ଏବି ଡି’ଭିଲିୟର୍ସ, ବିରାଟ ଓ ମୁଁ ବେଶି ସମୟ ଚୁପ୍ ରହିବୁନି

ହାଇଦ୍ରାବାଦରେ ସନ୍‌ରାଇଜର୍ସଠାରୁ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ବିରାଟ କୋହଲି ଓ ମୁଁ ଟିମ୍ ବସ୍‌ରେ ପାଖାପାଖି ବସି ହୋଟେଲ ଫେରିଥିଲୁ। ସେ ମୋତେ ଓ ମୁଁ ତାଙ୍କୁ ଚାହୁଁଥିଲି। ଆମ ପାଖରେ କିନ୍ତୁ କହିବାକୁ କିଛି ନଥିଲା। ଆମେ ଏମିତି ଆଶା କେବେବି କରି ନଥିଲୁ। ଦଳଗତ ଭାବେ ଦୁଇ ସପ୍ତାହରୁ ଅଧିକ ସମୟ ହେବ ଆମେ ଏକାଠି ରହିଲୁଣି। କଠିନ ପରିଶ୍ରମ କରୁଛୁ। ଆମ ପ୍ରସ୍ତୁତି ଉତ୍କୃଷ୍ଟ ସ୍ତରର। ଦଳର ସନ୍ତୁଳନ ବି ବହୁତ ଭଲ। ସେହି ଦୃଷ୍ଟିରୁ ଆମେ ସବୁ ମ୍ୟାଚ୍ ଜିତିବା କଥା। ତଥାପି ଆମେ ବିଜୟର ସ୍ବାଦ ଚାଖି ପାରୁନୁ। ସଂପ୍ରତି ଆମେ ତିନିଟି ମ୍ୟାଚ୍ ଖେଳି ତିନିଟି ଯାକ ହାରିଛୁ। ଆର୍‌ସିବି ସମର୍ଥକ ଏଥିପାଇଁ ଚିନ୍ତା ପ୍ରକଟ କରୁଛନ୍ତି। ମୋ ମତରେ ଏହା ଯଥାର୍ଥ ମଧ୍ୟ। ଆମ ପାଇଁ ଆଉ ଏକ ଋତୁ ନିରାଶାଜନକ ରହିବ ବୋଲି ‌ସେମାନେ ଆଶଙ୍କା କରିବା ସ୍ବାଭାବିକ। ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ନର ୧୮୫ ରନ୍‌ର ଅବର୍ଣ୍ଣନୀୟ ପ୍ରାରମ୍ଭିକ ଭାଗୀଦାରି କଲେ। ଦ୍ରୁତ ଆରମ୍ଭ ପରେ ୧୬ ଓଭର ପର୍ଯ୍ୟନ୍ତ ସେମାନେ ଏହାକୁ କାୟମ ରଖି ପାରିଥିଲେ। ୨୩୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବା ସବୁବେଳେ କଷ୍ଟକର। ୩୫ ରନ୍‌ରେ ୬ ଜଣ ବ୍ୟାଟ୍ସମ୍ୟାନ୍ ହରାଇବା ପରେ ଏହା ଏକପ୍ରକାର ଅସମ୍ଭବ ହୋଇ ଯାଇଥିଲା। ଆମକୁ ଅଫ୍ ସ୍ପିନର ମହମ୍ମଦ ନବି ଘାଇଲା କରିଦେଲେ। ଅବଶ୍ୟ ଟ୍ବେଣ୍ଟି-୨୦ରେ କେବେ କେବେ ଏମିତି ହୋଇଥାଏ। କ୍ଷଣକରେ ସ୍ଥିତି ବଦଳିଯାଏ ଏବଂ ମ୍ୟାଚ୍ ଅପଣଙ୍କ ହାତରୁ ଖସି ଯାଇଥାଏ। ୱାର୍ନରଙ୍କ ବ୍ୟାଟ୍ ଧାରରୁ ଆସିଥିବା କ୍ୟାଚ୍ ଖାଲି ସ୍ଥାନକୁ ନଯାଇ କ୍ଷେତ୍ରରକ୍ଷକଙ୍କ ହାତକୁ ଯାଇଥିଲେ ହୁଏତ ସ୍ଥିତି କିଛି ଅଲଗା ହୋଇଥାଆନ୍ତା। ବାସ୍ତବରେ ଆମେ ସବୁ କ୍ଷେତ୍ରରେ ଖରାପ ଖେଳିଲୁ। ଆମର ଆଉ ୧୧ ପୁଲ୍ ମ୍ୟାଚ୍ ବାକି ଅଛି। ଆଇପିଏଲ୍ ଇତିହାସ କହେ ସେଥିରୁ ୭ କିମ୍ବା ୮ଟି ଜିତି ପାରିଲେ, ଆମେ ନକଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇ ପାରିବୁ। ଏବେ ପ୍ରଶ୍ନ ହେଉଛି ଆର୍‌ସିବି ସଫଳ ପ୍ରତ୍ୟାବର୍ତନ କରି ଲଗାତାର ଅନ୍ୟୁନ ୫ ମ୍ୟାଚ୍ ଜିତି ପାରିବ କି? ଆମପାଇଁ ଏବେ ସବୁଠାରୁ ବଡ଼ ଆହ୍ବାନ ହେଲା ନିଜ ଉପରେ ଭରସା ରଖିବା। ତାହା ପୁଣି କେବଳ ଦଳଗତ ନୁହେଁ, ବ୍ୟକ୍ତିଗତ ଭାବେ ମଧ୍ୟ। ‌ପ୍ରତ୍ୟେକ ଖେଳାଳି ନିଜ ନିଜ କାମ ଠିକ୍ ଭାବେ କଲେ ଯାଇ ଦଳ ଉନ୍ନତି କରି ପାରିବ। ଆମ ପାଇଁ ପରବର୍ତୀ ସୁଯୋଗ ମଙ୍ଗଳବାର ଜୟପୁରରେ ଆସିବ। ପ୍ରତିଭାବାନ ଖେଳାଳି ଥିବା ସତ୍ତ୍ବେ ନିଜ ପ୍ରଥମ ତିନିଟି ମ୍ୟାଚ୍ ହାରିଥିବା ରାଜସ୍ଥାନ ରୟାଲ୍ସକୁ ଆମେ ଭେଟିବୁ। ମୁଁ କହି ପାରିବି ଯେ ଆମେ ବର୍ତମାନ ଘାଇଲା ବାଘ। ପ୍ରଶଂସକଙ୍କ ହତାଶା ଦୂର କରିବାକୁ ପୁରା ସକ୍ଷମ। ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇ ପାରିବି ଯେ ବିରାଟଙ୍କ ସହ ମୁଁ ଓ ଆମ ସମଗ୍ର ଦଳ ବେଶି ସମୟ ଚୁପ୍ ରହିବୁନି।

ସମ୍ବନ୍ଧିତ ଖବର