ଭୁବନେଶ୍ବର: ଦିଲୀପ ତିର୍କିଙ୍କ ସହ ମିଶି ପ୍ରାୟ ଏକ ଦଶନ୍ଧୀ ଧରି ଭାରତୀୟ ରକ୍ଷଣଭାଗକୁ ସମ୍ଭାଳିଥିବା ଖ୍ୟାତନାମା ଖେଳାଳି ଲାଜରୁସ୍ ବାର୍ଲାଙ୍କ ପାଇଁ ଆସନ୍ତା ୧୪ତମ ପୁରୁଷ ହକି ବିଶ୍ବକପ୍ ନିଶ୍ଚିତ ସ୍ବତନ୍ତ୍ର ରହିବ। ଖେଳାଳି ଜୀବନରେ ଦୁଇ ଥର ଖେଳିଥିଲେ ବିଶ୍ବକପ୍ (୧୯୯୮ ଏବଂ ୨୦୦୨)। ଏବେ ହକି ପ୍ରଶିକ୍ଷଣ ଏବଂ ପ୍ରଶାସନ ସହିତ ଜଡ଼ିତ। ଭୁବନେଶ୍ବର ପ୍ରସ୍ତୁତି ଶିବିରରେ ଅନ୍ୟତମ ପ୍ରଶିକ୍ଷକ ଦାୟିତ୍ବ ବି ତୁଲାଇଥିଲେ। ଚୂଡାନ୍ତ ଦଳ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କୁ ହସ୍ତାନ୍ତର ପରେ ଲାଜରୁସ ସେଥିରୁ ମୁକ୍ତ। କିନ୍ତୁ ଏହି ସମ୍ପୃକ୍ତିକୁ ନେଇ ଲାଜରୁସ୍ ଖୁସୀ। ଘରୋଇ ମାଟିରେ ଖେଳିବାର ସୁଯୋଗ ନ ଥିବା ଏକ ବାସ୍ତବତା, କିନ୍ତୁ ଏହା ମୋତେ ଅଧିକ ଆନନ୍ଦିତ କରିଛି ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ଏହି ସୁନ୍ଦରଗଡ଼ ସଉନାମୁରା ପ୍ରତିଭା।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବାବସ୍ଥାରେ ବିନ୍ଦାସ ଖେଳୁଥିଲି
ଏବେ ବି ମୋ ମନରେ ଦୁଇ ଦୁଇଟି ବିଶ୍ବକପ୍ ଖେଳିବାର ଅନୁଭବ ଓ ଅନୁଭୂତି ସତେଜ ରହିଛି। ୧୯୯୮ ମସିହାରେ ହଲାଣ୍ଡ ବିଶ୍ବକପ୍ରେ ପଦାର୍ପଣ କରିବା ବେଳକୁ ମୁଁ ଢେର ସାନ ଥିଲି। ପୂର୍ବ ବର୍ଷ ହିଁ ଜୁନିଅର ଶେଷ ହୋଇଥିଲା। ମୋ ଉପରେ କୌଣସି ଚାପ ନ ଥିଲା, ତେଣୁ ମୁଁ ବିନ୍ଦାସ ଖେଳୁଥିଲି। ଦଳଗତ ସଫଳତା ଭଲ ରହିନଥିଲେ ବି ବ୍ୟକ୍ତିଗତ ପ୍ରଦର୍ଶନ ସନ୍ତୋଷଜନକ ଥିଲା। ଆମର ପ୍ରତି ମ୍ୟାଚ୍ ଖରାପ ହେଉଥିଲା। କେବଳ ନ୍ୟୁଜିଲାଣ୍ଡଠାରୁ ଜିତିଥିଲୁ। ସେତେବେଳେ ୟୁରୋପୀୟମାନେ ଏତେ ଚମତ୍କାର ଖେଳୁଥିଲେ ଯେ ଆମେ କ’ଣ କରିବୁ ଜାଣିପାରୁନଥିଲୁ। ସେତେବେଳେ ଆମ ଫରୱାର୍ଡମାନେ ରିଟାକଲ୍ କରୁନଥିଲେ। ଥରେ ବଲ୍ ହାତଛଡ଼ା ହୋଇଯବା ପରେ ଆଉ ଚେଷ୍ଟା କରୁନଥିଲେ। ଏବେ କିନ୍ତୁ ଖେଳ ବଦଳିଯାଇଛି। ଫରୱାର୍ଡମାନେ ହିଁ ଦଳର ପ୍ରଥମ ରକ୍ଷାପନ୍ଥୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ବଲ ଯେଉଁଠି ଡିଫେନ୍ସ ସେଇଠୁ ଆରମ୍ଭ ହେବା ଧାରାରେ ପରିଣତ ହୋଇଛି। ଆମ ଫରୱାର୍ଡମାନେ ଏବେ ରିଟାକଲ୍ ଅବା ପୁନଃଆକ୍ରମଣ ନୀତି ଆପଣାଇବା ଫଳରେ ଭାରତର ଦଳଗତ ପ୍ରଦର୍ଶନରେ ଉନ୍ନତି ଘଟିଛି। ଆଗରୁ ରକ୍ଷଣଭାଗକୁ ଦୋଷ ଦେଇଦିଆଯାଉଥିଲା। କିନ୍ତୁ ଏବେ ଖରାପ ପ୍ରଦର୍ଶନ ପାଇଁ ଉଭୟ ଅଗ୍ରଭାଗ ଏବଂ ରକ୍ଷଣଭାଗଙ୍କୁ ଦାୟୀ କରାଯାଇପାରୁଛି। ୨୦୦୨ ମସିହାରେ ମଧ୍ୟ ସମାନ କଥା ହୋଇଥିଲା। ଆମ ପ୍ରଦର୍ଶନ ଖରାପ ରହିଥିଲା, ପୁନଃଆକ୍ରମଣ କୌଶଳ ଶିଖାଯାଉଥିଲା, କିନ୍ତୁ ପୁରୁଣା ଖେଳାଳିମାନେ ସେମାନଙ୍କ ଅଭ୍ୟାସକୁ ଛାଡ଼ିପାରୁନଥିବାରୁ ଦଳର ପ୍ରଦର୍ଶନ ପ୍ରଭାବିତ ହେଉଥିଲା। ଉଭୟ ସଂସ୍କରଣରେ ଭାରତ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଥିଲା।
ଓଡ଼ିଶାରେ ବିଶ୍ବକପ୍ ସ୍ବପ୍ନ ଭଳି ଲାଗୁଛି
ଓଡ଼ିଶାରେ ବିଶ୍ବକପ୍ ହେଉଛି ଏ କଥା ଭାବିବା ବେଳକୁ ସ୍ବପ୍ନ ଭଳି ଲାଗୁଛି। ଭାରି ଖୁସୀ ଲାଗୁଛି, ନିଜ ରାଜ୍ୟରେ ଏ ମର୍ଯ୍ୟଦାଜନକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଖୁବ୍ କ୍ବଚିତ ହୋଇଥାଏ ବିଶ୍ବକପ୍କୁ ଆୟୋଜନ କରିବାକୁ ସରକାର ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ ଓ ଉତ୍ସାହ ମୋତେ ଅଭିଭୂତ କରିଛି। ସରକାର ନିଶ୍ଚିତ ଭାବେ ସବୁ ଧନ୍ୟବାଦର ପାତ୍ର। ଏହାଛଡ଼ା କ୍ରୀଡ଼ା ସଚିବ ବିଶାଲ କୁମାର ଦେବଙ୍କ ନେତୃତ୍ବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦିନରାତି ଲାଗି ପଡ଼ିବା ନିଶ୍ଚିତ ସଫଳତା ଦେବ। ଘରୋଇ ମାଟିରେ ବିଶ୍ବକପ୍ ଖେଳିବାର ଅବସୋସ ରହିଥିଲେ ବି ଏହା ବାସ୍ତବତା। ମୁଁ ଏଠି ଖେଳିପାରିବି ନାହିଁ, ଏହାକୁ ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ଯେଉଁ ହକି ପ୍ରେମୀମାନେ ଆମକୁ ସବୁବେଳେ କହୁଥିଲେ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବାକୁ ପାଉନାହାନ୍ତି, ସେମାନଙ୍କୁ ହାତ ପାହାନ୍ତାରେ ଏହା ମିଳିଯାଇଛି।
ଭାରତର ସମ୍ଭାବନା ଭଲ
ଭାରତ ପାଇଁ ମଧ୍ୟ ଘରୋଇ ମାଟି ଓ ପରିବେଶର ଫାଇଦା ଭିତରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ମନପ୍ରୀତ୍ ସିଂହଙ୍କ ଦଳ ମଧ୍ୟ ଏହି ଦକ୍ଷତା ଓ କ୍ଷମତା ରଖିଛି। ଆମେ ନିଶ୍ଚିତ ସେମିଫାଇନାଲ୍ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିବ। ଆମ ପୁଲର ଦଳଗୁଡ଼ିକ ଠିକ୍ ଅଛନ୍ତି, ବେଲଜିୟମ ବିପକ୍ଷ ମୁକାବିଲା ନିଶ୍ଚିତ କଷ୍ଟକର ହେବ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ଭାରତର ଆଶା ବଢ଼ାଇଛି। ଅଧିକାଂଶ ଯୁବ ଖେଳାଳି ବିଗତ ୩/୪ ବର୍ଷ ହେବ ଖେଳି ଆସୁଛନ୍ତି, ତେଣୁ ଚାପ ରହିବ ନାହିଁ। ଅଧିନାୟକ ମନ୍ପ୍ରୀତଙ୍କ ଉପରେ ନିଶ୍ଚିତ ଗୁରୁଦାୟିତ୍ବ ରହିବ। ସେ ଯେଉଁ ଯାଗାରେ (ମିଡଫିଲଡ୍) ଖେଳୁଛନ୍ତି ନିଶ୍ଚିତ ପ୍ରତି ମ୍ୟାଚ୍ରେ ପ୍ରମୁଖ ଭୂମିକା ତୁଲାଇବେ। ଦୁଇ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ଚୟନ ମଧ୍ୟ ସ୍ଥାନୀୟ ପ୍ରଶଂସକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେବ। ରକ୍ଷଣଭାଗରେ ବୀରେନ୍ଦ୍ରଙ୍କ ଅଭିଜ୍ଞତାର ଆବଶ୍ୟକତା ଥିଲା। ଅମିତ ମଧ୍ୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ପେନାଲଟି କର୍ନର ଡିଫେଣ୍ଡ ବେଳେ ତାଙ୍କୁ ପ୍ରଥମ ରନର୍ ଭାବେ ରଖାଯାଇଥିବାରୁ ସେ ଏ କ୍ଷେତ୍ରରେ ସଫଳ ହେଲେ ଦଳ ଅଧିକ ଦୃଢ଼ ହୋଇଯିବ।