ଆସେସ୍‌ରେ ଫିକ୍ସିଂ ଝଡ଼

ପର୍ଥ: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୧୩୫ ବର୍ଷରୁ ଅଧିକ ସମୟ ହେବ ଖେଳା ଯାଇ ଅସୁଥିବା ସମ୍ମାନ ଜନକ ଆସେସ୍‌ ଟେଷ୍ଟ୍‌ ଶୃଙ୍ଖଳାରେ ଫିକ୍ସିଂ କଳଙ୍କ ଲାଗିଛି। ୍‌ଇଂଲଣ୍ଡର ଏକ ଖବରକାଗଜ ଦାବି କରିଛି ଯେ ଚଳିତ ଆସେସ୍‌ ଶୃଙ୍ଖଳାର ତୃତୀୟ ଟେଷ୍ଟ୍‌କୁ ଫିକ୍ସିଂ କରିବାକୁ ଦୁଇ ଜଣ ବୁକି ତା’ କର୍ମଚାରୀଙ୍କୁ ପ୍ରସ୍ତାବ ଦେଇଥିଲେ। ‘ଦି ସନ୍‌’ ନାମକ ଏହି ଖବର କାଗଜର ସାମ୍ବାଦିକମାନେ ନିଜକୁ ଲଣ୍ଡନ ଅଣ୍ଡରଓ୍ଵାର୍ଲଡ ବୁକିଙ୍କର ଅର୍ଥ ଲଗାଣକାରୀ ବୋଲି ପରିଚୟ ଦେଇ ସଂପୃକ୍ତ ବୁକିଙ୍କ ସହ ଯୋଗାଯୋଗ କରିଥିଲେ। ସେତେବେଳେ ବୁକିମାନେ ପର୍ଥରେ ଖେଳା ଯାଉଥିବା ତୃତୀୟ ଟେଷ୍ଟକୁ ଫିକ୍ସ କରିବା ବିଷୟରେ ଖୋଲା ଖୋଲି ଭାବେ କଥାବାର୍ତା ହୋଇଥିଲେ। ପର୍ଥ ଟେଷ୍ଟ୍‌କୁ ଫିକ୍ସ କରି ସେମାନେ କୋଟି କୋଟି ଟଙ୍କା ରୋଜଗାର କରିବେ ବୋଲି ସାମ୍ବାଦିକମାନଙ୍କୁ ବୁକିମାନେ କହିଥିବା ‘ଦି ସନ୍‌’ ଦାବି କରିଛି। ଏହି ଦାବି ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ବା ଆଇସିସି ସହ ଉଭୟ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡର ମୁଖ୍ୟ ଚିନ୍ତା ଜାହିର କରିଛନ୍ତି। ତେବେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପର୍ଥ ଟେଷ୍ଟ୍‌ରେ ଦୁର୍ନୀତି ହୋଇଥିବାର କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି। ସେପଟେ ‘ଦି ସନ୍‌’ କହିଛି ଯେ ଦୁଇ ଜଣ ବୁକିଙ୍କ ମଧ୍ୟରୁ ଜଣେ ଭାରତୀୟ ଥିଲେ ଏବଂ ତାଙ୍କୁ ସମସ୍ତେ ‘ମିଷ୍ଟର ବିଗ୍‌’ ଭାବେ ଜାଣିଛନ୍ତି। ସେ ପର୍ଥ ଟେଷ୍ଟ୍‌ର ଫିକ୍ସ ହୋଇଥିବା ଅଂଶକୁ ବିକ୍ରି କରିବାର ପ୍ରସ୍ତାବ ଦେଇଥିଲେ। ଅନ୍ୟ ବୁକି ଜଣକ ଜଣେ ବିଶ୍ୱକପ୍‌ ବିଜୟୀ ଅଲରାଉଣ୍ଡରଙ୍କ ସହ ଅନେକ ସାଂପ୍ରତିକ ଏବଂ ପୂର୍ବତନ କ୍ରିକେଟରଙ୍କ ସହ କାର୍ଯ୍ୟ କରିଥିବାର ଦାବି ବି କରିଥିଲେ। ଉଭୟ ‘ଦି ସାଇଲେଣ୍ଟ ମ୍ୟାନ୍‌’ ଭାବେ ପରିଚିତ ଜଣେ ଅଷ୍ଟ୍ରେଲୀୟ ବୁକିଙ୍କ ସହ ଏଥିନେଇ ସଂପର୍କ କରିଥିଲେ ବୋଲି ମଧ୍ୟ ‘ଦି ସନ୍‌’ ତା’ ଲେଖାରେ ଉଲ୍ଲେଖ କରିଛି। ହେଲେ କୌଣସି ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲୀୟ ଖେଳାଳିଙ୍କ ନାଁ ଏଥିରେ ନାହିଁ। ଏହି ଖବରକାଗଜ ଆହୁରି ମଧ୍ୟ କହିଛି ଯେ ବୁକିମାନେ ଛଦ୍ମ ବେଶରେ ଥିବା ସାମ୍ବାଦିକଙ୍କୁ ଗୋଟିଏ ଓଭରରେ ନିର୍ଦିଷ୍ଟ ରନ୍‌ ହେବା ଭଳି ସ୍ପଟ୍‌ ଫିକ୍ସିଂ ପାଇଁ ଏକ କୋଟି କୋଡିଓ ଲକ୍ଷ ଟଙ୍କା ମାଗିଥିଲେ। ବୁକି ଜଣକ କହିଥିଲେ ଯେ ମ୍ୟାଚ୍‌ ପୂର୍ବରୁ ମୁଁ ତୁମକୁ କେଉଁ ଓଭରରେ କେତେ ରନ୍‌ ହେବ ତାହା ଜଣାଇଦେବି। ସେହି ଅନୁସାରେ ତୁମେ ଜୁଆରେ ବାଜି ଲଗାଇବ। ବୁକି ଦ୍ୱୟଙ୍କୁ ଯେତେବେଳେ ପଚରାଗଲା ଯେ ଆପଣଙ୍କ ତଥ୍ୟରେ କେତେ ସତ୍ୟତା ରହିଛି? ସେ କହିଥିଲେ ଶତ ପ୍ରତିଶତ ସତ। ସୂଚନା ଯୋଗ୍ୟ ଯେ ପାଞ୍ଚ ଟିକିଆ ଟେଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ୦-୨ରେ ପଛୁଆ ଅଛି। ପର୍ଥରେ ଏହି ଦଳ ୦-୩ରେ ପଛୁଆ ହେବାକୁ ଏଡ଼ାଇବା ଲକ୍ଷ୍ୟରେ ରହିଛି।

