ରୋଚକ ସ୍ଥିତିରେ ଆଡିଲେଡ ଟେଷ୍ଟ, ୩ୟ ଦିନ ଶେଷସୁଦ୍ଧା ଭାରତର ସ୍କୋର ୧୫୧/୩

ଆଡିଲେଡ : ଅଷ୍ଟ୍ରେଲିଆର ଆଡିଲେଡ ଓଭାଲଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ୩ୟ ଦିନ ଖେଳ ଶେଷସୁଦ୍ଧା ଭାରତ ନିଜର ଦ୍ୱିତୀୟ ଇନିଂସରେ ୩ ଓ୍ଵିକେଟ ହରାଇ ୧୫୧ ରନ ସଂଗ୍ରହ କରିଛି । ଏହା ସହିତ ଭାରତ ଅଷ୍ଟ୍ରେଲିଆ ଠାରୁ ୧୬୬ ରନରେ ଆଗୁଆ ରହିଛି ।

୨ୟ ଇନିଂସରେ ଭାରତର ଦୁଇ ଓପନର ଲୋକେଶ ରାହୁଲ ଓ ମୁରଲୀ ବିଜୟ ସତର୍କତାର ସହ ଖେଳିବା ଆରମ୍ଭ କରିଥିଲେ । ତେବେ ଦଳର ସ୍କୋର ୬୩ ରନ ଥିବାବେଳେ ବିଜୟ ମାତ୍ର ୧୮ ରନ କରି ଷ୍ଟାର୍କଙ୍କ ବଲରେ ହାଣ୍ଡସକମ୍ବଙ୍କ ହାତରେ ଧରାପଡିଥିଲେ ।

ଏହା ପରେ ଦଳୀୟ ସ୍କୋର ୭୩ ବେଳେ ରାହୁଲ ୪୪ ରନ କରି ଆଉଟ ହୋଇଥିଲେ । ଏହା ପରେ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ କୋହଲି ମାତ୍ର ୩୪ ରନ କରିଥିବାବେଲେ ଲିୟନଙ୍କ ଦ୍ୱାରା ଆଉଟ ହୋଇଥିଲେ । ଏବେ ପୂଜାରା (୪୦) ଓ ଆଜିଙ୍କ୍ୟ ରାହାଣେ କ୍ରିଜରେ ଅଛନ୍ତି ।

ଏହା ପୂର୍ବରୁ ଗତକାଲି ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୩୫ରନରେ ଅଲଆଉଟ ହୋଇଯାଇଥିଲା । ଫଳେରେ ଭାରତ ପ୍ରଥମ ଇନିଂସରେ ୧୫ ରନରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଜସପ୍ରିତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଲେଖାଏଁ ତଥା ଇଶାନ୍ତ ଶର୍ମା ଓ ମହମ୍ମଦ ସମ୍ମି ୨ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର