ହକି ବିଶ୍ବକପ୍ ଆଉ ୯ ଦିନ: ଉଦ୍‌ଘାଟନୀ ଉତ୍ସବ, ମୁଖ୍ୟ ଭୂମିକାରେ ମାଧୁରୀ

ଭୁବନେଶ୍ବର: ହକି ବିଶ୍ବକପ୍ ଯେତିକି ପାଖେଇ ଆସୁଛି ପ୍ରଶଂସକ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ସେତିକି ବଢ଼ି ଚାଲିଛି। ବିଶ୍ବକପ୍ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ନଭେମ୍ବର ୨୭ ତାରିଖର ଉଦ୍‌ଘାଟନୀ ଉତ୍ସବ ଲାଗି ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଆଗ୍ରହ ପରିଲକ୍ଷିତ ହୋଇଛ। କାରଣ ପୂର୍ବରୁ ଘୋଷିତ ତାଲିକା ଅନୁସାରେ ବଲିଉଡ୍ ତାରକା ଶାହାରୁଖ ଖାନ, ଓସ୍କାର ବିଜେତା ସଂଗୀତଜ୍ଞ ଏଆର ରହମାନଙ୍କ ସହିତ ଗୀତିକାର ‌ସେଖ୍‌ ଗୁଲଜାରଙ୍କ କାର୍ଯ୍ୟକ୍ରମ ରହିଛି। ଏହି ୩ ପ୍ରମୁଖ ନାମ ସହିତ ଆଉ ଏକ ବଡ଼ ନାମ ଯୋଡ଼ି ହେବାକୁ ଯାଉଛି। ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ବଲିଉଡ୍‌ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଅନ୍ୟତମ ଆକର୍ଷଣ ପାଲଟିବେ। ଯେଉଁ ମୁଖ୍ୟ କଥାବସ୍ତୁ ଉପରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ତାହାର ମୁଖ୍ୟ ଚରିତ୍ର ‘ଭୂ ଦେବୀ’ ଭୂମିକାରେ ମାଧୁରୀ ଦୀକ୍ଷିତ ରହିବେ। ଏହି କେନ୍ଦ୍ରୀୟ ଭୂମିକାରେ ଅଭିନୟ କରିବାକୁ ମାଧୁରୀ ସମ୍ମତି ଦେଇସାରିଛନ୍ତି। କିନ୍ତୁ ଏ ସମ୍ପର୍କରେ କଥାବାର୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ମାଧୁରୀଙ୍କ ନାମ ଘୋଷଣା କରାଯାଇନାହିଁ। ସବୁ ସଂସ୍କରଣ ହକି ବିଶ୍ବକପ୍ ହେଉ ଅବା କୌଣସି ବଡ଼ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌’ର ଉଦ୍‌ଘାଟନୀ ଉତ୍ସବକୁ ନିଆରା ଢଙ୍ଗରେ ଉପସ୍ଥାପିତ କରିବାକୁ ପ୍ରୟାସ କରାଯାଉଥିବାରୁ ସବୁକିଛି ତଥ୍ୟକୁ ଶେଷ କ୍ଷଣ ପର୍ଯ୍ୟନ୍ତ ଗୋପନ ରଖାଯାଉଛି। ନଭେମ୍ବର ୨୭ ତାରିଖର ଉଦ୍‌ଘାଟନୀ ଉତ୍ସବ ନିଶ୍ଚିତ ଏକ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଯିବ ବୋଲି ମଧ୍ୟ ବିଶ୍ବାସ କରାଯାଉଛି। ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ବିଷୟବସ୍ତୁ ରହିଛି ‘ଏକତା ଏବଂ‌ ଗୋଟିଏ ବିଶ୍ବ’। ଏହି ଆଧାରରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ସିଦ୍ଧାନ୍ତମୂଳକ କାର୍ଯ୍ୟକ୍ରମର ଶୀର୍ଷକ ରଖାଯାଇଛି ‘ଦି ଆର୍ଥ ସଙ୍ଗ୍’। ଏହି କାର୍ଯ୍ୟକ୍ରମ‌ର ମୂଳତତ୍ବ ତଥା ଉଦ୍ଦେଶ୍ୟ ହେଉଛି ‘ମାନବିକତା ମଧ୍ୟରେ ଏକତା’। ବିଶ୍ବକପ୍‌ ଉଦଘାଟନୀ ଉତ୍ସବର ସୃଜନଶୀଳ ନିର୍ଦେଶିକା ନୁପୂର ମହାଜନଙ୍କ ଲିଖିତ ଓ ନିର୍ଦେଶିତ ଏହି କାର୍ଯ୍ୟକ୍ରମରେ ଜଣେ ବଲିଉଡ୍ ତାରକା ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଯାହାକି ମାଧୁରୀ ଦୀକ୍ଷିତଙ୍କୁ ମିଳିବା ଏକ ପ୍ରକାର ନିଶ୍ଚିତ ରହିଛି। ‘ଭୂ ଦେବୀ’ କାର୍ଯ୍ୟକ୍ରମରେ ଜଣାଣୁଣା‌ ବ୍ୟକ୍ତିତ୍ବ ‌ସିଆମକ ଡାଭର ନୃତ୍ୟ ନିର୍ଦେଶନା ଦେଉଥିବାବେଳେ ମୂଳ ଗୀତର ସ୍ରଷ୍ଠା ରହିଛନ୍ତି ରଂଜିତ ବାରୋତ।

