ଏଏଫ୍‌ସି ଏସୀୟ କପ୍‌ : ୟୁଏଇଠୁ ହାରିଲା ଭାରତ

ଆବୁଧାବି: ଥାଇଲାଣ୍ଡ୍‌କୁ ୪-୧ ଗୋଲ୍‌ରେ ପରାସ୍ତ କରି ଏଏଫ୍‌ସି ଏସୀୟ କପ୍‌ରେ ଅଭିଯାନ ଆରମ୍ଭ କରିଥିବା ଭାରତ ଆୟୋଜକ ୟୁଏଇ ବିପକ୍ଷ ବଡ଼ ପରୀକ୍ଷାରେ ବିଫଳ ହୋଇଛି। ଫିଫା ମାନ୍ୟତାର ୯୭ ସ୍ଥାନରେ ରହିଥିବା ଭାରତ ଗୁରୁବାର ୭୯ ମାନ୍ୟତା ୟୁଏଇ ନିକଟରୁ ୦-୨ ଗୋଲ୍‌ରେ ହାରିଯାଇଛି। ମ୍ୟାଚ୍‌ ଆରମ୍ଭରୁ ଅବଶ୍ୟ ଶକ୍ତିଶାଳି ୟୁଏଇକୁ କଡ଼ା ଟକ୍କର ଦେଇଥିଲା ଭାରତ। ୪୦ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ। ହେଲେ ୪୧ ମିନିଟ୍‌ରେ ଖଲ୍‌ଫାନ୍‌ ମୁବ‌ାରକ୍‌ ଏବଂ ୮୮ ମିନିଟ୍‌ରେ ଅଲ୍ଲୀ ମବ୍‌ଖୋତ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ଏହି ପରାଜୟ ସହ ଭାରତ (୩) ପଏଣ୍ଟ୍‌ ତାଲିକାରେ ଦ୍ବିତୀୟକୁ ଖସିଯାଇଥିଲା ବେଳେ ୟୁଏଇ (୪) ପ୍ରଥମ ବିଜୟ ସହ ଶୀର୍ଷକୁ ଉଠିଯାଇଛି। ପ୍ରଥମ ମ୍ୟାଚ୍‌ରେ ଗୋଲ୍‌ରକ୍ଷକ ସାନ୍ଧୁ ଭାରତର ନେତୃତ୍ବ ନେଇଥିଲା ବେଳେ ଗୁରୁବାର ସୁନିଲ ଛେତ୍ରୀ ଅଧିନାୟକ ଦାୟିତ୍ବ ତୁଲାଇଥିଲେ।
ଏହି ମ୍ୟାଚ୍‌ ଜିତିଥିଲେ କିମ୍ବା ଅମୀମାଂସିତ ରଖିପାରିଥିଲେ ଭାରତ ୫୦ ବର୍ଷ ପରେ ପ୍ରଥମ ଥର ଲାଗି ଦ୍ବିତୀୟ ରାଉଣ୍ଡ୍‌କୁ ଯୋଗ୍ୟତା ହାସଲ କରିଥାନ୍ତା। ହେଲେ ୟୁଏଇ ତାହା ଭାରତକୁ କରାଇ ଦେଇନଥିଲା‌। ତଥାପି ଏହାପରେ ଆମ ପାଖରେ ଆହୁରି ୨ ମ୍ୟାଚ୍‌ ରହିଥିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ଉପରକୁ ଉଠିବା ଆମର ଲକ୍ଷ୍ୟ ରହିବ ବୋଲି ପ୍ରଶିକ୍ଷକ କନଷ୍ଟାଣ୍ଟାଇନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର