ବୁମରାଙ୍କୁ ସମାଲୋଚନା କଲେ ପାକିସ୍ତାନର ପୂର୍ବତନ ଖେଳାଳୀ ଅବଦୁଲ ରଜାକ

କରାଚୀ: ନିଜର ବୋଲିଂ ପାଇଁ କ୍ରିକେଟ ଜଗତରେ ପ୍ରଶଂସା ସାଉଁଟୁଥିବା ବୁମରାଙ୍କୁ ବେବି ବୋଲର କହିଲେ ପାକିସ୍ତାନର ପୂର୍ବତନ ଖେଳାଳୀ । ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳାଳୀ । ରଜାକ ବୁମରାଙ୍କୁ ବେବି ବୋଲର କହିବା ସହ ତାଙ୍କ ବୋଲିଂକୁ ଖେଳିବା ଏତେଟା କଷ୍ଟସାଧ୍ୟ ନୁହେଁ ବୋଲି କହିଛନ୍ତି ।

Photo-Cricket Addictor

ରଜାକ କହିଛନ୍ତି ଯେ, ସେ ଗ୍ଲେନ ମ୍ୟାକଗ୍ରାଥ ଓ ୱାସିମ ଆକ୍ରମଙ୍କ ପରି ବୋଲରଙ୍କୁ ଖେଳିଛନ୍ତି, ତେଣୁ ବୁମରାଙ୍କୁ ଖେଳିବା ତାଙ୍କ ପାଇଁ ସେତେଟା ମୁସକିଲ ହୋଇ ନଥାନ୍ତା । ବରଂ ଆକ୍ରମଣାତ୍ମକ ଶୈଳୀରେ ସେ ବୁମରାଙ୍କ ବଲକୁ ଖେଳିଥାନ୍ତେ । ରଜାକଙ୍କ ଏହି ବୟାନକୁ ପୂର୍ବତନ ଭାରତୀୟ ଖେଳାଳୀମାନେ ନାପସନ୍ଦ କରିଛନ୍ତି । ଏହାସହ ରଜାକଙ୍କୁ କଡ଼ା ଜବାବ ଦେଇଛନ୍ତି ଇରଫାନ ପଠାନ ଓ ଆକାଶ ଚୋପ୍ରା । ଇରଫାନ ଟୁଇଟ କରିଛନ୍ତି ଯେ, ପାକିସ୍ତାନକୁ ସେ ଖେଳିବାକୁ ଗଲାବେଳେ ତାଙ୍କୁ ମଧ୍ୟ ଦିନେ ଗଳିର ବୋଲର ବୋଲି କୁହାଯାଇଥିଲା ।

ଏପରିକି ଇରଫାନଙ୍କ ଭଳି ବୋଲର ପାକିସ୍ତାନର ଗଳି ଗଳିରେ ଅଛନ୍ତି ବୋଲି ଜାଭେଦ ମିଆଁଦାଦ କହିଥିଲେ । ଏକଥାକୁ ମନେ ପକାଇଦେଇଛନ୍ତି ଇରଫାନ । ଏହାସହ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି ଯେ, ବୟସ ବଢ଼ିବା ସହ ବିଚାରଶକ୍ତି ମଧ୍ୟ ବଢ଼ିବା ଆବଶ୍ୟକ । ରଜାକ ଏହାର ଉଦାହରଣ ବୋଲି ସେ କହିଛନ୍ତି । ବୁମରା ନିଜର ଶାଣିତ ବୋଲିଂ ପାଇଁ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛନ୍ତି । ଭଲ ଫର୍ମରେ ଥିବା ବୁମରା ଏବେ ଆଇସିସିର ଦିନିକିଆ ତାଲିକାରେ ଏକ ନମ୍ବର ବୋଲର ଅଛନ୍ତି ।

ସମ୍ବନ୍ଧିତ ଖବର