‘କ୍ଳାନ୍ତ’ ଏବିଙ୍କ ଅବସର

‘କ୍ଳାନ୍ତ ହୋଇଯାଇଥିଲି, ଆଉ ଶକ୍ତି ନଥିଲା’

ଜୋହାନେସବର୍ଗ: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ବୁଧବାର ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ ୩୪ ବର୍ଷୀୟ ଡିଭିଲିୟର୍ସ ଆଜି ଅପରାହ୍ନରେ ଟ୍ଵିଟରରେ ଏକ ଭିଡିଓ ପ୍ରକାଶ କରି ଏହି ବିଷୟରେ ସୂଚନା ଦେଇଥିଲେ। ତାଙ୍କର ଏହି ନିଷ୍ପତ୍ତି କିନ୍ତୁ ସମଗ୍ର କ୍ରିକେଟ୍‌ ଜଗତକୁ ସ୍ତବ୍ଧ କରି ଦେଇଛି। ଥରେ ମାତ୍ର ବିଶ୍ୱକପ୍‌ ତୋଳି ଧରିବାର ସ୍ୱପ୍ନ ନେଇ ବଞ୍ଚିଥିବା ଡିଭିଲିୟର୍ସ କିନ୍ତୁ ଇଂଲଣ୍ଡ ବିଶ୍ୱକପ୍‌ର ଠିକ୍‌ ବର୍ଷକ ପୂର୍ବରୁ ଏଭଳି ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିବା ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ ଏବଂ ବିସ୍ମିତ ମଧ୍ୟ କରିଛି। ତେବେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିଥିବା ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଛନ୍ତି। ଏବି ପ୍ରକାଶ କରିଥିବା ଭିଡିଓ ବାର୍ତାରେ କହିଥିଲେ ଯେ ଆଜି ମୁଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହା କହିବା ପରେ ପରେ ହିଁ ସେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନରେ ପୂର୍ଣ୍ଣଛେଦ ଟାଣିବା କଥା ଘୋଷଣା କରିଥିଲେ। ଯାହା କ୍ରିକେଟ୍‌ ଜଗତ ପାଇଁ ଏକ ବୋମାଠାରୁ କିଛି କମ୍‌ ନଥିଲା। ଷ୍ଟମ୍ପ୍‌ର ଚତୁଃପାର୍ଶ୍ୱକୁ ସଟ୍‌ ଖେଳିବାର ଦକ୍ଷତା ଲାଗି ‘ମିଷ୍ଟର ଥ୍ରୀ ସିକ୍ସ୍‌ଷ୍ଟି’ ଭାବେ ପରିଚିତ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ତରଫରୁ ୧୧୪ ଟେଷ୍ଟ୍‌, ୨୨୮ ଦିନିକିଆ ଏବଂ ୭୮ ଟେ୍ଵଣ୍ଟି-୨୦ ଖେଳିଛନ୍ତି। ଚଳିତ ବର୍ଷର ଆଇପିଏଲ୍‌ରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ପ୍ରତିନିଧିତ୍ୱ କରି କେତେକ ଦର୍ଶନୀୟ ପାଳି ଖେଳିଥିଲେ। ତେବେ ଦଳଗତ ଭାବେ ବାଙ୍ଗାଲୋର ଆଶାଜନକ ପ୍ରଦର୍ଶନ କରି ନପାରି ଷଷ୍ଠ ସ୍ଥାନରେ ତା’ର ଅଭିଯାନ ଶେଷ କରିଥିଲା।

୧୪ ବର୍ଷର ଅନ୍ତର୍ଜାତୀୟ ଜୀବନ ମଧ୍ୟରେ ଡିଭିଲିୟର୍ସ ଟେଷ୍ଟ କ୍ରିକେଟ୍‌ରେ ୨୨ ଶତକ ଓ ୪୬ ଅର୍ଧଶତକ ସହ ୫୦.୬୬ ହାରରେ ୮୭୬୫ ରନ୍‌ କରିଛନ୍ତି। ସେହିଭଳି ଦିନିକିଆରେ ୨୫ ଶତକ ଓ ୫୩ ଅର୍ଧଶତକ ସହ ୫୩.୫ ହାରରେ ୯୫୭୭ ଏବଂ ଟେ୍ଵଣ୍ଟି-୨୦ରେ ୧୦ ଅର୍ଧଶତକ ସହ ୧୬୭୨ ରନ୍‌ କରିଛନ୍ତି। ଏବିଙ୍କ ଅବସର ନିଷ୍ପତ୍ତି ପରେ ଇଂଲଣ୍ଡରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଦ୍ୱାଦଶ ଦିନିକିଆ ବିଶ୍ୱକପ୍‌ରେ ତାଙ୍କ ଅନୁପସ୍ଥିତିକୁ କ୍ରିକେଟ୍‌ ପ୍ରେମୀ ଅଙ୍ଗେ ଅଙ୍ଗେ ଅନୁଭବ କରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ମାର୍ଚ ମାସରେ ଡିଭିଲିୟର୍ସ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଜୋହାନେସବର୍ଗରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଏହି ଟେଷ୍ଟରେ ଡିଭିଲିୟର୍ସ ୭୫ (୬୯, ୬) ରନ୍‌ କରିଥିଲେ। ଡିଭିଲିୟର୍ସ ୨୦୦୪ ଡିସେମ୍ବର ମାସରେ ପୋର୍ଟ ଏଲିଜାବେଥଠାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ପରବର୍ଷ ଫେବ୍ରୁଆରି ୨ରେ ସେହି ଇଂଲଣ୍ଡ ବିପକ୍ଷରେ ଦିନିକିଆ ଏବଂ ୨୦୦୬ ଫେବ୍ରୁଆରି ୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେ୍ଵଣ୍ଟି-୨୦ ଜୀବନ ଆରମ୍ଭ କରିଥିଲେ।

କ୍ରିକେଟ୍‌ ଜଗତ ଚକିତ
ନିକଟରେ ଆଇପିଏଲ୍‌ ଖେଳି ସ୍ୱଦେଶ ଫେରିଥିବା ଏବି ଡିଭିଲିୟର୍ସଙ୍କ ଅଚାନକ ଅବସର ନିଷ୍ପତ୍ତି ସମଗ୍ର କ୍ରିକେଟ୍‌ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଚମତ୍କାର ଫର୍ମରେ ଥାଇ ବି ସେ କାହିଁକି ଏବଂ କ’ଣ ପାଇଁ ଅବସର ନେଲେ ତାହା ଏବେ ଦକ୍ଷିଣ ଆଫ୍ରିକା ସହ ସମଗ୍ର କ୍ରିକେଟ୍‌ ଦୁନିଆରେ ପ୍ରମୁଖ ଚର୍ଚାର ବିଷୟ ହୋଇଛି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହବାଗ ଓ ମାଇକେଲ୍‌ ଭନ୍‌ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏପରିକି ତାଙ୍କ ନିଜ ଦଳର ସାଥୀ ଖେଳାଳିମାନେ ଏକଥାକୁ ବିଶ୍ୱାସ କରି ପାରୁ ନାହାନ୍ତି।

ମିଷ୍ଟର ୩୬୦ଙ୍କୁ ଝୁରିବେ ପ୍ରଶଂସକ
ପ୍ରତିପକ୍ଷ ଦଳର ବୋଲରଙ୍କୁ ଏକାକି ଧୂଲେଇ କରିବାରେ ସିଦ୍ଧହସ୍ତ ଡିଭିଲିୟର୍ସ ପାରମ୍ପରିକ ସହ ଅଣପାରମ୍ପରିକ ସଟ୍‌ ଖେଳିବାରେ ମଧ୍ୟ ଦକ୍ଷ ଥିଲେ। ସେଥିପାଇଁ ପ୍ରତିପକ୍ଷ ଦଳର ଅଧିନାୟକ ତାଙ୍କ ବିରୋଧରେ ପଡ଼ିଆ ସଜାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେ ଜଣେ ସଂପୂର୍ଣ୍ଣ କ୍ରିକେଟର ଥିଲେ ବୋଲି ଅନେକ ସମୟରେ ପୂର୍ବତନ ଖେଳାଳିମାନେ ମତ ରଖନ୍ତି। କେବଳ କ୍ରିକେଟ୍‌ ନୁହେଁ ହକି, ରଗ୍‌ବି, ଟେନିସ୍‌, ବ୍ୟାଡ୍‌ମିଣ୍ଟନ, ଫୁଟ୍‌ବଲ୍‌ ସାଙ୍ଗକୁ ଅନ୍ୟ କେତେକ ଖେଳରେ ମଧ୍ୟ ସେ ଜଣେ ଦକ୍ଷ ତାରକା ଥିଲେ। ସେହିଭଳି ସେ ଜଣେ ଭଲ ଗାୟକ ମଧ୍ୟ। ସ୍ପିନରଙ୍କଠାରୁ ଆରମ୍ଭ କରି ଦ୍ରୁତ ବୋଲର ପର୍ଯ୍ୟନ୍ତ ସବୁପ୍ରକାର ଏବଂ ସମସ୍ତ ବୋଲରଙ୍କୁ ସେ ଓ୍ଵିକେଟର ଚାରି ପଟକୁ ସଟ୍‌ ଖେଳି ପାରନ୍ତି। ସେଥିପାଇଁ କ୍ରିକେଟ୍‌ ପଣ୍ଡିତମାନେ ତାଙ୍କୁ ମିଷ୍ଟର ଥ୍ରୀ ସିକ୍ସଷ୍ଟିର ଉପାଧୀ ଦେଇଥିଲେ।

ଦକ୍ଷିଣ ଆଫ୍ରିକାକୁ ଧକ୍କା
ଏବି ଡିଭିଲିୟର୍ସ ଅଚାନକ ଅବସର ଘୋଷଣା କରିବା ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍‌ ଅଭିଯାନରେ ଶକ୍ତ ଧକ୍କା ଲାଗିଛି। ଡିଭିଲିୟର୍ସ ଏହି ଦଳର ବିଶ୍ୱକପ୍‌ ଯୋଜନାର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବାହିନୀ ତୁଳନାତ୍ମକ ଭାବେ ଦୁର୍ବଳ ହୋଇଯିବ। ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ କ୍ରିକେଟର ପରବର୍ତୀ ସଂସ୍କରଣ ୨୦୧୯ ମେ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ବିଶ୍ୱକପ୍‌ର ଏହି ଦ୍ୱାଦଶ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନରେ ଆୟୋଜକ ଇଂଲଣ୍ଡକୁ ଭେଟି ତା’ର ଅଭିଯାନ ଆରମ୍ଭ କରିବ।

ଡିଭିଲିୟର୍ସ ତାଙ୍କ ଅବସର ବାର୍ତାରେ କହିଥିଲେ ଯେ ମୁଁ ଆଜି ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ୧୧୪ ଟେଷ୍ଟ, ୨୨୮ ଦିନିକିଆ ଏବଂ ୭୮ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ପରେ ପୂରା ଥକି ଯାଇଥିଲି। କହିବାକୁ ଗଲେ ଇଞ୍ଜିନର ପୂରା ଗ୍ୟାସ୍‌ ସରି ଯାଇଥିଲା। ଆଉ ଶକ୍ତି ନଥିଲା। ତା’ ଛଡ଼ା ଏବେ ଆଉ କେହି ମୋ ସ୍ଥାନ ନେବାର ଉଚିତ ସମୟ ବୋଲି ମୁଁ ଭାବୁଛି। ଏହା ଏକ କଠିନ ଏବଂ କଷ୍ଟକର ନିଷ୍ପତ୍ତି ଥିଲା। ହେଲେ ମୁଁ ମୋ ଅଧା ବଳରେ ଖେଳିବାକୁ ଚାହୁଁନି। ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ଜିତିବା ପରେ ମୋ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିବାର ଏହା ସଠିକ୍‌ ସମୟ ବୋଲି ଭାବୁଛି। ମୋ ପାଇଁ ସବୁକିଛି ନହେଲେ କିଛି ନାହିଁ। ଯଦି ଖେଳି ଥାଆନ୍ତି ତାହାଲେ ତିନିଟି ଯାକ ଫର୍ମାଟରେ ଖେଳି ଥାଆନ୍ତି। ଗୋଟିକରେ ଖେଳି ଅନ୍ୟଟିକୁ ମୁଁ ବାଦ୍‌ ଦେଇ ପାରିବି ନାହିଁ। ସାଥୀ ଖେଳାଳି, ପ୍ରଶିକ୍ଷକ, ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡର ସହାୟକ ଅଧିକାରୀ ଏବଂ ପ୍ରଶଂସକଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ। ବିଦେଶ ଯାଇ ଖେଳିବାର ପ୍ରଶ୍ନ ଉଠୁନାହିଁ। ବରଂ ଦକ୍ଷିଣ ଆଫ୍ରିକାରେ ମୁଁ ଘରୋଇ କ୍ରିକେଟ୍‌ ଖେଳିବା ଜାରି ରଖିବି।

ଗାୟକ, ଗଲ୍ଫ ତାରକା, କ୍ରିକେଟର, ରଗବି ଖେଳାଳି

ଏବି ଡିଭିଲିୟର୍ସଙ୍କ ପୂରା ନାଁ ହେଉଛି ଆବ୍ରାହାମ ବେଞ୍ଜାମିନ ଡିଭିଲିୟର୍ସ। ୧୯୮୪ ମସିହାରେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ତାଙ୍କ ଜନ୍ମ। ଡାହାଣହାତୀ ବ୍ୟାଟିଂ କରିବା ସହ ସେ ଜଣେ ଡାହାଣହାତୀ ମଧ୍ୟମଗତି ବୋଲର ମଧ୍ୟ। ସେ ବି ଜଣେ ଓ୍ଵିକେଟ୍‌ ରକ୍ଷକ। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ଓ ସେ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଡିଭିଲିୟର୍ସଙ୍କ ପିତା ଜଣେ ଡାକ୍ତର ହୋଇଥିଲା ବେଳେ ପିଲାବେଳେ ସେ ରଗ୍‌ବିରୁ ତାଙ୍କ ଖେଳ ଜୀବନ ଆରମ୍ଭ କରିଥିଲେ। ପରେ କ୍ରିକେଟ୍‌ ପ୍ରତି ଢଳିଥିଲେ। ଜଣେ ଭଲ ଗଲ୍ଫ ଖେଳାଳି ଭାବେ ସାଙ୍ଗ ସାଥୀ ମହଲରେ ପରିଚିତ ଏବିଙ୍କ ଆତ୍ମଜୀବନୀ ୨୦୧୬ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିଲା। ଡିଭିଲିୟର୍ସ ମଧ୍ୟ ଦକ୍ଷିଣ ଆଫ୍ରିକାର ଅନେକ ଦାତବ୍ୟ ଅନୁଷ୍ଠାନ ସହ ଜଡ଼ିତ। ଏହାଛଡ଼ା ସେ ଜଣେ ଭଲ ଗାୟକ ମଧ୍ୟ। କ୍ରିକେଟ୍‌ ପଡ଼ିଆର ଅନେକ କୀର୍ତ୍ତିମାନ ଏବେବି ତାଙ୍କ ନାଁରେ ରହିଛି। ୫ ବର୍ଷର ପ୍ରେମ ସଂପର୍କ ପରେ ୨୦୧୨ ମସିହାରେ ପିଲାଦିନର ସାଥୀ ଡାନିଏଲ୍‌ ସ୍ୱାର୍ଟଙ୍କୁ ସେ ବିବାହ ପ୍ରସ୍ତାବ ଦେଇଥିଲେ। ଉଭୟ ୨୦୧୩ରେ ଦକ୍ଷିଣ ଆଫ୍ରିକାର ବେଲାଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ବଡ଼ ପୁଅ ଆବ୍ରାହାମ ବେଞ୍ଜାମିନ ୨୦୧୫ ଏବଂ ସାନ ପୁଅ ଜନ୍‌ ରିଚାର୍ଡ ୨୦୧୭ରେ ଜନ୍ମ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର