ଆଗୁଆ ଯୋଜନା ଓ ଦକ୍ଷ ପ୍ରଶିକ୍ଷକ ମଣ୍ଡଳିର ଢେର ମହତ୍ବ

-ହର୍ଷ ଭୋଗଲେ-

ଆଇପିଏଲ୍ ଇଂଲିସ୍ ପ୍ରିମିୟର ଲିଗ୍ କିମ୍ବା ଲା’ ଲିଗା ଭଳି ଲମ୍ବା ହୋଇ ନପାରେ। ହେଲେ ଦଳ ଗଠନ ଏବଂ ବେଞ୍ଚ ଷ୍ଟ୍ରେନ୍ଥ୍‌ ଦୃଷ୍ଟିରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅତି ଚତୁରତାର ସହ ଖେଳାଳି କିଣିଥିବା ସନରାଇଜର୍ସ ହାଇଦ୍ରାବାଦ ଚଳିତ ସପ୍ତା‌ହରେ ଏହାର ନାଟକୀୟ ନିଦର୍ଶନ ଦେଇ ସାରିଛି। ୱାର୍ନର, ବେୟାରଷ୍ଟୋ ଓ ରସିଦ ବିଦେଶୀ ଖେଳାଳିଙ୍କ ପାଇଁ ଥିବା ଚାରିଟିରୁ ତିନିଟି ସ୍ଥାନ ନେଇଯିବା ପରେ ପ୍ରଥମ ମୁକାବିଲାରେ ‌ସେମାନେ ସକିବ-ଅଲ-ହାସନଙ୍କ ଭଳି ବିଶ୍ବସ୍ତରୀୟ ଖେଳାଳିଙ୍କୁ ନେଇ ପଡ଼ିଅାକୁ ଓହ୍ଲାଇଥିଲେ। ହେଲେ ରୟାଲ ଚାଲେଞ୍ଜର୍ସ ବିପକ୍ଷରେ ସେମାନେ ତିନି ଜଣ ବାମହାତୀ ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ, ମୋଇନ ଅଲ୍ଲୀ ଓ ସିମରନ୍ ହେଟମେୟରଙ୍କ ସମ୍ମୁଖୀନ ହେଉଥିବାରୁ ମହମ୍ମଦ ନବିଙ୍କୁ ଦଳରେ ନେଇଥିଲେ। ନବି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଚମତ୍କାର ବୋଲିଂ କରି ପ୍ରତିଯୋଗିତାର ଅନ୍ୟତମ ଶ୍ରେଷ୍ଠ ସ୍ପେଲ୍ ପକାଇଥିଲେ। ତା’ ସତ୍ତ୍ବେ ନବି ସବୁ ମ୍ୟାଚ୍ ଖେଳିବାର ସମ୍ଭାବନା କମ୍। ଇଡେନ୍ ଗାର୍ଡେନ୍ ଭଳି ଷ୍ଟାଡିୟମ ‌ଯେଉଁଠି ଅଧିକ ଉଚ୍ଛାଳ ଥାଏ, ସେଠାରେ ସେମାନେ ନବିଙ୍କ ବଦଳରେ ବିନ୍ ଷ୍ଟାନଲେକଙ୍କୁ ‌ଖେଳାଇ ପାରିବେ। ରସିଦ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆଗ୍ରହୀ ଥିବାରୁ ଦଳର ନମନୀୟତା ଯଥେଷ୍ଟ ବଢ଼ିଛି। ଏହି ସବୁ‌ ଖେଳାଳିଙ୍କୁ ଦଳରେ ନେବାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଛି। କେହି ବି ଦଳ ବାହାରେ ରହି ଖାଲି ଡଗଆଉଟରେ ବସିଥିବାର ଭିଡିଓ ଚିତ୍ରରେ ଦେଖିବାକୁ ଚାହାନ୍ତି ନାହିଁ। ସେଥିପାଇଁ ଦଳ ମଧ୍ୟରେ ସୁସ୍ଥ ବାତାବରଣ ବଜାୟ ରଖିବା ଅନେକ ସମୟରେ କଷ୍ଟକର ହୋଇଯାଏ। ଆଇପିଏଲ୍ ଭଳି ଲିଗ୍‌ ଖେଳି ନପାରିବା ଯେ କୌଣସି ଖେଳାଳିଙ୍କ ପାଇଁ କେବଳ ନିରୁତ୍ସାହ ଜନକ କଥା ହୋଇ ନଥାଏ, ଏଥିପାଇଁ ମନରେ ବେପରୁଆ ଭାବନା ବି ଜାଗ୍ରତ ହୋଇଥାଏ। ଭଲ ଦଳଗୁଡ଼ିକର ପ୍ରଶିକ୍ଷକ ମଣ୍ଡଳି ପ୍ରମୁଖ ‌ଖେଳାଳିମାନଙ୍କୁ ସବୁବେଳେ ପ୍ରସ୍ତୁତ କରି ରଖି ଥାଆନ୍ତି। କାରଣ ମ୍ୟାଚ୍‌ର ମାତ୍ର ୨୦ ମିନିଟ୍ ପୂର୍ବରୁ ମଧ୍ୟ ଆପଣ ଖେଳିବାର ଡାକରା ପାଇପାରନ୍ତି। ଆଗୁଆ ଯୋଜନା ପ୍ରସ୍ତୁତ କରିବା ଏବଂ ଭଲ ପ୍ରଶିକ୍ଷକ ମଣ୍ଡଳି ପାଇବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସନରାଇଜର୍ସ ଏହି କ୍ଷେତ୍ରରେ ମଧ୍ୟ ବହୂତ ଭଲ କରିଛି।

ସମ୍ବନ୍ଧିତ ଖବର