ତଦନ୍ତ ନିର୍ଦେଶ ଦେଲା ଆଇସିସି

ପର୍ଥ ଟେଷ୍ଟ୍‌ରେ ଫିକ୍ସିଂ ଅଭିଯୋଗ ଆସିବା ପରେ ଆଇସିସି ଗଭୀର ଚିନ୍ତା ଜାହିର କରିଛି। ଅଭିଯୋଗରେ ସତ୍ୟତା ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛି। ଆଇସିସି ଦୁର୍ନୀତି ନିବାରଣ ବିଭାଗର ମହାପ୍ରବନ୍ଧକ ଆଲେକ୍ସ ମାର୍ସେଲ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ସଂପ୍ରତି ଆମ ପାଖରେ ଏହି ଅଭିଯୋଗ ନେଇ କୌଣସି ପ୍ରମାଣ ନାହିଁ। ଦି ସନ୍‌ ପ୍ରକାଶ କରିଥିବା ତଥ୍ୟକୁ ଆମେ ନିଶ୍ଚିତ ଯାଞ୍ଚ କରିବୁ। ଯଦି ଏହି ଘଟଣା ଘଟିଥାଏ ତାହାଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ହେଲେ ଫୌଜଦାରି ମାମଲା ଦାୟର କରାଯିବ।

ସଦରଲାଣ୍ଡଙ୍କ ଅସ୍ୱୀକାର

ପର୍ଥ ଟେଷ୍ଟ୍‌ ଫିକ୍ସ ହୋଇଥିବା ଅଭିଯୋଗକୁ କିନ୍ତୁ କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସଦରଲାଣ୍ଡ ଅସ୍ୱୀକାର କରିଛନ୍ତି। ତେବେ କ୍ରିକେଟ୍‌ ଅଷ୍ଟ୍ରେଲିଆ ପରିଚାଳନା ପରିଷଦ ଆଇସିସି ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବ ବୋଲି ଆଶ୍ୱାସନା ଦେଇଛନ୍ତି। ଆଇସିସି ଦୁର୍ନୀତି ନିବାରଣ ବିଭାଗର ମହାପ୍ରବନ୍ଧକ ଆଲେକ୍ସ ମାର୍ସେଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନ୍‌ ଏବଂ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍‌ ହାରିସନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ମାମଲାରେ ଆଲୋଚନା କରିବା ପରେ ପର୍ଥ ଟେଷ୍ଟ୍‌ ଫିକ୍ସିଂ ଅଭିଯୋଗ ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ସଦରଲାଣ୍ଡ ଦୃଢ଼ ଆଶା ପୋଷଣ କରିଛନ୍ତି। ଅଭିଯୋଗର କୌଣସି ପ୍ରମାଣ ମିଳି ନଥିବାରୁ ଚିନ୍ତା କରିବାର କିଛି ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର