ଆମ ବିଫଳତା ଉପରେ ବଲିଉଡ୍ ଚଳଚ୍ଚିତ୍ର ନିର୍ମାଣ ହୋଇପାରିବ

ଏବି ଡି’ଭିଲିୟର୍ସ

ଆର୍‌ସିବି ତାର ପ୍ରଥମ ପାଞ୍ଚ ମ୍ୟାଚ୍‌ରୁ ପାଞ୍ଚଟି ଯାକ ହାରିବା କଥା,‌ ଉଣା ଅଧିକେ ସବୁ ଭାରତୀୟ ଜାଣିଥିବେ। ଆମେ ଖେଳିଛୁ ୫, ହାରିଛୁ ୫। ଏପରିକି ଆମ ସମସ୍ୟା ଓ ପରୀକ୍ଷା ନିରୀକ୍ଷା ଉପରେ ବଲିଉଡର ବଡ଼ ବଡ଼ ନିର୍ଦେଶକ ତୀକ୍ଷ୍ଣ ନଜର ରଖିଥିବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ। ଲାଗୁଛି ଯେମିତି ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ା ଚଳଚ୍ଚିତ୍ର ନିର୍ମାଣ ହେବା ଲାଗି ମଞ୍ଚ ପ୍ରସ୍ତୁତି ସରିଛି! ଏବେ କେବଳ ନାଟକୀୟ ପରିବର୍ତନ ଆଶା। ତେବେ ଏହା କଣ ସମ୍ଭବ? ବିଫଳତାର ଗଭୀରତା ଭିତରୁ ଆମେ ସଫଳତାର ଶୀର୍ଷକୁ ଛୁଇଁ ପାରିବୁ ବୋଲି କ’ଣ ବିଶ୍ବାସ କରାଯାଇପାରେ? ପୁରୁଣା ଚମକ ଫେରି ପାଇ ଆମେ କଣ ପଏଣ୍ଟ ଟେବୁଲର ଶେଷ ସ୍ଥାନରୁ ଉଠି ପ୍ଲେ ଅଫ୍ ଖେଳି ପାରିବୁ? ଏସବୁ ପରୀ କାହାଣୀ ଭଳି ଲାଗୁଛି। ଖେଳାଳି ଭାବେ ଆମେ ସମସ୍ତେ, ଆମ ସମର୍ଥକଙ୍କ ଭଳି ନିରାଶ ଏବଂ କ୍ଷୁବ୍ଧ। ଆମେ କିନ୍ତୁ ନୂଆ ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ଏବଂ ପ୍ରତି ଇଞ୍ଚ ପାଇଁ ପାରୁ ପର୍ଯ୍ୟନ୍ତ ଲଢ଼େଇ କରିବୁ। ପୂର୍ବର ସବୁ ପରାଜୟ ଅପେକ୍ଷା ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସଠାରୁ ହାରିବା ଆମ ପାଇଁ ସହଜରେ ଗ୍ରହଣୀୟ ନୁହେଁ। ପ୍ରଥମେ ବ୍ୟାଟିଂ କରି ଏକ କଷ୍ଟକର ପିଚ୍‌ରେ ଆମେ ୨୦୫ ରନ୍ କରିଥିଲୁ। ପ୍ରଥମ ପାଳି ହାରାହାରି ସ୍କୋର ୧୮୦ ଥିଲା ବେଳେ ଆମେ ତାଠାରୁ ଢେର ଅଧିକ ରନ୍ ସଂଗ୍ରହ କରିଥିଲୁ। ଏହା ଯଥେଷ୍ଟ ହେବା କଥା। ଶେଷ ୧୬ ବଲ୍‌ରୁ କୋଲକାତାକୁ ୫୨ ରନ୍‌ ଦରକାର ଥିବାରୁ ଆମେ ପ୍ରଥମ ବିଜୟ ପାଇବୁ ବୋଲି ଆଶା ଜାଗ୍ରତ ହୋଇଥିଲା। ହେଲେ ରସେଲ ଆସିଲା ପରେ ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା। ନୋ ବଲ୍‌ରୁ ୬ ରନ୍, ୬, ୬, ୱାଇଡରୁ ୧ ରନ୍, ତାପରେ ୧, ୧, ୧, ୬, ୬, ୬, ୪, ୬, ୧………ହଠାତ୍ ଆମେ ସ୍ତବ୍ଧ ହୋଇଗଲୁ। ୫ ବଲ୍ ପୂର୍ବରୁ ମ୍ୟାଚ୍ ହାରିଗଲୁ। ରସେଲ ଅସାଧାରଣ ବ୍ୟାଟିଂ କରିଥିଲେ। ଆମେ ମଧ୍ୟ ଗୋଟିଏ ପାଳିରେ ତିନିଟି ନୋ’ ବଲ୍ ଏବଂ ୮ ୱାଇଡ୍ ପକାଇବା ଉଚିତ ନଥିଲା। ଆମେ କ୍ୟାଚ୍ ହାତଛଡ଼ା କରିବାର ନଥିଲା, ଚାପକୁ ସହିବାର ଥିଲା। ଚିନ୍ନାସ୍ବାମୀରେ ଆମକୁ ସମର୍ଥନ କରିବାକୁ ଆସିଥିବା ହଜାର ହଜାର ସମର୍ଥକ ଆହୁରି କିଛି ଅଧିକ ଆଶାର ହକଦାର ଥିଲେ। ତଥାପି ରବିବାରର ଦିଲ୍ଲୀ ଡେୟାର ଡେଭିଲ୍ସ ମ୍ୟାଚ୍ ପାଇଁ ଆମେ ପ୍ରସ୍ତୁତ। ଲଢ଼େଇ ଜାରି ରଖିବାକୁ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ ‌ଦେଇଥିବା ପରାମର୍ଶକୁ କାମରେ ଲଗାଇ ପାରିବୁ ବୋଲି ଆଶା ଓ ବିଶ୍ବାସ। ମୁମ୍ବାଇ ଇଣ୍ଡିଆନ୍ସ ଆମ ପାଇଁ ‌ପ୍ରେରଣା। ୨୦୧୪ ଆଇପିଏଲ୍‌ରେ ମୁମ୍ବାଇ ଲଗାତାର ୫ ମ୍ୟାଚ୍ ହାରିଥିଲା। ହେଲେ ସଫଳ ପ୍ରତ୍ୟାବର୍ତନ ସହ ପ୍ଲେ ଅଫ୍‌କୁ ପ୍ରବେଶ କରିଥିଲା। ୨୦୧୫ରେ ଲଗାତାର ୪ ମ୍ୟାଚ୍ ହାରି ଟ୍ରଫି ଜିତି ନେଇଥିଲା। ତଥାପି ଆମ ପ୍ରଶଂସକ ଆମ ଉପରେ ଭରସା ରଖିଛନ୍ତି। ଏହା ହିଁ ଆମ ପାଇଁ ସବୁଠାରୁ ବଡ଼ କଥା।

ସମ୍ବନ୍ଧିତ ଖବର