପାଖାପାଖି ୩ରୁ ୪ଟା। ଦିଲ୍ଲୀ ଏବଂ ଏହାର ଉପକଣ୍ଠ ଅଞ୍ଚଳ ଘନ କୁହୁଡିରେ ଆଛନ୍ନ। ଏହି ସମୟରେ ଦିଲ୍ଲୀ-ଚଣ୍ଡୀଗଡ଼ ଜାତୀୟ ରାଜପଥର ଅଲିପୁର ଅଞ୍ଚଳ ସିଘୁଂ ସୀମାରେ ଏକ ରାସ୍ତା ଦୁର୍ଘଟଣାରେ ୪ ଜଣ ଶକ୍ତିଉତ୍ତୋଳନ ଖେଳାଳି ମର୍ମନ୍ତୁଦ ମୃତ୍ୟୁ ବରଣ କରିଛନ୍ତି। ବିଶ୍ୱ ବିଜେତା ସକ୍ଷମ ଯାଦବଙ୍କ ସମେତ ଜାତୀୟସ୍ତରରେ ପ୍ରତିଷ୍ଠିତ ୬ ଜଣ ଶକ୍ତିଉତ୍ତୋଳକ ପାନିପତ୍‌ରେ ଏକ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗନେବା ପାଇଁ ସ୍ୱିଫ୍ଟ ଡିଜାୟର କାର୍‌ରେ ଦିଲ୍ଲୀରୁ ଯାଉଥିଲେ। ହେଲେ ଘନ କୁହୁଡ଼ି ସେମାନଙ୍କ ପାଇଁ କାଳ ହେଲା। କୁହୁଡି ଯୋଗୁଁ କାର୍‌ ରାସ୍ତାର ଡିଭାଇଡର୍‌ରେ ଧକ୍କା ଖାଇଥିଲା। କାର୍‌ର ଗତି ଏତେ ଜୋର୍‌ ଥିଲା ଯେ ଦୁର୍ଘଟଣା ପରେ ଗାଡ଼ିର ଛାତ ପୂରା ଭାଙ୍ଗିରୁଜି ଉଡ଼ି ଯାଇଥିଲା। ଚାଳକ ଗାଡ଼ିକୁ ନିୟଂତ୍ରଣରେ ରଖିପାରିନଥିଲେ। ଗାଡ଼ି ଗୋଟିଏ ସ୍ଥାନରେ ସ୍ଥିର ହେବା ପୂର୍ବରୁ ପ୍ରାୟ ୭ ଗଡ଼ା ଦେଇଥିବା କିଛି ଦେଖଣାହାରୀ କହିଥିଲେ। ସମ୍ଭବତଃ କାର୍‌ଟି ଆଗରେ ଯାଉଥିବା ଏକ ଗାଡ଼ିକୁ ଅତିକ୍ରମ କରିବା ବେଳେ ନିୟଂତ୍ରଣ ହରାଇଥିବା ପୁଲିସ୍‌ ଅନୁମାନ କରିଛି। ଦୁର୍ଘଟଣାଗ୍ରସ୍ତ କାର୍‌ରୁ ୬ ଜଣ ଖେଳାଳିଙ୍କୁ ପୁଲିସ୍‌ ଉଦ୍ଧାର କରି ପ୍ରଥମେ ନରେଲାସ୍ଥିତ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ୪ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ମୃତକ ୪ ଜଣଙ୍କୁ ପୁଲିସ୍‌ ଚିହ୍ନଟ କରିଛି। ସେମାନେ ହେଲେ ଟିକମ୍‌ଚାନ୍ଦ, ସୌରଭ, ଯୋଗେଶ ଓ ହରିଶ ରାୟ। ସମସ୍ତେ ଉତ୍ତର ଦିଲ୍ଲୀର ତିମରପୁର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ଗୁରୁତର ଆହତଙ୍କ ମଧ୍ୟରେ ରହିଛନ୍ତି ଜାତୀୟସ୍ତରର ପ୍ରତିଷ୍ଠିତ ଖେଳାଳି ତଥା ଗତବର୍ଷ ରୁଷିଆର ମସ୍କୋରେ ବିଶ୍ୱ ବିଜେତା ହୋଇଥିବା ସକ୍ଷମ ଯାଦବ ଓ ରୋହିତ। ଅବସ୍ଥା ସଂକଟାପନ୍ନ ଥିବାରୁ ସକ୍ଷମଙ୍କୁ ପ୍ରଥମେ ମାକ୍ସ ହସ୍ପିଟାଲ ଓ ପରେ ଦିଲ୍ଲୀର ଏମ୍‌ସକୁ ଏବଂ ରୋହିତଙ୍କୁ ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉତ୍ତର ଦିଲ୍ଲୀର ନାଗଲୋଇ ବାସିନ୍ଦା ସକ୍ଷମ ଯାଦବ ୨୦୧୭ ଡିସେମ୍ବର ମାସରେ ମସ୍କୋରେ ଆୟୋଜିତ ବିଶ୍ୱ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ମଧ୍ୟ କନିଷ୍ଠ ବର୍ଗରେ ୨୦୧୬ରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ବିଜେତା ହୋଇଥିଲେ।

ବିଶ୍ୱ ବିଜେତାଙ୍କ ଅବସ୍ଥା ସଂକଟାପନ୍ନ
ଘନ କୁହୁଡି କାଳ ହେଲା; ନିଶାରେ ଗାଡ଼ି ଚାଳନା ସନ୍ଦେହ

ଏଭଳି ଦୁର୍ଘଟଣା ପାଇଁ କେବଳ କୁହୁଡି କାରଣ ନୁହେଁ, ବରଂ ଦ୍ରୁତ ଗତି ସାଙ୍ଗକୁ ନିଶାଶକ୍ତ ଗାଡ଼ି ଚାଳନା ହିଁ ଦାୟୀ ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ସନ୍ଦେହ ପ୍ରକଟ କରିଛି। ଦୁର୍ଘଟଣାଗ୍ରସ୍ତ କାର୍‌ରୁ ପୁଲିସ କେତେକ ମଦ ବୋତଲ ଜବତ କରିବାରୁ ଏଭଳି ସନ୍ଦେହ କରିଛି। କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରୋଠୋର ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୁଲିସ୍‌ ଖାମଖିଆଲ ଗାଡ଼ି ଚାଳନା ଅପରାଧରେ ଚାଳକଙ୍କ ନାମରେ ଦଫା ୩୦୪ଏ ଅନୁଯାୟୀ ମାମଲା ଦାୟର କରି ଦୁର୍ଘଟଣାର ବିଦ୍ଧିବଦ୍ଧ ତଦନ୍ତ ଚାଲୁରଖିଛି। ସିଂଘୁ ସୀମାରେ ଖଞ୍ଜା ଯାଇଥିବା କ୍ୟାମେରାର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ୍‌ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

 

ସମ୍ବନ୍ଧିତ ଖବର