ମୁଖ୍ୟ ବିଷୟବସ୍ତୁ ‘ଏକତା ଓ ଏକ ବିଶ୍ବ’
ଶାହାରୁଖ, ରହମାନ, ଗୁଲ୍‌ଜାର ଆକର୍ଷଣ
ଅର୍ଚିତା, ସବ୍ୟସାଚୀ ଯୋଡ଼ି ଦେବେ ଓଡ଼ିଆ ସ୍ପର୍ଶ
୨ ଘଣ୍ଟା କମାଲ କରିବେ ୧୧୦୦ କଳାକାର
ଓଡ଼ିଶାରୁ ୮୦୦ ନବାଗତ ନୃତ୍ୟଶିଳ୍ପୀ

ଉଦ୍‌ଘାଟନୀ ଉତ୍ସବ ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମକୁ ବିମୋହିତ କରିବ ଏବଂ ବିଶ୍ବ କ୍ରୀଡ଼ାକୁ ଏକ ନୂଆ ପରମ୍ପରା ପ୍ରଦାନ କରିବ। ସ୍ଥାନୀୟ, ଭାରତୀୟ ଏବଂ ବି‌ଦେଶରୁ ମୋଟ ୧୧୦୦ କଳାକାର ଏକକାଳୀନ ପ୍ରଦର୍ଶନ କରିବେ। ଏମାନଙ୍କ କାର୍ଯ୍ୟକ୍ରମ ମଧ୍ୟ ମାନବୀୟ ଏକତା ମଧ୍ୟରେ ‘ଗୋଟିଏ ‌ବିଶ୍ବ’ର ସନ୍ଦେଶ ବାଣ୍ଟିବ। ସବୁଠାରୁ ବଡ଼ କଥା ହେଉଛି ଏଥିରେ ଓଡ଼ିଶାରୁ ୮୦୦ ସହ ନବାଗତ କଳାକାର ରହିଛନ୍ତି। ଯେଉଁମାନେ କେବେ ଆଗରୁ ନୃତ୍ୟ ପରିବେଷଣ କରିନାହାନ୍ତି। ବିଶ୍ବକପ୍‌ର ମୁଖ୍ୟ କାର୍ଯ୍ୟକ୍ରମ ‘ଦି ଆର୍ଥ ସଙ୍ଗ୍’ରେ ଓଡ଼ିଶାରୁ କଲେଜ ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ନୃତ୍ୟ କରିବାକୁ ଯାଉଥିବା ଯୁବକଯୁବତୀମାନେ ଏବେ ଅହରହ ରିହରସାଲରେ ଲାଗି ପଡ଼ିଛନ୍ତି। ଆର୍ଥ ସଙ୍ଗରେ ପାରମ୍ପରିକ ନୃତ୍ୟଠାରୁ ଆରମ୍ଭ କରି ଶାସ୍ତ୍ରୀୟ, ଜାଜ୍‌, ବାଲେଟ ସହିତ ଓଡ଼ିଶୀ ଏବଂ ଅନ୍ୟ ବହୁ ବିବିଧତା ଭରି ରହିଛି। ନାଟକ, ସଂଳାପ, ସଂଗୀତ ମାଧ୍ୟମରେ ବିଶ୍ବବାସୀଙ୍କୁ ଏକତାର ବାର୍ତା ପ୍ରେରଣର ପ୍ରୟାସ କରାଯିବ। ଶାହାରୁଖ୍ ଖାନ ମୁଖ୍ୟ ଆକର୍ଷଣ ରହିବେ। ବର୍ତମାନ ଦେଶବ୍ୟାପୀ ଚାଲିଥିବା ‘ହାର୍ଟ ବିଟ୍‌ ଫର ହକି’ (ହକି ପାଇଁ ହୃଦସ୍ପନ୍ଦନ) ଅଭିଯାନ ଶେଷରେ ସଂଗୃହିତ ହୃଦ୍‌ସ୍ପନ୍ଦନଗୁଡ଼ିକୁ ଶାହାରୁଖ ଖାନ୍ କଳିଙ୍ଗ ଷ୍ଟାଡିୟମରେ ଏକତ୍ରିତ ବିଶ୍ବକପ୍ ଅଧିନାୟକମାନଙ୍କୁ ପ୍ରଦାନ କରିବେ। ସେହିଭଳି ଖ୍ୟାତନାମା ଗୀତିକାର ସେଖ ଗୁଲ୍‌ଜାରଙ୍କ ଲିଖିତ ବିଶ୍ବକପ୍ ଆନୁଷ୍ଠାନିକ ସଂଗୀତ ‘ଜୟ ଇଣ୍ଡିଆ…’କୁ ଓସ୍କାର ବିଜେତା ଏଆର ରହମାନଙ୍କ କଣ୍ଠରେ ଶୁଣିବେ କଳିଙ୍ଗ ପ୍ରଶଂସକ। ଏସବୁ କାର୍ଯ୍ୟକ୍ରମ ୨ ଘଣ୍ଟା ବିଶିଷ୍ଟ ରହିଛି ଏବଂ ମୁଖ୍ୟ କାର୍ଯ୍ୟକ୍ରମ ୪୫ ମିନିଟର ହେବ। ଓଡ଼ିଶା କଳାକାଳଙ୍କ ମଧ୍ୟରେ ଓଲିଉଡ୍‌ର ଅନ୍ୟତମ ସଫଳ ଯୋଡ଼ି ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ମୁଖ୍ୟ ଆକର୍ଷଣ ରହିବେ। କ୍ରୀଡ଼ା ଭାଷ୍ୟକାର ଗୌରବ କାପୁର ସଂଯୋଜନା କରିବେ। ସମ୍ପୂର୍ଣ୍ଣ ଉଦ୍‌ଘାଟନୀ ଉତ୍ସବ ଦୂରଦର୍ଶନ ନ୍ୟାସନାଲ, ଡିଡି‌ ସ୍ପୋର୍ଟସ ସହିତ ଓଡ଼ିଶାର ସମସ୍ତ ଆଞ୍ଚଳିକ ଟିଭି ଚାନେଲ ସିଧା ପ୍ରସାରିତ କରିବେ। ଫେସ୍‌ବୁକରେ ମଧ୍ୟ ଏହା ସିଧାପ୍ରସାରିତ ହେବ।

