ଶ୍ରୀଲଙ୍କା ସମ୍ମୁଖରେ ୫୧୬ ରନ୍‌ ଲକ୍ଷ୍ୟ

କୁସାଲ ବି ବାଉଁସରର ଶିକାର

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଶ୍ରୀଲଙ୍କା ସମ୍ମୁଖରେ ୫୧୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା କୌଣସି ୱିକେଟ୍ ନ ହରାଇ ୧୭ ରନ୍ କରିଛି। ହାତରେ ଦୁ‌ଇ ଦିନ ଥାଇ ଭ୍ରମଣକାରୀ ଦଳ ୪୯୯ ରନ୍ ଦୂରରେ ରହିଛି। ରବିବାର ତୃତୀୟ ଦିବସରେ ଉସ୍‌ମାନ ଖୱାଜାଙ୍କ ଶତକ ଏବଂ ମିଚେଲ ଷ୍ଟାର୍କଙ୍କ ୫ ୱିକେଟ୍‌ ସଫଳତା ମୁଖ୍ୟାଂଶ ଥିଲା। କିନ୍ତୁ ଲଗାତାର ଦ୍ବିତୀୟ ଦିବସରେ ବାଉଁସର ବଲ୍‌ରେ ଆହତ ହୋଇ ଜଣେ ଲେଖାଏଁ ରିଟାୟର୍ଡ ହର୍ଟ ହେବା ଶ୍ରୀଲଙ୍କାର ସମସ୍ୟା ବଢ଼ାଇ ଦେଇଛି। ରବିବାର ଶ୍ରୀଲଙ୍କା ନିଜର ପ୍ରଥମ ପାଳିକୁ ୧୨୩/୩ରୁ ଖେଳିଥିଲେ ମଧ୍ୟ ୨୧୫ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଦିମୁଥ କରୁଣାରତ୍ନେ ରିଟାୟର୍ଡ ହର୍ଟରୁ ଫେରିଥିଲେ ମଧ୍ୟ ମାତ୍ର ୧୩ ରନ୍ ଯୋଡ଼ି ବ୍ୟକ୍ତିଗତ ଭାବେ ୫୯ ରନ୍‌ରେ ଆଉଟ୍ ହୋଇଥିଲେ। କରୁଣାର‌ତ୍ନେଙ୍କ ଭଳି କୁସାଲ ପେରେ‌ରା ମଧ୍ୟ ରବିବାର ବାଉଁସର ବଲ୍‌ରେ ଆହତ ହୋଇ ଅଧାରୁ ଖେଳ ଛାଡ଼ିଥିଲେ। ଫଳରେ ଶ୍ରୀଲଙ୍କାର ନବମ ୱିକେଟ୍‌ ପତନ ସହିତ ପ୍ରଥମ ପାଳି ଶେଷ ହୋଇଥିଲା। ରବିବାର ପତନ ହୋଇଥିବା ୬ ୱିକେଟ୍ ମଧ୍ୟରୁ ମିଚେଲ ଷ୍ଟାର୍କ ଏକା ୪ ଦଖଲ କରିଥିଲେ। ଏଥି ସହିତ ନିଜର ୫୧ତମ ଟେଷ୍ଟ୍‌ରେ ମି‌ଚେଲ୍‌ ଷ୍ଟାର୍କ ଦଶମ ଥର ୫ ୱିକେଟ୍‌ ସଫଳତା ପାଇଥିଲେ। ପ୍ରଥମ ପାଳିରେ ୩୧୯ ରନ୍ ଅଗ୍ରଣୀ ପାଇବା ସତ୍ତ୍ବେ ଅଷ୍ଟ୍ରେଲିଆ ଫଲୋଅନ୍ ଡାକି ନ ଥିଲା। ଦ୍ବିତୀୟ ପାଳି ଖେଳି ଘରୋଇ ଦଳ ୩୭ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଏକତ୍ର ହୋଇଥିବା ଉସମାନ ଖୱାଜା (୧୦୧*, ୧୩୬ ବଲ୍‌, ୧୪ ଚୌକା) ଏବଂ ଟ୍ରାଭିସ୍ ହେଡ୍‌ (୫୯*, ୯୫ ବଲ, ୮ ଚୌକା) ଅତୁଟ ଚତୁର୍ଥ ୱିକେଟ୍‌ରେ ୧୫୯ ରନ୍ ଯୋଡ଼ିଥିବା ବେଳେ ଟିମ୍‌ ପେନ୍ ପାଳିକୁ ୧୯୬/୩ରେ ଘୋଷଣା କରି ଦେଇଥିଲେ। ଖୱାଜାଙ୍କର ଏହା ୪୧ତମ‌ ଟେଷ୍ଟ୍‌ରେ ଅଷ୍ଟମ ଶତକ ଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୫୩୪/୫, ଘୋଷଣା ଶ୍ରୀଲଙ୍କା ପ୍ରଥମ ପାଳି: ୬୮.୩ ଓଭରରେ ୨୧୫ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୪୭ ଓଭରରେ ୧୯୬/୩, ଘୋଷଣା (ଉସମାନ ଖୱାଜା-୧୦୧*, ଟ୍ରାଭିସ୍ ହେଡ୍‌-୫୯*, କସୁନ ରଂଜିତା-୨/୬୪, ବିଶ୍ବ ଫର୍ନାଣ୍ଡୋ-୧/୪୩)। ଶ୍ରୀଲଙ୍କା ଦ୍ବିତୀୟ ପାଳି (ଲକ୍ଷ୍ୟ ୫୧୬): ୬ ଓଭରରେ ୧୭/୦ (ଦିମୁଥ କରୁଣାରତ୍ନେ-୮*, ଲାହିରୁ ଥିରିମାନେ-୮*)।

କୁସାଲ ବି ବାଉଁସରର ଶିକାର
ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେ ପ୍ୟାଟ୍ କମିନ୍ସଙ୍କ ବାଉଁସରରେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସେ ହସ୍‌ପିଟାଲରୁ ଛାଡ଼ ପାଇବା ପରେ ଦଳର ଉଭୟ ପାଳିରେ ରବିବାର ବ୍ୟାଟିଂ କରିଛନ୍ତି। ରବିବାର କିନ୍ତୁ ଶ୍ରୀଲଙ୍କାର ପ୍ରଥମ ପାଳିରେ ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ କୁସାଲ ପେରେରା ମଧ୍ୟ ସମଦଶା ଭୋଗିଛନ୍ତି। ୫୩ତମ ଓଭରରେ ଝେ ରିଚାର୍ଡସନ୍‌ଙ୍କ ବାଉଁସର ତାଙ୍କ ହେଲମେଟ୍‌ ଦେଇ ଡାହାଣ ପାର୍ଶ୍ବ କାନମୁଣ୍ଡରେ ବାଜିଥିଲା। ବଲ୍‌ ଏତେ ଜୋରରେ ଲାଗିଥିଲା ସେ କାନପାର୍ଶ୍ବରେ ଥିବା ପ୍ରୋଟେକ୍ଟର ଭାଙ୍ଗି ଖସି ପଡ଼ିଥିଲା। ଡାକ୍ତରୀ ଚିକିତ୍ସା ପରେ ସେ ବ୍ୟାଟିଂ ଜାରି ରଖିଥିଲେ ଏବଂ ରିଚାର୍ଡସନଙ୍କ ଆଉ ୪ ବଲ୍‌ ଖେଳିଥିଲେ। କିନ୍ତୁ ପରବର୍ତୀ ଓଭରରେ ସେ ନନ୍‌ ‌ଷ୍ଟ୍ରାଇକର୍ସ ପାର୍ଶ୍ବରେ ଥିବାବ‌େଳେ ଅସୁସ୍ଥ ଅନୁଭବ କରିବାରୁ ରିଟାୟର୍ଡ ହର୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର