ଆଉ ୪୪ ଦିନ, ୧୯୭୫: ପ୍ରଥମ ଓ ଶେଷ ଥର ଭାରତ ବିଜେତା

ଭୁବନେଶ୍ବର: ୧୯୭୫ ମସିହାରେ ହକି ବିଶ୍ବକପ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା ମାଲେସିଆର କୁଆଲାଲମ୍ପୁରରେ। ଭାରତ ପାଇଁ ଏହି ବିଶ୍ବକପ୍ ଚିର ସ୍ମରଣୀୟ ରହିଛି। କାରଣ ଭାରତ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା। ୮ ଥର ଅଲିମ୍ପିକ୍ସ ବିଜେତା ହୋଇଥିଲେ ବି ଭାରତ ପାଇଁ ବିଶ୍ବକପ୍ ସଫଳତା ଏତିକିରେ ସୀମିତ ରହିଛି ଦୀର୍ଘ ୪୩ ବର୍ଷ ଧରି।କୁଆଲାଲମ୍ପୁରର ମେର୍ଡେକା ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଭାରତ ୨-୧‌ ଗୋଲ୍‌ରେ ପାକିସ୍ତାନକୁ ହରାଇ ବିଜେତା‌ ହୋଇଥିଲା। ପୂର୍ବରୁ ପାକିସ୍ତାନ ୧୯୭୧ରେ ବିଜେତା ମୁକୁଟ ପିନ୍ଧିସାରିଥିଲା। ଏଥି ସହିତ ଭାରତ ମଧ୍ୟ ଲଗାତାର ପ୍ରଥମ ୩ ସଂସ୍କରଣରେ ପଦକ ଜିତିବାର ଗୌରବ ପାଇଥିଲା। ୧୯୭୧ରେ କାଂସ୍ୟ, ୧୯୭୩ରେ ରୌପ୍ୟ ଜିତିଥିଲା ଭାରତୀୟ ଦଳ। ଅନ୍ୟ ଏକ ମୁକାବିଲାରେ ଆୟୋଜକ ମାଲେସିଆକୁ ୪-୦ରେ ହରାଇ ଜର୍ମାନି କାଂସ୍ୟ ପଦକ ହାତେଇ ନେଇଥିଲା। ଗ୍ରୁପ୍ ‘ବି’ରେ ସ୍ଥାନ ପାଇଥିବା ଭାରତ ୩ ବିଜୟ, ଗୋଟିଏ ଲେଖାଏଁ ପରାଜୟ ଓ ଅମୀମାଂସିତ ସହିତ ଶୀର୍ଷରେ ରହିଥିଲା। କିନ୍ତୁ ସମାନ ପ୍ରଦର୍ଶନ କରିଥିବା ପଶ୍ଚିମ ଜର୍ମାନିକୁ ଗୋଲ୍‌ ବ୍ୟବଧାନରେ ପଛରେ ପକାଇଥିଲା। ଉଭୟ ସେମିଫାଇନାଲ୍‌ ଖେଳିଥିଲେ। ଗ୍ରୁପ୍ ‘ଏ’ରୁ ପାକିସ୍ତାନ ଓ ମାଲେସିଆ ସେମିଫାଇନାଲ୍ ଆସିଥିଲେ। ‌େସମିଫାଇନାଲରେ ପାକିସ୍ତାନ ୫-୧ରେ ପଶ୍ଚିମ ଜର୍ମାନିକୁ ଏବଂ ଭାରତ ଅତିରିକ୍ତ ସମୟରେ ମାଲେସିଆକୁ ୩-୨ରେ ହରାଇଥିଲା। ଫାଇନାଲରେ ଭାରତ ପାଇଁ ସୁରଜିତ୍ (୪୪) ଏବଂ ଅଶୋକ କୁମାର (୫୧) ଗୋଲ୍ ଦେଇଥିଲେ। ପାକିସ୍ତାନ ପାଇଁ ଏକମାତ୍ର‌ ଗୋଲ ‌େଦଇଥିଲେ ଜାହିଦ (୧୭)। ୧୨ ଦେଶକୁ ନେଇ ଆୟୋଜିତ ଏହି ବିଶ୍ବକପ୍‌ରେ ମୋଟ ୪୨ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ ପିଛା ୪.୧୭ ହାରରେ ମୋଟ ୧୭୫ ଗୋଲ ମଧ୍ୟ ସ୍କୋର୍ ହୋଇଥିଲା।

ବିଜେତା ଭ‌ାରତୀୟ ଦଳ:
ଲେସଲି ଫର୍ନାଣ୍ଡେଜ, ଅଶୋକ ଦିୱାନ, ସୁରଜିତ ସିଂହ, ମାଇକେଲ କ‌ିଣ୍ଡୋ, ଅସଲାମ ସେର୍ ଖାନ୍, ବରିନ୍ଦର ସିଂହ, ଓଁକାର ସିଂହ, ମହିନ୍ଦର ସିଂହ, ଅଜିତ ପାଲ୍ ସିଂହ, ଅଶୋକ କୁମାର, ବିପି ଗୋବିନ୍ଦା, ହରଚରଣ ସିଂହ, ହରଜିନ୍ଦର ସିଂହ, ଭଦିଭେଲୁ ଫିଲିପ୍ସ, ଶିବାଜୀ ପାୱାର, ବିପି କାଲିଆ।

ସମ୍ବନ୍ଧିତ ଖବର