ନୂଆ ମାନଦଣ୍ଡ ଧାର୍ଯ୍ୟ କରିବ: ନୁପୂର
ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଅଂଶଗ୍ରହଣ ପ୍ରସଙ୍ଗରେ ‘ସମ୍ବାଦ’ ପକ୍ଷରୁ ପ୍ରଶ୍ନ ହେବାରୁ ଏହାକୁ ସ୍ପଷ୍ଟ କରିନଥିଲେ ବି ଏଡାଇ ଦେଇନଥିଲେ ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ସ୍ରଷ୍ଠା ନୁପୂର ମହାଜନ। କିନ୍ତୁ ଗତବର୍ଷର ଏସୀୟ ଦୌଡ଼କୁଦ ଉଦ୍‌ଘାଟନୀ ଉତ୍ସବଠାରୁ ଏହା ନିଶ୍ଚିତ ଭିନ୍ନ ଓ ସ୍ବତନ୍ତ୍ର ହେବ, ନୂଆ ମାନଦଣ୍ଡ ଧାର୍ଯ୍ୟ କରିଯିବ ବୋଲି କହିଛନ୍ତି ଏହି ପୂର୍ବତନ ସାମ୍ବାଦିକା ଓ ଲେଖିକା। ଖେଳ ମାଧ୍ୟମରେ ଆମେ ବିଶ୍ବସ୍ତରୀୟ ବାର୍ତା ପ୍ରେରଣ କରିବୁ। ଏକତା ଓ ଏକ ବିଶ୍ବ ପାଇଁ ଖେଳ ଭଳି ପ୍ଲାଟଫର୍ମ ଆଉ କିଛି ହୋଇନପାରେ। ଜାତି, ଧର୍ମ, ବର୍ଣ୍ଣ, ଧନି, ଗରିବ ଭେଦଭାବରୁ ବାହାରି ସବୁକିଛି ଛୋଟପଣକୁ ପଛରେ ପକାଇବାର ପ୍ରୟାସ ହୋଇଛି। ସବୁ ସୀମା ‌ଡେଇଁ ମଣିଷପଣିଆର ବାର୍ତାବହନ କରାଯିବ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟର ଭାବମୂର୍ତି ବଢ଼ାଇବାରେ ଏହା ଅନ୍ୟତମ ମାଧ୍ୟମ ହେବ ବୋଲି କହିଛନ୍ତି ନୂପୂର।

ସମ୍ବନ୍ଧିତ ଖବର