ଇଣ୍ଡିଜ୍ ବିପକ୍ଷରେ ୬୧ତମ ବିଜୟ

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆକୁ ଭାରତ ଡକ୍‌ୱର୍ଥ/ଲୁଇସ୍ ନିୟମରେ ୫୯ ରନ୍‌ରେ ଜିତି ନେଇଛି। ତା’ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ବର୍ଷା ଦ୍ବାରା ବାରମ୍ବାର ପ୍ରଭାବିତ ହୋଇଥିବା ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ଅନ୍ୟପକ୍ଷରେ ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଦିନିକିଆ ବୁଧବାର ଖେଳାଯିବ।

ରବିବାର ବିଳମ୍ବିତ ରାତି (ଭାରତୀୟ ସମୟ)ରେ ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ବିରାଟ କୋହଲି (୧୨୦ ରନ୍, ୧୨୫ ବଲ୍, ୧୪ ଚୌକା, ୧ ଛକା)ଙ୍କ ପ୍ରତୀକ୍ଷିତ ଶତକ ସହ ଯୁବ ତାରକା ଶ୍ରେୟସ୍ ଆୟର (୭୧ ରନ୍, ୬୮ ବଲ୍, ୫ ଚୌକା, ୧ ଛକା)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା। ତେବେ ୱେଷ୍ଟଇଣ୍ଡିଜ୍ ପାଳିର ୧୨.୫ ଓଭର ବେଳକୁ ବର୍ଷା ହୋଇ ୪୦ ମିନିଟ୍ ପରେ ଛାଡ଼ିଥିଲା। ସେଥିପାଇଁ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ଡକୱର୍ଥ/ଲୁଇସ୍ ନିୟମ ଅନୁସାରେ ୪୬ ଓଭରରୁ ୨୭୦ ରନ୍‌ର ପୁନଃ ନିର୍ଧାରିତ ବିଜୟ ଳକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଏକଦା ୪ ୱିକେଟ୍ ହରାଇ ୧୪୮ ରନ୍ କରି ନେଇଥିଲା। ହେଲେ ଏହା ପରେ ନିୟମିତ ୱିକେଟ୍ ହରାଇ ୪୨ ଓଭରରେ ମାତ୍ର ୨୧୦ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଘରୋଇ ଦଳ ତା’ ଶେଷ ୬ ୱିକେଟ୍ ମାତ୍ର ୫୮ ରନ୍‌ରେ ହରାଇଥିଲା। ଭାରତ ପାଇଁ ସଫଳତମ ବୋଲର ଭାବେ ଭୁବନେଶ୍ବର କୁମାର ୩୧ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ। ମହମ୍ମଦ ସାମି ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ପାଇଥିଲା ବେଳେ ଖଲିଲ ଅହମ୍ମଦ ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ନିଜ ୪୨ତମ ଏକଦିବସୀୟ ଶତକ ପାଇଁ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। କୋହଲି ଏହି ମ୍ୟାଚ୍‌ରେ ଦୁଇ ଜଣ ମହାନ ଖେଳାଳିଙ୍କୁ ଟପିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ରନ୍ କରିବାରେ ପାକିସ୍ତାନର ପୂର୍ବତନ ମହାନ ଖେଳାଳି ଜାଭେଦ ମିଆଁଦାଦ ଏବଂ ସୌରଭ ଗାଙ୍ଗୁଲିଙ୍କୁ ଟପି ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ଦିନିକିଆ ରନ୍ ସଂଗ୍ରହକାରୀ ହୋଇଥିଲେ। କୋହଲିଙ୍କ ୧୨୦ ରନ୍ ଇଣ୍ଡିଜ୍ ବିପକ୍ଷରେ ବ୍ୟକ୍ତିଗତ ଭାବେ ତାଙ୍କର ଅଷ୍ଟମ ଶତକ ଥିଲା। ଏହାକରି ସେ କ୍ରିକେଟ୍ ଇତିହାସର ପ୍ରଥମ ଖେଳାଳି ଭାବେ ତିନିଟି ଦେଶ (ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା) ବିପକ୍ଷରେ ୮ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ଶତକ ହାସଲ କଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୬୧ତମ ବିଜୟ ହାସଲ କରିଥିଲା। ଦୁଇ ଦେଶ ୧୨୯ ଦିନିକିଆରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬୧ ମ୍ୟାଚ୍ ଜିତିଥିଲା ବେଳେ ୬୨ରେ ପରାଜିତ ହୋଇଛି। ୨ ମ୍ୟାଚ୍ ଟାଇ ରହିଥିଲା ବେଳେ ୪ ମୁକାବିଲା ଅମୀମାଂସିତ ରହିଛି।

ଦାୟିତ୍ବ ନେବାର ପାଳି ମୋର ଥିଲା: କୋହଲି
ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆରେ ମ୍ୟାଚ୍ ବିଜୟୀ ପାଳି ଖେଳିଥିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ବହୁତ ଖୁସି ଅଛନ୍ତି। ସେହିଭଳି ୧୩ ପାଳି ପରେ ତିନି ଅଙ୍କ ଛୁଇଁବା ତାଙ୍କୁ ଆତ୍ମସନ୍ତୋଷ ଦେଇଛି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କୋହଲି କହିଛନ୍ତି ଯେ ଶିଖର ଏବଂ ରୋହିତ ବଡ଼ ପାଳି ଖେଳି ପାରି ନଥିଲେ। ଶୀର୍ଷ ୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଅନ୍ୟୁନ ୪୦ ଓଭର ଖେଳିବା ସବୁବେଳେ ଭଲ। କୁଇନ୍ସ ପାର୍କରେ ଜଣେ ବରିଷ୍ଠ ଖେଳାଳିଙ୍କୁ ଦାୟିତ୍ବ ନେବା ଦରକାର ଥିଲା। ଏବଂ ମୁଁ ଅଗ୍ରଣୀ ଭୂମିକା ନେଇଥିଲି। ୱେଷ୍ଟଇଣ୍ଡିଜ୍ ପାଳି ବେଳକୁ ପିଚ୍ ବୋଲରଙ୍କୁ ସୁହାଇବା ଆରମ୍ଭ କରିଥିଲା। ଏଣୁ ଟସ୍ ଜିତିବା ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ମ୍ୟାଚ୍ ପରବର୍ତୀ ସାକ୍ଷାତକାରରେ ସେ ମଧ୍ୟ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଖେଳାଇବା କାରଣ ଉପରୁ ପରଦା ଉଠାଇଥି‌ଲେ। ୱେଷ୍ଟଇଣ୍ଡିଜ୍ ଦଳରେ ଅଧିକ ବାମହାତୀ ବ୍ୟାଟ୍ସମ୍ୟାନ୍ ଥିବାରୁ ଚହଲଙ୍କ ସ୍ଥାନରେ କୁଲଦୀପଙ୍କୁ ଖେଳାଇବାକୁ ଆମେ ନିଷ୍ପତ୍ତି ନେଇଥିଲୁ। କୁଲଦୀପ ମଧ୍ୟ ବହୁତ ଭଲ ବୋଲିଂ କରିଥିଲେ ବୋଲି ଏହି ଅବସରରେ କୋହଲି କହିଥିଲେ। ସେହିଭଳି ଲଢ଼ୁଆ ଅର୍ଧଶତକୀୟ ପାଳି ପାଇଁ ଶ୍ରେୟସ୍ ଆୟରଙ୍କୁ ସେ ଭୂୟଶୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର

Comments are closed.