ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌:ଆର‍୍ୟନ୍‌ ବିଜେତା: ଲଳିତ, ସିମ୍ରନ୍‌, ଆଶିଷ ଦ୍ୱିତୀୟ

ଭୁବନେଶ୍ୱର: ଟେନିସ ଆସୋସିଏସନ୍‌ ଅଫ୍‌ ଭୁବନେଶ୍ୱର ଏବଂ ଓଡ଼ିଶା ଟେନିସ୍‌ ଆସୋସିଏସନ୍‌ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଆଇଟା ଟ୍ୟାଲେଣ୍ଟ୍‌ ସିରିଜ୍‌ (ଟିଏସ୍‌) ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୧୬ ବର୍ଷରୁ କମ୍‌ ଏକକ ଏବଂ ଯୁଗଳ ବର୍ଗରେ ଓଡ଼ିଶା ପିଲା ବିଜେତା ହୋଇ ସମ୍ମାନ ରଖିଛନ୍ତି। ଶୁକ୍ରବାର ୧୬ ବର୍ଷରୁ କମ୍‌ ବାଳକ ଏକକ ବର୍ଗ ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଡି ଆର‍୍ୟନ୍‌ ସ୍ୱାମୀ ନିଜ ରାଜ୍ୟର ଆଶିଷ କୁମାର ପରିଡ଼ାଙ୍କୁ ୬-୩, ୫-୭, ୬-୪ରେ ହରାଇ ଦେଇଥିଲେ। ଏହି ବୟସ ବର୍ଗ ଯୁଗଳ ବିଭାଗରେ ଗୁରୁବାର ଓଡ଼ିଶା ଯୋଡ଼ି ରାହୁଲ ବେହେରା ଏବଂ ସଂଗ୍ରାମ କୁମାର ପାତ୍ର ବିଜେତା ହୋଇଥିଲେ। ୧୨ ବର୍ଷରୁ କମ୍‌ ବାଳକ ଏକକ ଫାଇନାଲ୍‌ରେ କିନ୍ତୁ ପହଞ୍ଚିଥିବା ଲଲିତ ଟୁଡୁ ଫାଇନାଲ୍‌ରେ ବେଙ୍ଗଲ୍‌ର ଇଥାନ୍‌ ଥାଇ ଏସ୍‌ ଲି’ଙ୍କଠାରୁ ୪-୬, ୦-୬ରେ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ସେହିଭଳି ୧୬ ବର୍ଷରୁ କମ୍‌ ବାଳିକା ଏକକ ବର୍ଗରେ ମଧ୍ୟ ଓଡ଼ିଆ ଝିଅ ସିମ୍ରନ୍‌ ନେହା ଏକ୍କା ଉପବିଜେତା ହୋଇଛନ୍ତି। ଫାଇନାଲ୍‌ରେ ସିମ୍ରନଙ୍କୁ ବେଙ୍ଗଲର ତରୁ ସାଇ ଯୋଶୀ ୬-୦, ୬-୨ରେ ହରାଇ ଦେଇଥିଲେ। ଫଳରେ ସିମ୍ରନ୍‌ ଦ୍ୱିମୁକୁଟରୁ ବଞ୍ଚିତ ହୋଇଥିଲେ। ପଶ୍ଚିମବଙ୍ଗର ସାନ୍ୟା ଯାଦବଙ୍କୁ ସାଥୀ କରି ଶୀର୍ଷ ମାନ୍ୟତା ବାଳିକା ଯୁଗଳରେ ଖେଳି ବିଜେତା ହୋଇଥିଲେ। ବିଜେତା ଓ ଉପ ବିଜେତାଙ୍କୁ ଯଥାକ୍ରମେ ୧୫ ଓ ୧୨ ପଏଣ୍ଟ୍‌ ମିଳିଛି।
ଶୁକ୍ରବାର ଉଦ୍‌ଯାପନୀ ଉତ୍ସବରେ ଟିଏବି ସଭାପତି ଗିରିଜା ଶଙ୍କର ଆଚାର୍ଯ୍ୟ, ଉପ ସଭାପତି ବିଶ୍ୱଜିତ୍‌ ରଥ, ସମ୍ପାଦକ ବିଜୟ କୁମାର ସାହୁ, ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ, ପ୍ରତିଯୋଗିତା ରେଫରି ଯତିନ୍‌ ବତ୍ସ୍ୟ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର